ଖଣ୍ଡଗିରି ମାଘମେଳାରେ ସିଦ୍ଧି ପାଇଁ ସାଧୁଙ୍କ ଭିଡ଼
ମେଳା ଚାଲିଛି ଖଣ୍ଡଗିରିରେ
ଭୁବନେଶ୍ୱର(ନିରଞ୍ଜନ ରେଡ୍ଡି): ମାଘମେଳା ପାଇଁ ଖଣ୍ଡଗିରି ପାଲଟିଛି ତପୋଭୂମି। ସାଧନାର ସିଦ୍ଧି ପାଇଁ ଏକାଠି ହୋଇଛନ୍ତି ଶତାଧିକ ତପସ୍ୱୀ। ଯଜ୍ଞ, ଆହୁତି ଓ ମନ୍ତ୍ର ଉଚ୍ଚାରଣରେ ପ୍ରକମ୍ପିତ ହେଉଛି ଆଖପାଖ ପରିବେଶ। ରାଜ୍ୟ ତଥା ରାଜ୍ୟ ବାହାରୁ ଆସି ଏକତ୍ରିତ ହୋଇଛନ୍ତି ଶତାଧିକ ସାଧୁସନ୍ଥ। କିଏ ଗୋଟିଏ ଗୋଡ଼ରେ ଛିଡ଼ା ହୋଇ ତପସ୍ୟାରତ ଥିବା ବେଳେ ଆଉ କିଏ ଗୋଟିଏ ହାତ ନଥିଲେ ବି ଡମ୍ବୁରୁ ବଜାଇ ସିଦ୍ଧି ପାଇଁ ଚଳାଇଛନ୍ତି ସାଧନା।
ମନ୍ତ୍ର ଉଚ୍ଚାରଣରେ କମ୍ପୁଛି ପରିବେଶ। ଚାଲିଛି ଭଜନ କୀର୍ତ୍ତନ, ଏ ଆଧ୍ୟାତ୍ମିକ ପରିବେଶ ଦେଖିବାକୁ ମିଳିଛି ଏବେ ଚାଲିଥିବା ଖଣ୍ଡଗିରି ମେଳାରେ। ଯଜ୍ଞକୁଣ୍ଡରେ ଜଳୁଛି ଧୂନି, ଦିଆଯାଉଛି ଆହୁତି। ଦେଶର ମଙ୍ଗଳ କାମନା କରି ଯଜ୍ଞ କରୁଛନ୍ତି ଶହ ଶହ ସାଧୁସନ୍ଥ। କିଏ ଗୋଟିଏ ଗୋଡ଼ରେ ଛିଡ଼ା ହୋଇ ତପସ୍ୟା କରୁଛନ୍ତି ତ, କିଏ ଦେହରେ ବିଭୁତି ବୋଳି ହୋଇ ଧ୍ୟାନ ମଗ୍ନ। ଯେତେ ଦିନ ପର୍ଯ୍ୟନ୍ତ ମାଘମେଳା ଚାଲିବ ସେତେ ଦିନ ପର୍ଯ୍ୟନ୍ତ ଏହି ବାବା ସେମିତି ଗୋଟିଏ ଗୋଡ଼ରେ ଛିଡ଼ା ହୋଇ ତପସ୍ୟାରତ ରହିବେ ବୋଲି ସୂଚନା ମିଳିଛି। ସମ୍ମୁଖରେ ଥିବା ଝୁଲା ସହାୟତାରେ ଭୋଜନ କରିବାଠାରୁ ଆରମ୍ଭ କରି ସେମିତି ଛିଡ଼ା ହୋଇ ରହିବା ସହ ଶୋଉଛନ୍ତି ମଧ୍ୟ ଯାହାକୁ ନେଇ ଏବେ ଚର୍ଚ୍ଚା ଚାଲିଛି।
ଏନେଇ ନାଗା ବାବା କହିଛନ୍ତି ଯେତେ ଦିନ ରହିବୁ ସେତେ ଦିନ ଛିଡା ହୋଇ ତପସ୍ୟା କରିବୁ। ଖାଇବାଠାରୁ ଆରମ୍ଭ କରି ଶୋଇବା ପର୍ଯ୍ୟନ୍ତ ସବୁ କାମ ଛିଡା ହୋଇ ହିଁ କରିବୁ। ଆମେ ସମସ୍ତେ ସନାତନ ଧର୍ମକୁ ମାନୁଛୁ। ଯେମିତି ଆମ ଗୁରୁ ଆମକୁ ଶିକ୍ଷା ଦେଇଛନ୍ତି ଠିକ୍ ସେହିପରି ଆମେ ସାଧାରଣ ଲୋକଙ୍କୁ ଶିକ୍ଷା ଦେଉଛୁ। ଆମ ସାଙ୍ଗରେ ମହାଦେବଙ୍କ ଭସ୍ମ ରହିଛି ଯାହାକୁ ଆମେ ପ୍ରସାଦ ଭାବରେ ଦେଉଛୁ।
ରାଜ୍ୟ ତଥା ରାଜ୍ୟ ବାହାରୁ ଖଣ୍ଡଗିରି ମେଳାକୁ ଆସିଛନ୍ତି ଅନେକ ସାଧୁସନ୍ଥ। କିଏ ଭଗବାନଙ୍କ ନାମ ପାଠ ସହ ଜପ କରୁଛି ତ କିଏ ହୋମ କରୁଛି। କାଶି, ହରିଦ୍ୱାର, ଗୁଜରାଟ, ପଶ୍ଚିମବଙ୍ଗରୁ ସାଧୁ ଆସି ଖଣ୍ଡଗିରିରେ କରୁଛନ୍ତି ହୋମ ଯଜ୍ଞ। ଆଉ ଜଣେ ବାବାଙ୍କର ଗୋଟିଏ ହାତ ନାହିଁ, ହେଲେ କାଶିରୁ ଆସିଥିବା ବାବା ଜଣକ ଅନ୍ୟ ହାତରେ ଡମ୍ବୁରୁ ବଜାଇବା ସହ ଚଳାଇଛନ୍ତି ଯଜ୍ଞ। ସାଧୁଙ୍କଠାରୁ ଆଶୀର୍ବାଦ ନେବାକୁ ବି ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ଼।
ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଖଣ୍ଡଗିରି ମେଳା ଚାଲିବ। ହେଲେ ଏଥର କୋଭିଡ୍ କଟକଣା ପାଇଁ ଯାତ୍ରା କି ବ୍ୟବସାୟୀଙ୍କୁ ଅନୁମତି ନଥିବାରୁ ଖାଁ ଖାଁ ଲାଗୁଛି ପରିବେଶ।