କୁଚିଣ୍ଡା : ପୁଣି ସାମ୍ନାକୁ ଆସିଲା ଦାଦନ ଯନ୍ତ୍ରଣାର ଏକ ଉଦ୍ବେଗଜନକ ଚିତ୍ର। ସମ୍ବଲପୁର ଜିଲ୍ଲା କୁଚିଣ୍ଡା କେଶାଇବାହାଲର ଜଣେ ଯୁବକ ଦାଦନ ଖଟିବାକୁ ଚେନ୍ନାଇ ଯାଇଥିବା ବେଳେ, ସେଠାରେ ତାଙ୍କର କିଡ୍ନୀ ଚୋରି ଉଦ୍ୟମ ହୋଇଥିବା ଅଭିଯୋଗ ଆଣିଛନ୍ତି।
ଯୁବକଙ୍କ ନାଁ ଦିନୁ ନାଏକ। ଦିନୁଙ୍କ ଅଜାଣତରେ ତାଙ୍କ ପେଟ ଚିରା ଯାଇ ସିଲେଇ ହୋଇଥିବା ଦେଖିବାକୁ ମିଳିଛି। ଅଭିଯୋଗ ଅନୁସାରେ, ଗତ ୧୬ ତାରିଖରେ ଚେନ୍ନାଇ ସେଣ୍ଟ୍ରାଲ୍ ଷ୍ଟେସନରେ ପହଞ୍ଚି ସେଠାରେ ରାତିରେ ରହିବା ପରେ ସକାଳୁ ସେଠାରେ କିଛି ଯୁବକ ଗଣ୍ଡଗୋଳ କରୁଥିବା ଦେଖିବାକୁ ପାଇଥିଲେ। ପରେ ସେମାନଙ୍କ ମଧ୍ୟରୁ ୪ ଜଣ ଯୁବକ ଦିନୁଙ୍କୁ ଗୋଡ଼ାଇବାରୁ ସେ ଦୌଡ଼ିବା ବେଳେ ପଡ଼ିଯାଇ ଅଚେତ ହୋଇଯାଇଥିଲେ ।
ତେବେ ଚେତା ଫେରିବା ବେଳକୁ ଦିନୁ ଏକ ବଡ଼ ଡାକ୍ତରଖାନାରେ ଥିଲେ ଏବଂ ତାଙ୍କ ପେଟର ଦୁଇପଟ କଟାଯାଇ ଷ୍ଟିଚ୍ ପଡ଼ିଥିବା ଦେଖିବାକୁ ପାଇଥିଲେ। ସେଠାରୁ ଘରକୁ ଫେରିଆସି କିଡ୍ନୀ ଚୋରି ହୋଇଥିବା ଭୟରେ ମହୁଲପାଲିରେ ଅଭିଯୋଗ କରିବା ସହ ଝାରସୁଗୁଡ଼ାର ଏକ ହସ୍ପିଟାଲରେ ଡାକ୍ତରୀ ପରୀକ୍ଷା କରାଇଥିଲେ।
କିନ୍ତୁ ମେଡିକାଲ୍ ରିପୋର୍ଟରେ ତାଙ୍କର ସବୁ ଅଙ୍ଗ ପ୍ରତ୍ୟଙ୍ଗ ଠିକ୍ ଥିବା ଜଣାପଡ଼ିବା ପରେ, ହୁଏତ କିଡ୍ନୀ ଚୋରି ପାଇଁ ଉଦ୍ୟମ ହୋଇଥିବା ସନ୍ଦେହ କରାଯାଉଛି। ତେବେ ଏନେଇ ପୁଲିସ ପ୍ରତିକ୍ରିୟା ଦେବାକୁ ମନା କରିଛି।