କରୋନା ସଂକ୍ରମଣ ବଢ଼ୁଥିବାରୁ ଓଡ଼ିଶାର ଏହି ୨ ସହରରେ କଡ଼ାକଡ଼ି ହେଲା କଟକଣା

  • ନୂଆପଡ଼ା ଜିଲ୍ଲାର ୨ ସହରରେ କଡ଼ା କଟକଣା
  • ଖଡ଼ିଆଳ NAC ଅଞ୍ଚଳ ଓ ଖଡ଼ିଆଳ ରୋଡ୍‌ ସହରରେ କଡ଼ା କଟକଣା
  • ଆସନ୍ତାକାଲି ସକାଳ ୬ଟାରୁ ୨୨ ତାରିଖ ଯାଏ ଖଡ଼ିଆଳ NAC ଅଞ୍ଚଳରେ କଟକଣା
  • ଆସନ୍ତାକାଲିଠୁ ଖଡ଼ିଆଳ NAC ଅଞ୍ଚଳରେ ସମସ୍ତ ଦୋକାନ, ବଜାର ବନ୍ଦ ରହିବ
  • କେବଳ ଅତ୍ୟାବଶ୍ୟକ ସେବାକୁ ଅନୁମତି ମିଳିବ। 

ନୂଆପଡ଼ା: କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ନୂଆପଡ଼ା ଜିଲ୍ଲାର ୨ ସହରରେ କଡ଼ା କଟକଣା ଲାଗୁ କରାଯାଇଛି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ NAC ଅଞ୍ଚଳ ଓ ଖଡ଼ିଆଳ ରୋଡ୍‌ ସହରରେ କଡ଼ା କଟକଣା ଲଗାଯାଇଛି। ଆସନ୍ତାକାଲି ସକାଳ ୬ଟାରୁ ୨୨ ତାରିଖ ଯାଏ ଖଡ଼ିଆଳ NAC ଅଞ୍ଚଳରେ କଟକଣା କଡ଼ାକଡ଼ି କରାଯାଇଛି। କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଉପଜିଲ୍ଲାପାଳ ଏଭଳି ନିଷ୍ପତ୍ତି ନେଇଛନ୍ତି। ଆସନ୍ତାକାଲିଠୁ ଖଡ଼ିଆଳ NAC ଅଞ୍ଚଳରେ ସମସ୍ତ ଦୋକାନ, ବଜାର ବନ୍ଦ ରହିବ। କେବଳ ଅତ୍ୟାବଶ୍ୟକୀୟ ସେବାକୁ ଅନୁମତି ମିଳିବ।

ସେହିପରି ଖଡ଼ିଆଳ ରୋଡ୍‌ ସହରରେ ଦିନକୁ ଦିନ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହାକୁ ରୋକିବା ଲାଗି ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ଅନୁସାରେ ଆଜି ସକାଳ ୬ଟାରୁ ଏପ୍ରିଲ ୨୧ ତାରିଖ ସକାଳ ୬ଟା ଯାଏ ସମସ୍ତ ଦୋକାନ, ବଜାର, ହୋଟେଲ୍‌, ରେଷ୍ଟୁରାଣ୍ଟ୍, ଢାବା, ବ୍ୟାଙ୍କ, ଅଫିସ୍‌, ଶିକ୍ଷା ଅନୁଷ୍ଠାନ, ବ୍ୟବସାୟିକ ପ୍ରତିଷ୍ଠାନ ତଥା ସମସ୍ତ ଯାନବାହାନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। କେବଳ ଅତ୍ୟାବଶ୍ୟକ ସେବାକୁ ଅନୁମତି ମିଳିଛି।

ଗତ ୨୪ ଘଣ୍ଟାରେ ରାଜ୍ୟରେ ୩,୧୦୮ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୩ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଖୋର୍ଦ୍ଧାରୁ ସର୍ବାଧିକ ୫୩୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୫୨୩ ଜଣ ଚିହ୍ନଟ ହୋଇଛନ୍ତି। ନୂଆପଡ଼ାରୁ ୧୪୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଅନ୍ୟପକ୍ଷେ, ଆସନ୍ତାକାଲିଠାରୁ ସାରା ରାଜ୍ୟରେ ନାଇଟ୍ କର୍ଫ୍ୟୁ ଲାଗୁ ହେବ। ପୂର୍ବରୁ ଛତିଶଗଡ଼ ସୀମାର ୧୦ଟି ଜିଲ୍ଲାର ସହାରାଞ୍ଚଳରେ ଲାଗୁ ହୋଇଥିବା ନାଇଟ୍ କର୍ଫ୍ୟୁର ଅବଧି ବଢ଼ି ଥିବାବେଳେ ରାଜ୍ୟର ଅନ୍ୟ ୨୦ ଜିଲ୍ଲାର ସହରାଞ୍ଚଳରେ ମଧ୍ୟ ଆସନ୍ତାକାଲିଠୁ ନାଇଟ୍ କର୍ଫ୍ୟୁ ଲାଗିବ। ନାଇଟ୍ କର୍ଫ୍ୟୁ ସମୟରେ ଅତ୍ୟାବଶ୍ୟକ ସେବାକୁ ଅନୁମତି ମିଳିବ। ଏଥିସହ ସମ୍ପୃକ୍ତ ବ୍ୟକ୍ତି ବିଶେଷ ନିଜ ନିଜର ପରିଚୟପତ୍ର ଦେଖାଇ ଯିବାଆସିବା କରିପାରିବେ। ଏଥିପାଇଁ କୌଣସି ସ୍ୱତନ୍ତ୍ର ପାସ୍ ଦିଆଯିବ ନାହିଁ।

You might also like