ଅଜ୍ଞାତ ସ୍ଥାନରୁ ଉଦ୍ଧାର ହେଲେ ଅପହୃତ ବ୍ୟବସାୟୀ

ସମ୍ବଲପୁର: ଅଜ୍ଞାତ ସ୍ଥାନରୁ ଉଦ୍ଧାର ହେଲେ ଅପହୃତ ବ୍ୟବସାୟୀ। ସମ୍ବଲପୁର ଜିଲ୍ଲା ଶାସନ ଥାନା ଅନ୍ତର୍ଗତ ଶାସନ ଛକ ନିକଟରୁ ଗତକାଲି ଅପହୃତ ହୋଇଥିବା ଜଣେ ବ୍ୟବସାୟୀଙ୍କୁ ଉଦ୍ଧାର କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ଏକ ଅଜ୍ଞାତ ସ୍ଥାନରୁ ତାଙ୍କୁ ପୁଲିସ୍ ଉଦ୍ଧାର କରିଛି।

ସୂଚନାଯୋଗ୍ୟ, ଗତକାଲି ଅପରାହ୍ନ ୨ଟାରେ ସମ୍ବଲପୁର ଜିଲ୍ଲା ରେମେଡ୍‌ ଅଞ୍ଚଳର ଜଣେ ବ୍ୟବସାୟୀ କାର୍‌ରେ ଯାଉଥିବାବେଳେ ଶାସନ ଥାନା ଅନ୍ତର୍ଗତ ସମ୍ବଲପୁର-ଝାରସୁଗୁଡା ରାଜ୍ୟ ରାଜପଥ ଶାସନ ଛକ ନିକଟରେ କିଛି ଦୁର୍ବୃତ୍ତ ଆସି ତାଙ୍କ ଗାଡ଼ିକୁ ଅଟକାଇଥିଲେ। ଏହାପରେ ଜୋର ଜବରଦସ୍ତ ବ୍ୟବସାୟୀ ‌ଉଠାଇ ନେଇଥିଲେ।

ଏନେଇ ସମ୍ପୃକ୍ତ ବ୍ୟବସାୟୀଙ୍କ ପୁଅ ଶାସନ ଥାନାରେ ଅଭିଯୋଗ କରିଥିଲେ। ପୁଲିସ୍ ତାଙ୍କ କାର୍‌ ଡ୍ରାଇଭରଙ୍କୁ ଅଟକ ରଖି ପଚରାଉଚରା କରିଥିଲା। ସମ୍ବଲପୁର ଏସ୍‌ପି ଘଟଣାସ୍ଥଳରେ ପହଞ୍ଚି ମଧ୍ୟ ତଦନ୍ତ କରିଥିଲେ। ବିଭିନ୍ନ ସ୍ଥାନରେ ଚଢ଼ାଉ ପରେ ଗତକାଲି ବିଳମ୍ବିତ ରାତିରେ ନରେଶଙ୍କୁ ଉଦ୍ଧାର କରାଯାଇଥିଲା।

ଅପହରଣର କାରଣ ଅସ୍ପଷ୍ଟ ଥିବା ବେଳେ ଅପହର୍ତ୍ତାଙ୍କୁ ଧରିବାକୁ ଉଦ୍ୟମ ଜାରି ରଖିଛି ପୁଲିସ୍‌।

You might also like