କରୋନା ଟିକା ନେବା ନେଇ ଏମିତି ସୂଚନା ଦେଲେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ

ଭୁବନେଶ୍ୱର: ପ୍ରଥମ ଡୋଜ୍‌ ପାଇଁ ଯଦି ଜଣେ ଗୋଟିଏ ସ୍ଥାନରେ ପଞ୍ଜୀକରଣ କରିଛନ୍ତି କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କର ଅନ୍ୟ ସ୍ଥାନକୁ ବଦଳି ହୋଇଛି କିମ୍ବା ଅନ୍ୟ ସ୍ଥାନକୁ ଆସିଛନ୍ତି ସେଠି ତାଙ୍କୁ ଟିକା ଦେବାର ବ୍ୟବସ୍ଥା କରାଯାଇଛି। ଆଜି ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ରାଜ୍ୟରେ ଟିକାକରଣ ସୁରୁଖୁରୁରେ ଚାଲିଛି। ୧୬ ହଜାରରୁ ଅଧିକ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆ ହୋଇଛି। ୧୩ଟି ଜିଲ୍ଲାରେ ଶତପ୍ରତିଶତରୁ ଅଧିକ ଟିକାକରଣ ହୋଇଥିବା ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ଯେଉଁମାନଙ୍କୁ ଟିକା ଦିଆଯାଇ ନାହିଁ ସେମାନଙ୍କୁ ପୁଣି ଥରେ ଟିକା ଦେବାର ବ୍ୟବସ୍ଥା ହେବ। ଆଜି ୯୨ଟି ସେସନ୍‌ରେ ଟିକାକରଣ ହେବ। ଗତକାଲି ତିନି ଜଣଙ୍କ ପାଖରେ ସାମାନ୍ୟ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଇଥିଲା। ତେବେ ଏହି ସମସ୍ତ ଟିକା ନେଇଥିବା ବ୍ୟକ୍ତି ଏବେ ସୁସ୍ଥ ଥିବା ସେ ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ, କରୋନା ଟିକା ନ ନେଇ ମଧ୍ୟ ଜଣେ କୋଭିଡ୍‌ ଯୋଦ୍ଧାଙ୍କ ନିକଟକୁ ଅଭିନନ୍ଦନର ବାର୍ତ୍ତା ଅର୍ଥାତ୍‌ ଅଭିନନ୍ଦନ ମେସେଜ୍ ମୋବାଇଲ୍‌କୁ ଆସିଛି। ପୁରୀରୁ ଏଭଳି ଅଭିଯୋଗ ଆସିଛି। ପୁରୀର ପଙ୍କଜିନୀ ସ୍ୱାଇଁ ନାମକ ଜଣେ ସ୍ୱାସ୍ଥ୍ୟକର୍ମୀ ଏଭଳି ଅଭିଯୋଗ ଆଣିଛନ୍ତି।

You might also like