କୋଣାର୍କ: ମହାମାରୀ କରୋନା ପାଇଁ ୫ ମାସରୁ ଅଧିକ ଦିନ ଧରି ବନ୍ଦ ରହିଥିବା କୋଣାର୍କ ସୂର୍ଯ୍ୟ ମନ୍ଦିର ପୁଣିଥରେ ପର୍ଯ୍ୟଟକଙ୍କ ପାଇଁ ଆଜି ଖୋଲିଛି। କେନ୍ଦ୍ର ସରକାରଙ୍କ ଗାଇଡଲାଇନ୍ସ ଅନୁସାରେ ସୂର୍ଯ୍ୟ ମନ୍ଦିର ଖୋଲା ଯାଇଛି।
ଦିନକୁ ଅଢେଇ ହଜାର ପର୍ଯ୍ୟଟକ କୋଣାର୍କ ମନ୍ଦିର ଦର୍ଶନ କରିବାକୁ ଅନୁମତି ମିଳିଛି। ସକାଳୁ ଦିନ ୧ଟା ମଧ୍ୟରେ ୧,୫୦୦ ଏବଂ ଅପରାହ୍ନରେ ୧,୦୦୦ ପର୍ଯ୍ୟଟକଙ୍କୁ ଦର୍ଶନ କରିବାକୁ ଅନୁମତି ମିଳିବ।
କଟକଣା ଦୃଷ୍ଟିରୁ ଟିକେଟ୍ରେ ବାର୍କୋଡ୍ ବ୍ୟବସ୍ଥା କରାଯାଇଛି। ମନ୍ଦିରକୁ ପ୍ରବେଶ କରୁଥିବା ସମସ୍ତ ପର୍ଯ୍ୟଟକଙ୍କ ସ୍କ୍ରିନିଂ ସହ କେନ୍ଦ୍ର ସରକାରଙ୍କ ଏସ୍ଓପିକୁ କଡ଼ାକଡ଼ି ପାଳନ କରାଯିବ ବୋଲି ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ସୁପରିଟେଣ୍ଡେଣ୍ଟ ଅରୁଣ ମଲ୍ଲିକ ସୂଚନା ଦେଇଛନ୍ତି।