କେନ୍ଦ୍ରାପଡ଼ା,ଭଞ୍ଜନଗର( ମନୋଜ ସ୍ୱାଇଁ, ରାଜେଶ ପଣ୍ଡା) : ଏବେ ମହିଳାଙ୍କୁ ଆଉ କାହା ଉପରେ ନିର୍ଭର କରିବାକୁ ପଡୁନି । କାରଣ ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟ ମହିଳାଙ୍କୁ ମଧ୍ୟ ରୋଜଗାରକ୍ଷମ କରାଇ ପାରୁଛନ୍ତି । କିଏ ଟେଲରିଂ କରି ନିଜ ପରିବାର ଚଳାଇବା ସହ ଅନେକ ପରିବାର ପାଇଁ ରୋଜଗାରର ମାଧ୍ୟମ ହେଉଛି ତ ଆଉ କିଏ ଘରେ ବସି ବିଭିନ୍ନ ସାମଗ୍ରୀ ତିଆରି କରି ହଜାର ହଜାର ଟଙ୍କା ରୋଜଗାର କରୁଛି। ଆଜି ମହିଳା ଦିବସରେ ଏମିତି କିଛି ମହିଳାଙ୍କ ସମ୍ପର୍କରେ ଆଲୋଚନା କରିବା, ଯେଉଁମାନେ ଅନ୍ୟ ମହିଳାଙ୍କ ପାଇଁ ଉଦାହରଣ ।

ସ୍ୱାବଲମ୍ବୀ ହେଉଛନ୍ତି ମହିଳା। ଦେଶ ବିଦେଶକୁ ଯାଉଛି କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶର ସଂଖ୍ୟାଲଘୁ ମହିଳାଙ୍କ ହାତ ତିଆରି ଜିନିଷ । ଡେରାବିଶ ବ୍ଲକ ଗୋଲହାଟରେ ଏହି ସଂଖ୍ୟାଲଘୁ ମହିଳାମାନେ ୨୦୧୭ରେ ଚାନ୍ଦୁଆ ତିଆରି ଟ୍ରେନିଂ ନେଇ ବିକ୍ରି କରୁଥିଲେ। ହେଲେ ଭୋକ ମେଣ୍ଟୁନଥିଲା ତେବେ ୨୦୧୯ରେ ମିଶନ ଶକ୍ତି ପକ୍ଷରୁ ସେମାନଙ୍କୁ ମେସିନ୍, କଞ୍ଚାମାଲ ଓ ଟଙ୍କା ଋଣ ଆକାରରେ ଦିଆଯାଇଥିଲା। ଏଥିସହ ଏମ୍ବ୍ରଡରି ଶାଢୀ, ବେଡସିଟ୍, ଖଦି ରୁମାଲ, ଟସର ସାଲ୍, ଉଇଣ୍ଡୋ ସ୍କ୍ରିନ୍, ସ୍କୁଲ ବ୍ୟାଗ୍ ପ୍ରଭୃତି ତି‌ଆରି ପାଇଁ ପ୍ରଶିକ୍ଷଣ ଦିଆଗଲା। ଏବେ ଭଲ ରୋଜଗାର କରୁଛନ୍ତି ଏହି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ । ସେମାନଙ୍କର ହାତ ତିଆରି ସାମଗ୍ରୀ ଏବେ ରାଜସ୍ଥାନ, ଦିଲ୍ଲୀ, ଗୁଜରାଟ, କେରଳ ଭଳି ବିଭିନ୍ନ ରାଜ୍ୟକୁ ଯାଉଛି । ଫଳରେ ସେଠାରେ କାମ କରୁଥିବା ୫୦ ଜଣ ମହିଳା ଲକ୍ଷାଧିକ ଟଙ୍କା ରୋଜଗାର କରି ସେମାନଙ୍କ ପରିବାର ଚଳାଇ ପାରୁଛନ୍ତି ।

ଗଞ୍ଜାମ ଜିଲ୍ଲା ଭଞ୍ଜନଗରର ଗୀତାଞ୍ଜଳି ତ୍ରିପାଠୀ ଯିଏ ଦିନେ ୫୦ ଟଙ୍କା ସଂଗ୍ରହ କରି ରୋଜଗାର କରିବାର ସ୍ୱପ୍ନ ଦେଖିଥିଲେ । ଆଜି କମାଇ ପାରୁଛନ୍ତି ମାସକୁ ୧୫ ହଜାର ଟଙ୍କା । ଗୀତାଞ୍ଜଳି ୨୦୧୬ ମସିହାରେ ଘରର ଆର୍ଥିକ ସ୍ଥିତି ସୁଧାରିବା ପାଇଁ କିଛି କାମ କରିବାକୁ ମନ ବଳାଇଥିଲେ । ୫୦ ଟଙ୍କା ସଂଗ୍ରହ କରି ପୁରୁଣା ଖବର କାଗଜ କିଣିବାକୁ ଘର ଘର ବୁଲିଥିଲେ । ଜଣେ ସହୃଦୟ ବ୍ୟକ୍ତି ଘରେ ରଖିଥିବା ୫୦ କିଲୋ ଓଜନର ପୁରୁଣା ଖବର କାଗଜ ମାଗଣାରେ ଗୀତାଞ୍ଜଳିଙ୍କୁ ଦେଇଥିଲେ । ସେଥିରେ ଘରେ ବସି ଠୁଙ୍ଗା ତିଆ କରି ବଜାରରେ ବିକିବା ଆରମ୍ଭ କରିଥିଲେ ଗୀତାଞ୍ଜଳି । ଏବେ ସେ ମାସକୁ ୧୫ ହଜାରରୁ ଅଧିକ ଟଙ୍କା ରୋଜଗାର କରିବା ସହ ସ୍ଥାନୀୟ ମହିଳା ମାନଙ୍କୁ ବଡ଼ି, ଆଚାର, ପାମ୍ପଡ଼, ଠୁଙ୍ଗା, କପଡା ବ୍ୟାଗ ଇତ୍ୟାଦି ତିଆରି କରିବାର ତାଲିମ ଦେଉଛନ୍ତି ଏବଂ ସେମାନଙ୍କ ପାଇଁ ରୋଜଗାରର ରାସ୍ତା ବାହାର କରିପାରିଛନ୍ତି ।

କିଛି କରିବାର ଝୁଙ୍କ୍ ରଖି ସାହସର ସହ ଆଗକୁ ଆସୁଥିବା ଏଭଳି ମହିଳା ମାନଙ୍କୁ ସରକାରୀ ପ୍ରୋତ୍ସାହନ ମିଳିଲେ, ଆଗାମୀ ଦିନରେ ଅଧିକ ମହିଳା ଉପକୃତ ହୋଇପାରିବେ ବୋଲି ସେମାନେ କହନ୍ତି ।

 

Other Stories