ଆମେ ବି କେତେ ବେଳେ ମରିଯିବୁ କେହି କହିପାରିବେ ନାହିଁ -ପ୍ରକାଶ ବେହେରା

ଓଡ଼ିଶା ଏକ ଶାନ୍ତି ପ୍ରିୟ ରାଜ୍ୟ। ଇତିହାସ ପୃଷ୍ଠାକୁ ଲେଉଟାଇ ଦେଖିଲେ ଏହା ସ୍ପଷ୍ଟ ଜଣାପଡ଼େ। ଯୁଦ୍ଧ ପିପାସୁ ସମ୍ରାଟ ଅଶୋକ ଏଇଠି ଚଣ୍ଡାଶୋକରୁ ଧର୍ମାଶୋକ ହୋଇଥିଲେ। କିନ୍ତୁ ସାମ୍ପ୍ରତିକ ଓଡ଼ିଶା ରଜନୀତି ମଣିଷ ରକ୍ତରେ ଏବେ ହୋଲି ଖେଳୁଛି। ରାଜନୀତିରେ ବଢିବାରେ ଲାଗିଛି ଅପରାଧ ପ୍ରବଣତା। ଆଉ ଏହାର ପ୍ରୟୋଗଶାଳା କରାଯାଇଛି କଟକର ମାହାଙ୍ଗାକୁ। ତେଣୁ ମାହାଙ୍ଗା ରାଜନୀତି କାହା ପାଇଁ ମହଙ୍ଗା ପଡିବ? ଏନେଇ ଜାଣନ୍ତୁ କଣ କହୁଛନ୍ତି କଟକ ବିଜେପି ଜିଲ୍ଲା ସଭାପତି ପ୍ରକାଶ ଚନ୍ଦ୍ର ବେହେରା।

ଓଟିଭି: ଏବେ ରାଜ୍ୟ ରାଜନୀତି କେନ୍ଦ୍ର ବିନ୍ଦୁ ମାହାଙ୍ଗା, ସେଠାକାର ରାଜନୀତି ମଧ୍ୟ ବେଶ ଚର୍ଚ୍ଚାରେ: କେମିତି ଅଛି ଏବେର ସ୍ଥିତି?

ଉତ୍ତର- ରାଜନୀତିରେ ଦୁର୍ନୀତି ଏବେ ମୂଳ ଜିନିଷ ପାଲଟିଛି । ଦୁର୍ନୀତିକୁ ଯିଏ ରୋକିବାକୁ ଚାହିଁଲା, ତାହା ବିରୋଧରେ ଯିଏ ସ୍ୱର ଉତ୍ତୋଳନ କରିବାକୁ ଚାହିଁଲା ତାହା ପାଇଁ ରାଜନୀତି ମହଙ୍ଗା ନିଶ୍ଚୟ ପଡ଼ିବ। ଏ କଥା ବିଜେଡ଼ିର ନେତା ତଥା ସ୍ଥାନୀୟ ଅଂଚଳର ବିଧାୟକ ପ୍ରତାପ ଜେନା ପ୍ରମାଣିତ କରିଛନ୍ତି।

ଓଟିଭି- ସ୍ଥାନୀୟ ଡବଲ ମର୍ଡରର ଯିଏ ମୁଖ୍ୟ ଅଭିଯୁକ୍ତ ଥିଲେ ପ୍ରଫୁଲ୍ଲ, ତାଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ନା ଦୁର୍ଘଟଣା?

ଉତ୍ତର-ଏ କଥା ତ ସମୟ କହିବ। କିନ୍ତୁ ଯେଉଁମାନେ ଘଟଣାରେ ଜଡିତ ଥିଲେ, ସେହି ସ୍ଥାନକୁ ଯାଇଥିଲେ ସେମାନେ କେବେ ବି କହିବେ ନାହିଁ ଏହା ଆତ୍ମହତ୍ୟା ବୋଲି। ଏହା ସୁପରିକଳ୍ପିତ ହତ୍ୟା। ଏହି ଷଡଯନ୍ତ୍ରକୁ ନେଇ ଆମେ ବହୁ ଆଗରୁ କହିଛୁ।

ଓଟିଭି- କେବଳ କଥାରେ କହିଲେ ହେବ ନାହିଁ…ପ୍ରମାଣ ଓ ତଥ୍ୟ ଅଛି କି ନାହିଁ?

ଉତ୍ତର- ଯେଉଁ ସମୟରେ ଆମର ୨ ବିଜେପି ନେତାଙ୍କୁ  ହତ୍ୟା କରାଗଲା, ଆମେ ସେହି ସମୟରୁ ହିଁ ଏକଥା କହି ଆସୁଛୁ। ମୃତ କୁଳମଣି ବାବୁଙ୍କ ଅତ୍ୟନ୍ତ ଘନିଷ୍ଠ ଥିଲେ ପ୍ରଫ‍ଲ୍ଲ। ପରେ ପ୍ରଫୁଲ୍ଲଙ୍କୁ ଆଇନମନ୍ତ୍ରୀ ତାଙ୍କୁ ନିଜ ସପକ୍ଷକୁ ଆଣିଥିଲେ। କେବଳ ଆଣିଥିଲେ ତାହା ନୁହେଁ, ତାଙ୍କ ଦ୍ୱାରା ବିକାଶ ଜେନାଙ୍କ ହତ୍ୟା ମଧ୍ୟ କରାଇଥିଲେ। ଆରଟିଆଇରେ ସେ ତଥ୍ୟ ମାଗୁଥିବାରୁ ବିକଶ ଟାର୍ଗେଟରେ ଥିଲେ। ଏହାସହ ଆହୁରି ୨ମର୍ଡର କେସ ପ୍ରଫୁଲଙ୍କ ମାଧ୍ୟମରେ କରାଯାଇଛି।

ଓଟିଭି-୨୦୧୮ରେ ବିକାଶଙ୍କ ହତ୍ୟା କରାଯାଇଥିଲା, ଆଉ ସେତେବେଳେ ପ୍ରଫୁଲଙ୍କ ପାଖରେ ଆଇନ ପହଞ୍ଚି ପାରି ନ ଥିଲା? କିନ୍ତୁ ପ୍ରଫୁଲ୍ଲ ଆଇନମନ୍ତ୍ରୀଙ୍କ ପାଖରେ ପହଞ୍ଚିଲେ…ଏହା କେମିତି ସମ୍ଭବ ହେଲା ?

ଉତ୍ତର-କେବଳ ସେ ମନ୍ତ୍ରୀଙ୍କ ପାଖରେ ପହଞ୍ଚିନଥିଲେ ବରଂ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏନେଇ ଆମ ରାଜ୍ୟ ସଭାପତିଙ୍କ ସହ ଆମେମାନେ ପ୍ରଶାସନ ସହ ଆଲୋଚନା କରିଥିଲୁ । କିନ୍ତୁ କିଛି ହେଲା ନାହିଁ।

ଓଟିଭି-ଏତେ କହିବା ଓ ତଦାରଖ କରିବା ପରେ ବି କାହିଁକି ଶୁଣୁନାହାନ୍ତି ସରକାର?

ଉତ୍ତର-ନାଁ, ଆମେ ମାନେ କହିଥିଲୁ ତାଙ୍କୁ ଗିରଫ କରାନଗଲେ ପୁଣି ହତ୍ୟାକାଣ୍ଡ ଘଟିବ। ଆଉ ପରେ ପୁଣି ୨  ହତ୍ୟାକାଣ୍ଡ ଘଟିଲା।

ଓଟିଭି- ଅନେକ ସ୍ଥାନରେ ଦୁର୍ନୀତି ସାମ୍ନାକୁ ଆସୁଛି, କିନ୍ତୁ ମାହାଙ୍ଗାରେ କାହିଁକି ହତ୍ୟାକାଣ୍ଡ ହେଉଛି?

ଉତ୍ତର-ଯେଉଁ ସମୟରେ ଦୁର୍ନୀତି କଥା ଆସେ ସେହି ସମୟରେ ମୁଖ୍ୟମନ୍ତ୍ରୀ ଝାଡି ହୋଇ ପଡନ୍ତି। କିନ୍ତୁ ଏ ମନ୍ତ୍ରୀ ଜଣକ ଏତେ ପାୱାରଫୁଲ ଯେ, ନାଁ ମୁଖ୍ୟମନ୍ତ୍ରୀ ନା ଥାର୍ଡ ଫ୍ଲୋର୍ ତାଙ୍କ ଦେହରେ ହାତ ମାରିବାକୁ ସାହାସ କରୁନାହାନ୍ତି। ମୁଖ୍ୟମନ୍ତ୍ରୀ ରାଜ୍ୟ ଓ ବିଜେଡିର ମୁଖ୍ୟ ହେବା ସହ ଗୃହ ବିଭାଗର ମଧ୍ୟ ମୁଖ୍ୟ। ତାଙ୍କ ପାଖରେ ତଥ୍ୟ ନାହିଁ ଯଦି ଆଉ କାହା ପାଖରେ ରହିବ ତଥ୍ୟ?

ଓଟିଭି-ରାସ୍ତାରୁ ମୋବାଇଲ ମିଳିଲା, ହେଲମେଟ୍ ମିଳିଲା ଆଉ ପକେଟ ଚିରିକୁଟିରୁ ସ୍ତ୍ରୀଙ୍କ ନମ୍ବର ମିଳିଲା, ଇଏ କେମିତିକା ଦୁର୍ଘଟଣା?

ଉତ୍ତର-ହେଲମେଟ କି ମୋବାଇଲ କିମ୍ବା ବାଇକର କୌଣସି କ୍ଷତି ହୋଇନାହିଁ। ଏମିତି କି ପକେଟରେ ଥିବା କାଗଜ ବି ସୁରକ୍ଷିତ ଥିଲା। ପୂରା ଘଟଣା ସ୍ପଷ୍ଟ ଅଛି। ଯିଏ ୨ ବର୍ଷ ହେଲା ସୁରକ୍ଷିତ ଥିଲେ। ଏମିତି ମାସକରେ ସିଏ ପୂରା ଅସୁରକ୍ଷିତ କେମିତି ହୋଇଗଲେ?

ଓଟିଭି-ଯେଉଁ ଟ୍ରାନ୍ସଫୋର୍ଟ ଅଫିସ ପାଖରୁ ଶବ ମିଳିଲା ସେ ଅଫିସ କାହାର?

ଉତ୍ତର- ସେ ଅଫିସ ହିଁ ମାହାଙ୍ଗା ବିଧାୟକଙ୍କର। ଏହା କେମିତି ସଂଯୋଗ ହେବ? ଜଣଙ୍କୁ ନିମାପଡାରୁ ପୋଲିସ ଟ୍ରାକିଂ କରୁଛି। ତାଙ୍କୁ କୋଉଠି ମରିବାକୁ ମିଳିଲା ନାହିଁ ଯେ, ସିଧା ଆସି ମନ୍ତ୍ରୀଙ୍କ ଟ୍ରାନ୍ସପୋର୍ଟ ଅଫିସ ଆଗରେ ଆସି ମଲେ। ସେହି ଟ୍ରାନ୍ସପୋର୍ଟ ଅଫିସ ହିଁ ତାଙ୍କର ଠିକଣା ସ୍ଥଳ।

ଓଟିଭି-ମନ୍ତ୍ରୀଙ୍କ ନାଁରେ ୩୦୨ ଲାଗିଥିଲେ ବି କେବେ ଥାନାକୁ ଡକାଯାଇନାହିଁ କି ପଚରାଉଚରା ମଧ୍ୟ ହୋଇନାହିଁ ?

ଉତ୍ତର-କେମିତି ଡାକିବେ? ସରକାର ଏତେ ମାତ୍ରାରେ ଦୁର୍ନୀତିରେ ଭରି ରହିଛନ୍ତି ସେମାନେ ଆଉ କାହାକୁ ମାନୁନାହାନ୍ତି। ପ୍ରଫୁଲ ଜେଲ ଯିବା ଲାଗି ରାଜି ଥିଲେ। ନହେଲେ ସେ ଫୋନ କାହିଁକି କରିଥାଆନ୍ତେ? ନିଜର ଚିରାଚରିତ ଶତ୍ରୁ ଅର୍ଥାତ୍‌ ଯାହାର ବାପାଙ୍କୁ  ସେ ହତ୍ୟା କରିଛନ୍ତି ତାଙ୍କୁ ଶେଷ ମୁହୂର୍ତ୍ତରେ କାହିଁକି ଫୋନ କଲେ?

ଓଟିଭି-କୁଳମଣି ଓ ଦିବ୍ୟସିଂହଙ୍କ ହତ୍ୟା ପଛର କାରଣ କଣ?

ଉତ୍ତର-ଏହା ସମ୍ପୂର୍ଣ୍ଣ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଓ ଷଡଯନ୍ତ୍ର। କାରଣ ଏମିତି କରିକି ସେମାନେ ପ୍ରମାଣ କରିବାକୁ ଚେଷ୍ଟା କଲେ କି ଦୁର୍ନୀତି, ଅପରାଧ କିମ୍ବା ମନ୍ତ୍ରୀଙ୍କ ବିରୋଧରେ ଆଉ କେହି ମୁହଁ ଖୋଲିବାକୁ ସାହାସ କରିବେ ନାହିଁ। କେବଳ ଭୟ ସୃଷ୍ଟି କରିବା ଲାଗି ଏମିତି କରାଯାଇଛି।

ଓଟିଭି-ଦୁର୍ନୀତି ବିରୋଧରେ ମୁହଁ ଖୋଲିବା ପାଇଁ ହତ୍ୟା ନାଁ ରାଜନୈତିକ କ୍ଷମତା ପାଇଁ ହତ୍ୟା?

ଉତ୍ତର-ଆମେ ସବୁବେଳେ କ୍ଷମତାରେ ରହିବୁ, ଆମକୁ କେହି କ୍ଷମତାରୁ ହଟାଇପାରିବେ ନାହିଁ ଏହା ଗୋଟେ । କିନ୍ତୁ ଆମେ ହଟିବାକୁ ଚାହୁଁନୁ,  କ୍ଷମତା ପାଇଁ କିଛି ବି କରିପାରିବୁ..ଏହା ଭିତରେ ଅପରାଧ ପ୍ରବଣତା ନିଶ୍ଚୟ ଆସିବ।

ଓଟିଭି-ଘଟଣାକୁ ନେଇ ଏତେ ତୁମ୍ଭିତୋଫାନ ପରେ ବି ମୁଖ୍ୟ ଅଭିଯୁକ୍ତ ଅବାଧରେ ଘୂରି ବୁଲୁଥିଲା କେମିତି?

ଉତ୍ତର-ଆଇନମନ୍ତ୍ରୀଙ୍କ ନାଁରେ ମାମଲା ହୋଇଛି।  କିନ୍ତୁ ପୋଲିସ ତାଙ୍କ ପାଖକୁ ଯିବାକୁ ସାହାସ କରିପାରିନାହିଁ। ଯଦି ପ୍ରଥମ ଦିନରୁ ଆଇନମନ୍ତ୍ରୀଙ୍କ ପାଖରେ ପୋଲିସ ପହଞ୍ଚି ଥାଆନ୍ତା  ଆଉ ଭଲରେ ତଦନ୍ତ ହୋଇଥାଆନ୍ତା ତେବେ ଆଉ ଗୋଟାଏ ହତ୍ୟାକାଣ୍ଡ ହୋଇ ନଥାନ୍ତା।

ଓଟିଭି-ରାଜ୍ୟର ୨ ମାମଲାରେ ବିଜେପି ମନ୍ତ୍ରୀଙ୍କ ଇସ୍ତଫା ଦାବି କଲା, କିନ୍ତୁ ସରକାର ଆପଣଙ୍କୁ ଆଡ ଆଖିରେ ବି ଦେଖିଲେ ନାହିଁ।

ଉତ୍ତର-ଯେତେବେଳେ ସରକାର ହିଟଲର ହୋଇଯିବେ, କାହାକୁ ମାନିବେ ନାହିଁ କି ଗଣତନ୍ତ୍ରକୁ ସମ୍ମାନ ଦେବେ ନାହିଁ। ସେଠି କଣ କରାଯାଇପାରିବ? ଏଠି ଯେଉଁ ନିର୍ବାଚନ ହେଉଛି ତାହା ହିଟଲର ପରି ହେଉଛି । ତେଣୁ ଏଠାରେ ନିର୍ବାଚନ ନହେଲେ ଭଲ।

ଓଟିଭି-ଯଦି ତନ୍ତ୍ର ଫେଲ ହେଉଛି ଆପଣ ଗଣ ପାଖକୁ କାହିଁକି ଯାଉନାହାନ୍ତି?

ଉତ୍ତର-ଲୋକଙ୍କ ସହ ଅଛୁ ବୋଲି ଡିଜିପି ଅଫିସ ଘେରାଉ ବେଳେ ଆମ ସାଙ୍ଗରେ ଶହ ଶହ ଲୋକ ଯାଇଥିଲେ। ମନ୍ତ୍ରୀ ଏତେ ସଚ୍ଚୋଟ ଦେଖାଉଛନ୍ତି ଯଦି ସେ ନିଜେ ତଦନ୍ତ ପରିସର ଭୁକ୍ତ ହେଉନାହାନ୍ତି କାହିଁକି ?

ଓଟିଭି-ଶାନ୍ତିପ୍ରିୟ ରାଜ୍ୟରେ ରାଜନୈତିକ ଅପରାଧିକରଣ ବଢିବା ପଛର କାରଣ କଣ?

ଉତ୍ତର-ଗୋଟିଏ ଦଳ ଲଗାତାର ଭାବରେ ଶାସନକ୍ଷମତାକୁ ଆସିଲେ ଦୁର୍ନୀତି ବଢିବ ହିଁ ବଢିବ। ଅପରାଧ ବଢିବ, ଯେତେବେଳେ ସେମାନେ ଭାବିବେ କ୍ଷମତା ଆମ ଜାଗିର, ସେତେବେଳେ ଆଉ କଣ ହେବ? ଆମ ଘର ଲୋକ ମାନସିକ ସ୍ତରରେ ମଧ୍ୟ ପ୍ରସ୍ତୁତ ଅଛନ୍ତି। କାରଣ ଆମେ ଘରୁ ବାହାରିଛୁ ସତ କେତେ ବେଳେ ଫେରିବୁ ତାହାର ଉତ୍ତର କାହା ପାଖରେ ନାହିଁ। ଏମିତି କି ଆମ ସହ କେଉଁଠି କଣ ହେବ ତାହା କହି ହେବ ନାହିଁ। ଆଉ ଥରେ ଚିନ୍ତା କରନ୍ତୁ ସାଧାରଣ ଲୋକ କେତେ ଆତଙ୍କିତ ଅବସ୍ଥାରେ ଏଠାରେ ଅଛନ୍ତି।

ମାହାଙ୍ଗା ନୁହେଁ ବରଂ ସାରା ରାଜ୍ୟରେ କେମିତି ଚାଲିଛି ରାଜନୀତି? ଆଉ କେମିତି ଚାଲୁଛନ୍ତି ରାଜନେତା, ଦେଖନ୍ତୁ ଏହି ଭିଡ଼ିଓରେ କଣ କହୁଛନ୍ତି ପ୍ରକାଶ…

You might also like