ଖଣ୍ଡଗିରି ଗୁଳିକାଣ୍ଡ ମାମଲାରେ ପୁଲିସକୁ ମିଳିଲା ସିସିଟିଭି ଫୁଟେଜ

ଅଭିଯୁକ୍ତଙ୍କୁ ଚିହ୍ନଟ ପରେ ତନାଘନା ଜୋରଦାର

ଭୁବନେଶ୍ୱର : ସିସିଟିଭି ଫୁଟେଜରେ ଖଣ୍ଡଗିରି ଗୁଳିକାଣ୍ଡ ଘଟଣାର ଦୁଇ ମାଷ୍ଟର ମାଇଣ୍ଡ। ଗୁଳିକାଣ୍ଡ ପୂର୍ବରୁ ମିଳିଥିବା ଫୁଟେଜ୍‌କୁ ଅାଧାର କରି ଦୁଇ ଅଭିଯୁକ୍ତଙ୍କୁ ଖୋଜୁଛି ପୁଲିସ। ଏହି ସିସିଟିଭି ଭିଡିଓରେ ଗୁଳିକାଣ୍ଡ ଘଟଣାର କିଛି ସମୟ ପୂର୍ବର ଦୃଶ୍ୟ ରହିଛି। ଘଟଣା ସ୍ଥଳରୁ ମାତ୍ର ୨୦ ମିଟର ଦୂରରେ ଦୁଇ ଅଭିଯୁକ୍ତଙ୍କୁ ସିସିଟିଭିରୁ ପୁଲିସ ଚିହ୍ନଟ କରିଛି।

ସେପ୍ଟେମ୍ବର ୧୩ ତାରିଖ । ସମୟ ରାତି ୮ ଟା ୨୨।  ଦୁଇ ଅଭିଯୁକ୍ତ ଖଣ୍ଡଗିରି ଅଞ୍ଚଳରେ ଥିବା ଏକ ହୋଟେଲକୁ ଯିବା ପୂର୍ବରୁ ମଦ କିଣିଥିଲେ। ମଦ କିଣିବା ପରେ ସେଠାରୁ ପଳାଇଥିଲେ। ରାତି ୮ଟା ୫୨।  ପୁଣି ମଦ କିଣିବାକୁ ମଦ ଦୋକାନକୁ  ଅାସିଥିଲେ ଅଭିଯୁକ୍ତ। ଦୁଇ ଦୁଇ ଥର ମଦ କିଣିବା ପରେ ସେମାନେ  ପୁଣି ସେହି ହୋଟେଲକୁ ଯାଇଥିଲେ। ପକୋଡା ଖାଇବାକୁ କେନ୍ଦ୍ରକରି ହୋଟେଲ ମାଲିକଙ୍କ ସହ ସେମାନଙ୍କର ହୋଇଥିଲା ବଚସା। ପରେ ହଠାତ ହୋଟେଲ ମାଲିକଙ୍କୁ ଦୁଇ ଜଣ ଗୁଳିମାଡ କରି ହୋଇଗଲେ ଫେରାର।

ସିସିଟିଭି ଫୁଟେଜରେ ଚିହ୍ନଟ ହୋଇଥିବା ଦୁଇ ଅଭିଯୁକ୍ତ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି। ସେମାନେ ଫେରାର ଥିବାବେଳେ ହୋଟେଲ ମାଲିକ ଦୁଇ ଅଭିଯୁକ୍ତଙ୍କୁ ସିସିଟିଭିରୁ ଚିହ୍ନଟ କରିଛନ୍ତି।

କେବଳ ଖଣ୍ଡଗିରି ଗୁଳିକାଣ୍ଡ ଘଟଣା କାହିଁକି। ରାଜଧାନୀରେ ଦୁଇ ଚର୍ଚ୍ଚିତ ହତ୍ୟାକାଣ୍ଡର ଅଭିଯୁକ୍ତକୁ ଧରିବା ପୁଲିସ ପାଇଁ ହୋଇଛି ବଡ ଚାଲେଞ୍ଜ। ୨୧ ଅଗଷ୍ଟ ,ନୟାପଲ୍ଲୀ ଅାଇଅାରସି ଭିଲେଜ ସ୍କୁଲ କ୍ୟାମ୍ପସ ଭିତରେ ପୂର୍ଣ୍ଣ ନାୟକ ହତ୍ୟାକାଣ୍ଡରେ ଏଯାଏଁ ଧରାପଡିନାହାଁନ୍ତି ଅଭିଯୁକ୍ତ। ୨୪ ଅଗଷ୍ଟରେ ରାଜଧାନୀର ଏକ ଲଜ୍‌ ଭିତରୁ ଲକ୍ଷ୍ମୀପ୍ରିୟା ବିଶ୍ୱାଳ ହତ୍ୟା ମାମଲାରେ ଏଯାଏଁ ଧରାପଡିନି ହତ୍ୟାକାରୀ।

ସେହିପରି ସେପ୍ଟେମ୍ବର ୨ରେ ବାଙ୍କୁଅାଳସ୍ଥିତ ସୁଶାନ୍ତ ଭୋଇ ଗୁଳିକାଣ୍ଡ ଘଟଣାରେ ତିନିଜଣ ଧରାପଡିଥିବା ବେଳେ ଧରାପଡିନି ମାଷ୍ଟର ମାଇଣ୍ଡ। ସେହିପରି ଚନ୍ଦ୍ରଶେଖରୁପର ଇନଫୋସିଟି ଥାନା ଅଧୀନରେ ହୋଇଥିବା ଦୁଇ ଦୁଇଟି ଲୁଟ୍ ଘଟଣାର ଲୁଟେରାଙ୍କ ଟେର ପାଉନି ପୁଲିସ।

ରାଜଧାନୀରେ ଗୋଟିଏ ପରେ ଗୋଟିଏ ଅପରାଧ ଘଟଣା କମିଶନରେଟ ପୁଲିସ ପାଇଁ ଚାଲେଞ୍ଜ ସୃଷ୍ଟି କରିଛି।

You might also like