ସାରୁଅ ମାମଲାରେ ବାଘମାରୀ ଥାନା ପୋଲିସ୍‌କୁ କୋର୍ଟଙ୍କ କଡ଼ା ନିର୍ଦ୍ଦେଶ

ଭୁବନେଶ୍ୱର: ସାରୁଅ ମାମଲାରେ ବାଘମାରୀ ଥାନା ପୋଲିସ୍‌କୁ ଖୋର୍ଦ୍ଧା SDJM କୋର୍ଟଙ୍କ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶା ଟେଲିଭିଜିନ୍ ଲିମିଟେଡ୍ ପକ୍ଷରୁ ସମସ୍ତ ୩ଟି ଘଟଣାରେ ଦାୟର ଏତଲା ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।

ଏଥିସହିତ ସମସ୍ତ ମାମଲାର ତଦନ୍ତ କରି ଆସନ୍ତା ଡିସେମ୍ବର ୧୫ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଜାରି ହୋଇଛି। ଏହି ତିନି ମାମଲା ହେଲା, ଗତ ଅକ୍ଟୋବର ୧୫ ତାରିଖରେ ବିନା ନୋଟିସ୍‌ରେ ସାରୁଅ ସ୍ଥିତ ଓଟିଭି ଷ୍ଟୁଡିଓ କଂପ୍ଳେକ୍ସର ପାଚେରି ଭାଙ୍ଗିବା ଓ କଂପ୍ଳେକ୍ସ ଭିତରକୁ ଜବରଦସ୍ତ ପଶିବା, ଅକ୍ଟୋବର ୩୧ରେ ସାରୁଅ ଷ୍ଟୁଡିଓ କଂପ୍ଳେକ୍ସରେ କାର୍ଯ୍ୟରତ ସାଇଟ୍ ଇଞ୍ଜିନିୟର ଦୀନବନ୍ଧୁ ସାମନ୍ତ ଓ ସୁପର୍ ଭାଇଜର୍ ବିଶ୍ୱଜିତ ରାଉତରାୟଙ୍କୁ କିଛି ଠିକା କର୍ମଚାରୀ ମାଡ଼ ମାରିବା ଏବଂ ତୃତୀୟ ଘଟଣା ହେଲା ବେଆଇନ ଭାବେ ସାରୁଅ ଷ୍ଟୁଡିଓ କଂପ୍ଳେକ୍ସକୁ ଗତ ନଭେମ୍ବର ୧ ତାରିଖରୁ ଘେରାଉ କରି ରଖିବା। ଏହି ୩ଟି ମାମଲାକୁ ରେଜିଷ୍ଟ୍ରି କରି ତଦନ୍ତ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ପୂର୍ବରୁ ଏସବୁ ମାମଲାରେ ବାଘମାରି ପୋଲିସ୍ ପ୍ରତିପକ୍ଷର ଏତଲା ଗ୍ରହଣ କରିଥିଲେ ବି ଓଟିଭି ପକ୍ଷରୁ ଦିଆଯାଇଥିବା ଏତଲା ଗ୍ରହଣ କରିନଥିଲେ। ଓଟିଭି ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ଚିନ୍ମୟ ମହାନ୍ତି ଏହି ସୂଚନା ଦେଇଛନ୍ତି।

You might also like