ଆସିଥିଲେ ଦୁଇଟି ଡଙ୍ଗାରେ, ଫେରିଲେ ଗୋଟିଏ ଡଙ୍ଗାରେ

କେନ୍ଦ୍ରାପଡ଼ା: ବସ୍‌ ଦୁର୍ଘଟଣା ହେଉ କିମ୍ବା ଡଙ୍ଗା ବୁଡ଼ି ସବୁବେଳେ ଦୁର୍ଘଟଣା ଘଟିବା ପରେ ଦୁର୍ଘଟଣାର ଅନେକ କାରଣ ସମ୍ନାକୁ ଆସିଥାଏ। ସେଥିମଧ୍ୟରୁ କ୍ଷମତା ଠାରୁ ଅଧିକ ଯାତ୍ରୀ ନେଇ ଯିବାରୁ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିବା କାରଣଟି ପ୍ରାୟ ମୁଖ୍ୟ କାରଣ ହୋଇଥାଏ।

ଗତକାଲି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଅଞ୍ଚଳ ହସିଣା ଗାଁର ୧୭ଟି ପରିବାରର ପୁରୁଷ, ମହିଳା ଓ ଶିଶୁଙ୍କୁ ମିଶାଇ ମୋଟ ୫୫ ଜଣ ବଣଭୋଜି କରିବାକୁ ଦୁଇଟି ଦେଶୀ ଡଙ୍ଗା ଯୋଗେ ହୁକିଟୋଲା ଯାଇଥିଲେ। ତେବେ ସେଠାରୁ ସେମାନେ ଗୋଟିଏ ଡଙ୍ଗାରେ ଫେରୁଥିଲେ। ଫେରିବା ବେଳେ କେନ୍ଦ୍ରାପଡ଼ାର ନିପାଣିଆରେ ମହାନଦୀ ମୁହାଣରେ ଡଙ୍ଗାଟି ବୁଡ଼ି ଯାଇଥିଲା। ଏହି ଘଟଣାରେ ୯ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ୬ ବର୍ଷର ଶିଶୁ ନିଖୋଜ ଅଛନ୍ତି।

କେନ୍ଦ୍ରାପଡ଼ା ଏସ୍‌ପି ନୀତିନ୍‌ ଶେଖର କହିଛନ୍ତି, ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଅଞ୍ଚଳର କିଛି ଲୋକ ପିକ୍‌ନିକ୍‌ କରିବାକୁ ୨ଟି ଡଙ୍ଗାରେ ଯାଇଥିଲେ। ତେବେ ଫେରିଲା ବେଳେ ଗୋଟିଏ ଡଙ୍ଗାରେ ଫେରିଥିଲେ। ଡଙ୍ଗାଟି ଛୋଟ ଥିଲା ଏବଂ ସେଥିରେ ୧୦ ଜଣରୁ ଅଧିକ ଲୋକ ଯିବା ଭଳି କ୍ଷମତା ମଧ୍ୟ ନଥିଲା। ତେବେ କେଉଁଭଳି ପରିସ୍ଥିତିରେ ଏତେ ଲୋକ ସେଥିରେ ଆସିଲେ, ତା’ର ତଦନ୍ତ କରାଯିବ ଓ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସ୍‌ପି କହିଛନ୍ତି।

ଅନ୍ୟପଟେ, କ୍ଷମତାଠାରୁ ଡଙ୍ଗାରେ ଅଧିକ ଯାତ୍ରୀ ଥିବାରୁ ଦୁର୍ଘଟଣା ଘଟିଥିବା କୁହାଯାଉଛି। ଡଙ୍ଗାର କ୍ଷମତା ୧୦ ଥିବା ବେଳେ ୫୫ ଜଣ ସେଥିରେ ଯାଇଥିଲେ ବୋଲି କୁହାଯାଉଛି।

ସେପଟେ, ଡଙ୍ଗା ଚାଳକଙ୍କୁ ପୁଲିସ୍ ଅଟକ ରଖି ପଚରାଉଚରା କରୁଛି।

You might also like