’ନିର୍ବାଚିତ ସରକାରକୁ କାମ କରିବାକୁ ଦିଆଯାଉ’: ନିତି ଆୟୋଗ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟ
ଭୁବନେଶ୍ୱର: ’ନିର୍ବାଚିତ ସରକାରକୁ କାମ କରିବାକୁ ଦିଆଯାଉ’। ନିତି ଆୟୋଗ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ବକ୍ତବ୍ୟ ରଖିଛନ୍ତି। ନବୀନ କହିଛନ୍ତି, ଏବେ ପ୍ରତ୍ୟେକ ଅପରାଧକୁ ରାଜନୀତିକରଣ କରାଯାଉଛି। ନିର୍ବାଚିତ ସରକାରର ପ୍ରତି କାମକୁ ରାଜନୈତିକ ଦୃଷ୍ଟିରେ ଦେଖାଯାଉଛି। ଏସବୁ ଦେଶର ଶାନ୍ତି ଏବଂ ବିକାଶରେ ବଡ଼ ବାଧକ। ଏବେ ସମୟ ଆସିଛି ଦେଶ ଏମିତି ନିର୍ବାଚନୀ ବାତାବରଣରୁ ଉର୍ଦ୍ଧ୍ୱକୁ ଆସିବା ଆବଶ୍ୟକ। ନିର୍ବାଚନ ବାତାବରଣରୁ ବାହାରି ନିର୍ବାଚିତ ସରକାରକୁ କାମ କରିବାକୁ ଦିଆଯାଉ ବୋଲି ମତ ରଖିଛନ୍ତି ମୁଖ୍ୟମନ୍ତ୍ରୀ।
ସେହିପରି ନୀତି ଆୟୋଗ ବୈଠକରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ସଂରକ୍ଷଣ ନକଲେ ଇତିହାସ କ୍ଷମା ଦେବନାହିଁ। ନିର୍ବାଚନ ବେଳେ ଜାତୀୟ ଦଳମାନେ ମହିଳାଙ୍କ ସଂରକ୍ଷଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଉଭୟ ଲୋକସଭା ଏବଂ ବିଧାନସଭାରେ ସଂରକ୍ଷଣ ନେଇ କଥା ଦେଇଥିଲେ। ତେବେ ନିର୍ବାଚନ ପରେ ପ୍ରତିଶ୍ରୁତି ପୂରଣ ନକଲେ ଇତିହାସ କ୍ଷମା ଦେବନି ବୋଲି କହିଛନ୍ତି ନବୀନ ପଟ୍ଟନାୟକ।
ଏହାସହ ବୈଠକରେ ରେଲୱେ, ଟେଲିକମ, ବ୍ୟାଙ୍କିଂ, କେନ୍ଦ୍ରୀୟ ଅନୁଦାନ ହ୍ରାସ ପ୍ରସଙ୍ଗ ଉଠାଇଛନ୍ତି ମୁଖ୍ୟମନ୍ତ୍ରୀ । ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଓ କିଛି ଭାଷାକୁ ଅଷ୍ଟମ ପରିଚ୍ଛଦରେ ସାମିଲ କରାଯାଉ ବୋଲି ଦାବି କରିଛନ୍ତି। UPSC, ନିଟ୍, ଜେଇଇ ପରୀକ୍ଷା ପ୍ୟାଟର୍ନ ପରିବର୍ତ୍ତନ କଥା ଉଠାଇବା ସହ କୋଚିଂ ନେଇନପାରି ଗ୍ରାମାଞ୍ଚଳର ବହୁ ମେଧାବୀ ବଞ୍ଚିତ ହେଉଥିବା କଥା କହିଛନ୍ତି। ସେମାନଙ୍କୁ ଦୃଷ୍ଟିରେ ରଖି ନିତି ଆୟୋଗ ବ୍ୟବସ୍ଥା କରିବାକୁ କହିଛନ୍ତି ନବୀନ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ନିତି ଆୟୋଗ ପରିଚାଳନା ପରିଷଦର ଷଷ୍ଠ ବୈଠକ, ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗ ଦେଇଛନ୍ତି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ #NitiAayog
— ଓଟିଭି (@otvkhabar) February 20, 2021
ଅନ୍ୟପଟେ ନୀତି ଆୟୋଗ ବୈଠକରେ ପ୍ରଧାନମନ୍ତ୍ରୀ କହିଛନ୍ତି, କରୋନା ବେଳେ ମିଳିତ ଭାବେ କାର୍ଯ୍ୟ କରିଛନ୍ତି କେନ୍ଦ୍ର ଓ ରାଜ୍ୟ ସରକାର। କରୋନା ମହାମାରୀ ପରିଚାଳନାରେ ସାରା ବିଶ୍ୱରେ ନିଜର ଭଳି ଛବି ସୃଷ୍ଟି କରିଛି ଭାରତ। ସ୍ୱାସ୍ଥ୍ୟ ସେବା, ଟିକାକରଣକୁ ଅଧିକ ପ୍ରାଧାନ୍ୟ ଦିଆଯାଇଛି। ଦେଶରେ ମାଗଣା ବିଦ୍ୟୁତ ଓ ଗ୍ୟାସ ସଂଯୋଗ, ଅଭାବୀଙ୍କୁ ସ୍ୱାବଲମ୍ବୀ କରିବାରେ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି ସରକାର। କରୋନା ଯୋଗୁ ପ୍ରଭାବିତ ଅର୍ଥନୀତିକୁ ସୁଧାରିବା ବ୍ୟବସ୍ଥା କରାଯାଉଛି।
ବଜେଟରେ ଚାଷୀକୁ ପ୍ରାଧାନ୍ୟ ଦିଆଯାଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ଚାଷକୁ ବୃଦ୍ଧି କରିବା ସହ ମତ୍ସ୍ୟ ସମ୍ପଦକ, କୁଟୀର ଶିଳ୍ପର ବିକାଶ ଦିଗକୁ ଗୁରୁତ୍ୱ ଦେଇଛନ୍ତି ପ୍ରଧାନମନ୍ତ୍ରୀା ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଥିବାରୁ ଚଳିତ ବର୍ଷ ବେଶ ଗୁରୁତ୍ୱବହନ କରୁଛି। ସମସ୍ତ ରାଜ୍ୟ ସରକାର ଏକତ୍ରିତ ହୋଇ ସାଧାରଣଲୋକଙ୍କ ସହାୟତା ଓ ଗରିବଙ୍କ ମାନଦଣ୍ଡ ବୃଦ୍ଧି କରିବାକୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ। ଆଜି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଷଷ୍ଠ ନୀତି ଆୟୋଗର ପରିଚାଳନା ପରିଷଦ ବୈଠକ ବସିଥିଲା, ଯେଉଁଥରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଯୋଗଦେଇଥିଲେ।