ଭୁବନେଶ୍ୱର: ଏବେ ଖୋଲିବନି ଖଣ୍ଡଗିରି, ଉଦୟଗିରି ସମେତ ୯ଟି ଐତିହ୍ୟ କୀର୍ତ୍ତିରାଜୀ। କୋଭିଡ୍ କଟକଣାକୁ ଦୃଷ୍ଟିରେ ରଖି ଜୁଲାଇ ୩୧ ପର୍ଯ୍ୟନ୍ତ ଏହିସବୁ ଐତିହ୍ୟ ସ୍ଥାନ ଖୋଲିବନି। ସଂକ୍ରମଣ ବ୍ୟାପିବା ଆଶଙ୍କାରୁ ଏସବୁକୁ ନ ଖୋଲିବାକୁ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ। ଏନେଇ ASI ଓଡ଼ିଶା ସର୍କଲ ମୁଖ୍ୟଙ୍କୁ ଖୋର୍ଦ୍ଧା ଜିଲ୍ଲାପାଳ ଚିଠି ଲେଖିଛନ୍ତି।
ଆସନ୍ତାକାଲି ଅର୍ଥାତ୍ ଜୁଲାଇ ୬ ତାରିଖ ଓଡ଼ିଶାର କିଛି ଦର୍ଶନୀୟ ସ୍ଥାନ ଖୋଲିବାକୁ ASI ନିଷ୍ପତ୍ତି ନେଇଥିଲା। ଏହା ଭିତରେ ଖଣ୍ଡଗିରି, ଉଦୟଗିରି ଓ ଧଉଳି ଏଥିସହ ରାଜାରାଣୀ ମନ୍ଦିର। ତା ସହିତ ବାରବାଟୀ ଦୁର୍ଗ, ଲଳିତଗିରି, ରତ୍ନଗିରି, ଚଉଷଠି ଯୋଗିନୀ ମନ୍ଦିର, ଅସୁରଗଡ଼ ଦୁର୍ଗ ଖୋଲିବାକୁ ନିଷ୍ପତ୍ତି ହୋଇଥିଲା। ତେବେ ଐତିହ୍ୟ ସ୍ଥଳୀ ଖୋଲିବା ନିଷ୍ପତ୍ତି ଜିଲ୍ଲା ପ୍ରଶାସନ ଉପରେ ଛଡ଼ାଯାଇଥିଲା। ସେହି ଆଧାରରରେ ଖଣ୍ଡଗିରି, ଉଦୟଗିରି ସମେତ ୯ଟି ଐତିହ୍ୟ କୀର୍ତ୍ତିରାଜୀ ନ ଖୋଲିବାକୁ ଖୋର୍ଦ୍ଧା ଜିଲ୍ଲାପାଳ ASI ଓଡ଼ିଶା ସର୍କଲ ମୁଖ୍ୟଙ୍କୁ ଚିଠି ଲେଖି ଜଣାଇଛନ୍ତି।
ତେବେ ପୂର୍ବରୁ କୋଣାର୍କ ସୂର୍ଯ୍ୟ ମନ୍ଦିର ଖୋଲିବ ନେଇ କହିଥିବା ବେଳେ ଗତକାଲି ମନ୍ଦିର ଖୋଲିବ ନାହିଁ ବୋଲି ସ୍ପଷ୍ଟ କରିଥିଲା ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା-ASI । ପୁରୀ ଜିଲ୍ଲା ପ୍ରଶାସନର କଟକଣା ଥିବାରୁ କୋଣାର୍କ ଖୋଲିବନି ବୋଲି ଏଏସ୍ଆଇ ପକ୍ଷରୁ କୁହାଯାଇଥିଲା। କରୋନା ମହାମାରୀ ପାଇଁ ଏହି ଦର୍ଶନୀୟ ସ୍ଥାନଗୁଡ଼ିକ ୩ ମାସ ଧରି ବନ୍ଦ ରହିଛି।