ପୁଣି ଫେରିଲା କି କରୋନା ? ଓଡ଼ିଶାର ଏହି ଗାଁରୁ ଚିହ୍ନଟ ହେଲେ ୧୯ କରୋନା ଆକ୍ରାନ୍ତ

ଆଠଗଡ଼(ନୀଳକଣ୍ଠ ଦୋରା): ଆଠଗଡକୁ ପୁଣି ଫେରିଲା କରୋନା। କଟକ ଜିଲ୍ଲା ଆଠଗଡ଼ ବ୍ଲକ୍‌ ଅନ୍ତର୍ଗତ ଖଣ୍ଡୁଆଳି ଗାଁରେ ଆଉ ୩ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଆକ୍ରାନ୍ତଙ୍କ ସଂଖ୍ୟା ୧୯ରେ ପହଞ୍ଚିଛି। ପୂର୍ବରୁ ଏହି ଗାଁରୁ ୧୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

କଣ୍ଟାକ୍ଟ ଟ୍ରେସିଂରେ ଆଉ ୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଆକ୍ରାନ୍ତଙ୍କ ମଧ୍ୟରୁ ଜଣଙ୍କୁ କଟକ ଏସ୍‌ସିବିକୁ ସ୍ଥାନାନ୍ତର କରାଯାଇଛି। ସଂପୃକ୍ତ ଅଞ୍ଚଳରେ ୭ ଜଣିଆ ଡାକ୍ତରୀ ଟିମ୍‌ ଅନୁଧ୍ୟାନ କରୁଛନ୍ତି। ଏହାସହ ଖଣ୍ଡୁଆଳି ଗାଁକୁ କଣ୍ଟେନ୍‌ମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି।

ଆଠଗଡ଼ ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତି ଆଗାମୀ ୭ ଦିନ ପାଇଁ ଖଣ୍ଡୁଆଳି ଗାଁକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରିଛନ୍ତି। କରୋନା ପଜିଟିଭ୍ ଚିହ୍ନଟ ପରେ ଆକ୍ରାନ୍ତଙ୍କୁ ହୋମ୍ ଆଇସୋଲେସନ୍‌ରେ ରଖାଯାଇଛି। ତେବେ କେଉଁମାନେ ଏମାନଙ୍କ ସହ ସଂସ୍ପର୍ଶରେ ଆସିଛନ୍ତି, କଣ୍ଟାକ୍ଟ ଟ୍ରେସିଂ କରାଯିବା ପରେ ପୁଣି ଟେଷ୍ଟିଂ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୦୬ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୧୯ ଜଣ କ୍ୱାରେଣ୍ଟିନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ୮୭ ଲୋକାଲ କେସ୍‌ ଥିବା ଜଣାଯାଇଛି। ୨୩ ଜିଲ୍ଲାରୁ ୨୦୬ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ୭ଟି ଜିଲ୍ଲାରୁ କେହି  ଚିହ୍ନଟ ହୋଇ ନା ଥିବା ସୂଚନା ଦେଇଛନ୍ତି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ। ସେହିପରି ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣକ ମାଲକାନଗିରି ଜିଲ୍ଲାର। ମୃତ୍ୟୁ ବେଳକୁ ତାଙ୍କ ୪୭ ବର୍ଷ ହୋଇଥିବାବେଳେ ସେ ଡାଇବେଟିସ ଓ ଆସ୍ତମା ରୋଗରେ ପୀଡିତ ଥିଲେ ବୋଲି ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଏହକୁ ମିଶାଇ ରାଜ୍ୟରେ  କରୋନା ମୃତ୍ୟୁ ସଂଖ୍ୟା ୧୮୯୧ରେ ପହଞ୍ଚିଛି।

ଅନ୍ୟପକ୍ଷରେ, ଟିକାକରଣକୁ ନେଇ କେତେକ ଆପ୍ ଚର୍ଚ୍ଚାକୁ ଆସିଥିବା ବେଳେ ଡିଏମ୍ଇଟି ସିବିକେ ମହାନ୍ତି କହିଛନ୍ତି, ଏବେ କେବଳ ସରକାରଙ୍କ ପକ୍ଷରୁ ହିଁ ଟିକାକରଣ ବ୍ୟବସ୍ଥା ଅଛି। ତେଣୁ କୌଣସି ଫେକ୍ ଆପ୍ ଉପରେ ବିଶ୍ୱାସ ନ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଏନେଇ ସେ କହିଛନ୍ତି ଯେ, କୌଣସି ଡୁପ୍ଲିକେଟ୍ ଆପ୍ ଉପରେ ବିଶ୍ୱାସ କରନ୍ତୁ ନାହିଁ। ନହେଲେ ନିଜେ ଠକାମୀରେ ପଡ଼ିବେ। ବର୍ତ୍ତମାନ କରୋନା ଟିକା ବଜାରରେ ମିଳିବା ସୁବିଧା ଏପର୍ଯ୍ୟନ୍ତ ନାହିଁ। ସରକାର ଟିକା ମାଗଣାରେ ଦେବେ ବୋଲି ସିବିକେ ମହାନ୍ତି କହିଛନ୍ତି।

କେବଳ ଓଡ଼ିଶା ନୁହେଁ ଗତକାଲି ୩୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୭୩୬ ଜିଲ୍ଲାରେ ଦ୍ୱିତୀୟ ପର୍ଯ୍ୟାୟ ଡ୍ରାଏ ରନ୍ ହୋଇଥିଲା। ଟିକା କେଉଁଠୁ ଆସୁଛି ଦେଖିବା ଠାରୁ ଆରମ୍ଭ କରି ଟିକା ପ୍ରଦାନ ଓ ହିତାଧିକାରୀ ଘରକୁ ଫେରିବା ଯାଏ, ସବୁ ପ୍ରକ୍ରିୟାର ସମୀକ୍ଷା କରିଥିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ। ଚେନ୍ନାଇର ଜେନେରାଲ ହସ୍ପିଟାଲରେ ନିଜେ ଏହି ପ୍ରକ୍ରିୟା ଦେଖିଥିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ।

You might also like