୬ଜଣଙ୍କୁ ଗିରଫ ପରେ କୋର୍ଟ ଚାଲାଣ କଲା ପୁଲିସ

ସୁନ୍ଦରଗଡ଼ କୋଇଡ଼ା ଅଂଚଳରେ ୫ ଜଣଙ୍କୁ ହତ୍ୟା ଘଟଣା

ସୁନ୍ଦରଗଡ଼ : ଗୁଣି ଗାରେଡ଼ିକୁ ନେଇ ପ୍ରତିଶୋଧ ପରାୟଣ ହୋଇ ୫ଜଣଙ୍କ କରାଯାଇଥିଲା ହତ୍ୟା। ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଇନ୍ଦୁପୁର ଗାଁରେ ମହିଳାଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ଘଟଣାରେ ଆଜି ଏଭଳି ସୂଚନା ଦେଇଛନ୍ତି ପଶ୍ଚିମାଞ୍ଚଳ ଡିଆଇଜି କବିତା ଜଲାନ୍।

ଘଟଣାରେ ପୁଲିସ ୬ଜଣଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି। ସେମାନେ ହେଲେ ରାଜୁ ମୁଣ୍ଡା, ଜଗମା ମୁଣ୍ଡା, ସାଲୁ ମୁଣ୍ଡା, ମାଟୁ ମୁଣ୍ଡା, ଦେବରା ମୁଣ୍ଡା ଓ ବୁଦ୍ଧରାମ ମୁଣ୍ଡା। ସେମାନଙ୍କ ଠାରୁ ପୁଲିସ ହତ୍ୟାରେ ବ୍ୟବହୃତ ମାରଣାସ୍ତ୍ର ଓ ଗୋଟିଏ ବାଇକ୍‌ ମଧ୍ୟ ଜବତ କରିଛି।

ତେବେ ହତ୍ୟାକାଣ୍ଡ ପଛରେ ଆଉ କାହାର ହାତ ରହିଛି। ସେନେଇ ପୁଲିସ ତଦନ୍ତ ଜାରି ରଖିଛି। ସୂଚନା ଅନୁସାରେ ଗାଁର ଜଣେ ଶିଶୁର ମୃତ୍ୟୁ ପରଠୁ ଏହି ମୁଣ୍ଡା ପରିବାର ଉପରେ ଗୁଣିଗାରେଡ଼ିକୁ ନେଇ ସନ୍ଦେହ ଦୃଷ୍ଟିରେ ଦେଖୁଥିଲେ ପଡୋଶୀ ପରିବାର। ଏଥିପାଇଁ କୁଆଡ଼େ ପ୍ରତିଶୋଧ ନେବାକୁ ବ୍ଲୁ ପ୍ରିଣ୍ଟ ବି ତିଆରି ହୋଇଥିଲା।

ଆଉ ସ୍ୱାମୀ ଏବଂ ଶ୍ୱଶୁରଙ୍କ ଅନୁପସ୍ଥିତିର ସୁଯୋଗ ନେଇ ସୁଦାମ ମୁଣ୍ଡାଙ୍କ ଘରେ ଶୁକ୍ରବାର ରାତିରେ ପଶିଥିଲେ ୪ରୁ ୫ ଜଣ ବ୍ୟକ୍ତି। ତାସହ ରାତି ଅଧରେ ସମସ୍ତଙ୍କୁ ଆକ୍ରମଣ କରିବା ସହ ଘର ଠାରୁ ୨ଶହ ମିଟର ଦୂର ଏହି କୂଅ ଭିତରେ ଜଣଙ୍କ ପରେ ଜଣଙ୍କୁ ଆଣି ଫିଙ୍ଗିଦେଇଥିଲେ।

You might also like