କେନ୍ଦୁଝରରେ ନବାଗତ ବନାମ ଭେଟେରାନ ଲଢ଼େଇ

କେନ୍ଦୁଝର( ପ୍ରଣୟ ପାଣି) : ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ଲୋକସଭା ଆସନକୁ ନେଇ ଏଥର ଜୋରଦାର ଚର୍ଚ୍ଚା। କାରଣ ଏଠାକାର କେମେଷ୍ଟ୍ରି ସୃଷ୍ଟି କରିପାରେ ନୂଆ ରାଜନୈତିକ ସମୀକରଣ। ପୂର୍ବରୁ କଂଗ୍ରେସର ଗଡ଼ ଥିଲା କେନ୍ଦୁଝର। ତେବେ ୧୯୯୮ମସିହାରେ କଂଗ୍ରେସ ହାତରୁ ଏହି ଆସନକୁ ଛଡାଇ ନେଇଥିଲା ବିଜେପି ବିଜେଡି ମେଣ୍ଟ।

୨୦୦୦ ଓ ୨୦୦୪ରେ ଏଠାରୁ ବିଜୟୀ ହୋଇଥିଲେ ବିଜେପି ପ୍ରାର୍ଥୀ ଅନନ୍ତ ନାୟକ। ତେବେ ମେଣ୍ଟ ଭାଙ୍ଗିବା ପରେ ୨୦୦୯ରେ ଏହି ଆସନକୁ ଅକ୍ତିଆର କରିଥିଲା ବିଜେଡି। ପ୍ରଥମେ ଯଶୋବନ୍ତ ନାରାଣ ସିଂ ଲାଗୁରି ଓ ୧୪ରେ ତାଙ୍କ ପତ୍ନୀ ଶକୁନ୍ତଳା ଲାଗୁରୀ ବିଜେଡିରୁ ନିର୍ବାଚିତ ହୋଇଥିଲେ।

ଚଳିତ ଥର ବିଜେଡି ଏଠାରୁ ସନାତନ ମହାକୁଡ଼ଙ୍କ ସମର୍ଥିତ ଚନ୍ଦ୍ରାଣୀ ମୁର୍ମୁଙ୍କୁ ପ୍ରାର୍ଥୀ କରିଛି। ମାତ୍ର ୨୫ ବର୍ଷ ବୟସରେ ସେ ଏଥର ନିର୍ବାଚନରେ ରାଜ୍ୟର ସବୁଠାରୁ କନିଷ୍ଠ ପ୍ରାର୍ଥୀ ବୋଲି କୁହାଯାଉଛି। ସେହିପରି କଂଗ୍ରେସ ମଧ୍ୟ ନବାଗତ ମୋହନ ହେମ୍ବ୍ରମଙ୍କୁ ପ୍ରାର୍ଥୀ କରି ପରିବର୍ତ୍ତନ ଆଶାରେ ରହିଛି। ତେବେ ବିଜେପି ଭେଟେରାନ ଅନନ୍ତ ନାୟକଙ୍କୁ ପ୍ରାର୍ଥୀ କରି ଏହି ଆସନରେ ପୁଣି ପଦ୍ମ ଫୁଟାଇବା ଲକ୍ଷ୍ୟରେ ରହିଛି।

କେନ୍ଦୁଝର ଆସନରେ ବିଜେଡି ଲାଗି ସରକାର ବିରୋଧୀ ହାଓ୍ୱା ଓ ସ୍ଥାନୀୟ ଗୋଷ୍ଠୀ କନ୍ଦଳ ଦଳ ପାଇଁ ଚାଲେଞ୍ଜ ସୃଷ୍ଟି କରିପାରେ ବୋଲି ରାଜନୈତିକ ସମୀକ୍ଷକ ମତ ଦେଇଛନ୍ତି। ଅନ୍ୟପକ୍ଷରେ ବିଜେପି ପୁରୁଖା ନେତା ଅନନ୍ତ ନାୟକ ନିଜ ପୁରୁଣା ଭୋଟ ବ୍ୟାଙ୍କ ଜରିଆରେ ଏହି ଆସନକୁ ନିଜ ସପକ୍ଷରେ ନେବା ଉଦ୍ୟମରେ ଅଛନ୍ତି।  ନିକଟରେ ଅମିତ ଶାହଙ୍କ କେନ୍ଦୁଝର ପ୍ରଚାର ତାଙ୍କୁ ବଳ ଦେଇଥିବା କୁହାଯାଉଛି।

ଅନ୍ୟପକ୍ଷରେ  କଂଗ୍ରେସ ପ୍ରାର୍ଥୀ ମୋହନ ହେମ୍ବ୍ରମ ରାଜନୈତିକ ମଇଦାନରେ ନୂଆ ହୋଇଥିବାରୁ କି କରିସ୍ମା ଦେଖାଇ ପାରୁଛନ୍ତି ତା ଉପରେ ନଜର।

ଖଣି ଅଞ୍ଚଳର ହୋଇଥିଲେ ବି କେନ୍ଦୁଝରରେ ଅନେକ ସମସ୍ୟା। ଏଠାରେ ସେମିତି କିଛି ଆଖିଦୃଶିଆ ବିକାଶ ଘଟିନାହିଁ। ତେବେ ଜନତା ଜନାର୍ଦ୍ଦନ ବିକାଶ ପ୍ରସଙ୍ଗରେ ଭୋଟ ଦେଉଛନ୍ତି ନା ବ୍ୟକ୍ତିତକୁ ଦେଖୁଛନ୍ତି ତାହା ବଡ଼ ପ୍ରଶ୍ନ।

You might also like