• translate
Prangyan Parimita

ଆସିକା(ମନୋଜ ମୁନୀ):  କବି। ଶଦ୍ଦକୁ ଶବ୍ଦରେ ଛନ୍ଦି ଦୁନିଆଁ ବୁକୁରେ ଆଙ୍କି ପାରନ୍ତି ଦୀନ ଦଳିତର କରୁଣ ଛବି। ଇନ୍ଦ୍ରଧନୁର ସପ୍ତ ରଙ୍ଗକୁ ତୋଳି ଲେଖି ପକାନ୍ତି କେତେ ପ୍ରକାର କବିତା।  ଏମିତି ଜଣେ ନିଆରା କବି ହେଲେ ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଳକ ଅନ୍ତର୍ଗତ ବି.ନୂଆଁପଲ୍ଲୀ ଗାଁର ନନ୍ଦକିଶୋର ପ୍ରଧାନ। ସେ ଜଣେ ସାଧାରଣ ମଣିଷ , ହେଲେ ଅସାଧାରଣ ପ୍ରତିଭାର ଅଧିକାରୀ। ସ୍କୁଲ ବାରଣ୍ଡା ମାଡ଼ି ନାହାନ୍ତି,ତଥାପି ତାଙ୍କ ଲେଖନୀରୁ ଝରିପଡ଼ୁଛି ଧାଡ଼ି ଧାଡ଼ି ଛନ୍ଦ କବିତା ।

ନନ୍ଦକିଶୋର ବୟସ ୫୪ । ଘରେ ହେଉ କି ବାହାରେ, ସାଙ୍ଗସାଥୀ ମେଳରେ ହେଉ କି ସଭାସମିତିରେ  କଥା କଥାରେ କବିତା ହି ତାଙ୍କ ସ୍ୱତନ୍ତ୍ର ପରିଚୟ। ସାଂପ୍ରତିକ ସମସ୍ୟା ହେଉ ଓ ଆଖି ଆଗରେ ପଡୁଥିବା ଘଟଣାବଳୀ ଗୁଡ଼ିକ ଛନ୍ଦକବିତା ଭାବେ ତାଙ୍କ ମୁହଁରୁ ବାହାରି ଆସେ । ନନ୍ଦକିଶୋରଙ୍କ କବିତା ଗୁଡ଼ିକ, ସଚେତନ, ସମାଲୋଚନା ଓ ବ୍ୟଙ୍ଗ ଶୈଳୀରେ ରଚିତ । ମାତ୍ର ୧୫ ବର୍ଷ ବୟସରୁ ସେ ଏହି କବିତା ପ୍ରତି ଆକୃଷ୍ଟ ହୋଇଥିଲେ । ହେଲେ ଶିକ୍ଷାର ଅଭାବ ଯୋଗୁଁ ଜଣେ ଶିକ୍ଷକ ଙ୍କ ପାଖରେ କିଛି ଦିନ ଟିଉସନ୍ ଯାଇ ଅକ୍ଷର ଶିଖିଲେ। ତାପର ଠାରୁ ସେ ନିଜର ସାହିତ୍ୟ ସାଧନା ଆରମ୍ଭ କଲେ। ଗୋଟିଏ ପରେ ଗୋଟିଏ  କବିତା ଲେଖିବା ସହ ଚାଷକାର୍ଯ୍ୟ କରି ପରିବାର ଚଳାଇଲେ। ଏବେ ସେ ଜଣେ ଚର୍ଚ୍ଚିତ କବି ଭାବେ ନିଜ ପରିଚୟ ସୃଷ୍ଟି କରିଛନ୍ତି ।

ଆଜି ପର୍ଯ୍ୟନ୍ତ ନନ୍ଦକିଶୋର , ୩୦୦୦ ରୁ ଉର୍ଦ୍ଧ୍ୱ  କବିତା ଲେଖିସାରିଲେଣି । ୧୮ ଛୋଟବଡ ବହି ସଂକଳନ କରିଛନ୍ତି । ହେଲେ ଗରୀବ ଅବସ୍ଥା ଓ ଅର୍ଥାଭାବ ଯୋଗୁ , ଲିଖିତ ପାଣ୍ଡୁଲିପି ଗୁଡ଼ିକୁ ଅଖାବସ୍ତା ଭିତରେ ବାନ୍ଧି ରଖିବାକୁ ପଡୁଛି ତାଙ୍କୁ । ତେବେ ନନ୍ଦକିଶୋର ଙ୍କ ଶିକ୍ଷାଗତ ଯୋଗ୍ୟତା କଥା ଜାଣିଲେ, ଯେକେହି ଘଡ଼ିଏ ଚିନ୍ତା କରିବାକୁ ବାଧ୍ୟ ହେବେ। କାରଣ ସେ କେବେ ପାଠ ପଢ଼ିବାକୁ ସ୍କୁଲ ବାରଣ୍ଡା ମାଡ଼ିନାହାନ୍ତି।

ନନ୍ଦକିଶୋର ଙ୍କ କବିତା “ ଚିଲିକା ଦର୍ଶନୀ କ୍ଷୋଭ “ ଉତ୍କଳ ବିଶ୍ୱବିଦ୍ୟାଳୟ ଠାରେ ଏକ ସାହିତ୍ୟ କାର୍ଯ୍ୟକ୍ରମ ରେ ଆଲୋଚନା ହେବାପରେ , ତାହାର ଇଂରାଜୀ ଅନୁବାଦ , ଉତ୍ତର କୋରିଆରେ ପହଞ୍ଚିଥିଲା ଏବଂ ଉତ୍ତର କୋରିଆ ଯିବାପାଇଁ ତାଙ୍କୁ ଡାକରା ଆସିଥିଲା । ହେଲେ ପାସପୋର୍ଟ ଓ ଭିସା ହୋଇନପାରିବାରୁ ନନ୍ଦକିଶୋରଙ୍କ ବିଦେଶଗସ୍ତ ଆଶା ମଉଳିଗଲା ।

ତେବେ ଅସାଧାରଣ ପ୍ରତିଭାବର ଅଧିକାରୀ ଏହି ମଣିଷ ଜଣକ ପାଇଁ କିଛି ଲୋଡ଼ା ନାହିଁ। ରହିଛି କେବଳ ଗୋଟିଏ ଦାବି । ବସ୍ତାରେ ବାନ୍ଧି ରଖିଥିବା ପାଣ୍ଡୁଲିପି ଗୁଡ଼ିକୁ ସାଇତି ରଖିବାକୁ, ଗୋଟିଏ ନିରାପଦ ସ୍ଥାନ ଓ ପାଠକଙ୍କ  ପାଇଁ ଏକ ପାଠାଗାର ପାଇଁ ସେ ସରକାରଙ୍କ ନିକଟରେ ଦାବି କରିଛନ୍ତି । ଏତକ ହୋଇଗଲେ , ସାରା ଜୀବନର ପରିଶ୍ରମ ସାର୍ଥକ ହୋଇଯିବ ବୋଲି କହନ୍ତି ନନ୍ଦକିଶୋର ।

ଅନ୍ୟପଟେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଓ କବିସୂର୍ଯ୍ୟ ବଳଦେବ ରଥ ଙ୍କ ଆଶୀର୍ବାଦ ଓ ଦୈବୀକୃପା ଦ୍ବାରା ଏଭଳି ସାହିତ୍ୟ ସାଧନା ସମ୍ଭବ ହୋଇପାରିଥିଲା କହିଛନ୍ତି ନନ୍ଦକିଶୋର । ତାଙ୍କର ଏଭଳି ବିଚକ୍ଷଣ ପ୍ରତିଭାକୁ ସମସ୍ତେ ପ୍ରଶଂସା କରିବା ସହ , ଆସନ୍ତା ଦିନରେ ଏକ ପାଠାଗାରର ବ୍ୟବସ୍ଥା କରିବାକୁ ଉଦ୍ୟମ କରାଯାଉଛି ବୋଲି କହିଛନ୍ତି ସ୍ଥାନୀୟ ସରପଞ୍ଚ। ନନ୍ଦକିଶୋରଙ୍କ ଭଳି ଜଣେ ବିରଳ ପ୍ରତିଭାଙ୍କୁ ସରକାରୀ ସ୍ତରରେ ପ୍ରତ୍ସୋହାନ ଯୋଗାଇ ଦିଆଗଲେ ଜଣେ କବି ଓ ତାଙ୍କ ସୃଜନଶୀଳତା ପ୍ରତି ଶ୍ରେଷ୍ଠ ସମ୍ମାନ ବୋଲି ବୁଦ୍ଧିଜୀବୀମାନେ ମତ ରଖିଛନ୍ତି ।

Other Stories