କଟକ ସହରରେ ବଢୁଛି ସ୍କେଟିଂର ଚାହିଦା : ପିଲାଙ୍କ ଠାରୁ ଆରମ୍ଭ କରି ଯୁବବର୍ଗ ମଧ୍ୟରେ ଆଗ୍ରହ

କଟକ : କଟକ ସହରରେ ଦିନକୁ ଦିନ ବଢୁଛି ସ୍କେଟିଂର ଚାହିଦା । ପିଲାଙ୍କଠୁ ଆରମ୍ଭ କରି ଯୁବବର୍ଗ ସ୍କେଟିଂରେ ବେଶ ଆଗ୍ରହ ଦେଖାଉଛନ୍ତି । ସରକାରୀ ପ୍ରୋତ୍ସାହନ ମିଳିଲେ ସ୍କେଟିଂରେ ବି ଆମ ରାଜ୍ୟର ପିଲା ଗୌରବ ଆଣିବେ ବୋଲି ମତପ୍ରକାଶ କରିଛନ୍ତି ସ୍ଥାନୀୟ ଲୋକେ ।

ସଞ୍ଜ ନଇଁବା ପୂର୍ବରୁ କଟକ ନଦୀପଠା ରାସ୍ତାରେ ସ୍କେଟିଂର ଆସର । ବେଲ ଭ୍ୟୁ ଛକରୁ ନରାଜ ରାସ୍ତାରେ କୁନି କୁନି ପିଲାଙ୍କଠୁ ଆରମ୍ଭ କରି ଯୁବ ପିଢୀ ସମସ୍ତେ ନେଉଛନ୍ତି ସ୍କେଟିଂର ମଜା ।  ବେଲ ଭ୍ୟୁ ଛକରୁ ନରାଜ ରାସ୍ତାରେ ସ୍କେଟିଂ କରିବାକୁ ଲାଗୁଛି ଗହଳି  । କିଏ ସ୍କେଟିଂ କରି ଆନନ୍ଦ ପାଉଛି ତ ଆଉ କିଏ ଦର୍ଶକ ସାଜିଛି । କେହି କେହି ଏହାକୁ କ୍ୟାରିୟର କରିବାକୁ ଚାହୁଁଛି । ତେବେ ସ୍କେଟିଂ ଅଭ୍ୟାସ ବେଳେ ବାରମ୍ବାର ବାରମ୍ବାର ପଡ଼ିବା ପରେ ମଧ୍ୟ ପୁଣି ଉଠି ଅଭ୍ୟାସ କରୁଛନ୍ତି  । କାରଣ ସେମାନଙ୍କ ଲକ୍ଷ୍ୟ ରାଜ୍ୟ ଓ ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଭାଗନେବା । ଆଉ ଏଥିପାଇଁ ପିଲାଙ୍କୁ ଟ୍ରେନିଂ ଦେଉଛନ୍ତି ସ୍କେଟିଂ କୋଚ୍ ।

୨୦୦୯ରେ ମାତ୍ର ୨୦ରୁ ୨୫ ଜଣ ପିଲାଙ୍କୁ ନେଇ ସ୍କେଟିଂ ଟ୍ରେନିଂ ଆରମ୍ଭ କରିଥିଲେ । ସ୍କେଟିଂ କୋଚ ନିମିଶ୍ ଶର୍ମା ଏବେ କିନ୍ତୁ ପ୍ରାୟ ଦେଢଶହ ପିଲାଙ୍କୁ କୋଚିଂ ଦେଉଛନ୍ତି ।  ଦିନକୁ ଦିନ ସ୍କେଟିଂ ପ୍ରତି ପିଲାଙ୍କ ସହ ଯୁବ ଗୋଷ୍ଠୀଙ୍କ ଆଗ୍ରହ ବଢୁଛି । ହେଲେ ସ୍କେଟିଂକୁ ସରକାରୀ ପ୍ରୋତ୍ସାହନ ମିଳିଲେ ରାଜ୍ୟ ଓ ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେଇ ପିଲାମାନେ ମେଡାଲ ଆଣିପାରିବେ ବୋଲି କୋଚ୍ କହିଛନ୍ତି ।

You might also like