କେନ୍ଦ୍ରାପଡ଼ା: ଆମର ବି ହେଉ ରଥଯାତ୍ରା । ଅକ୍ଷୁର୍ଣ୍ଣ ରହୁ ପରମ୍ପରା । କେନ୍ଦ୍ରାପଡ଼ାରେ ଗଣଧାରଣା, ନୀଳଗିରିରେ ପଦଯାତ୍ରା ଓ ଗତକାଲି ବାରିପଦାରେ ମାନବଶୃଙ୍ଖଳ ।

କୋଭିଡ୍ ସଂକ୍ରମଣ ପାଇଁ କେବଳ ପୁରୀରେ ରଥଯାତ୍ରା ଲାଗି ରାଜ୍ୟ ସରକାରଙ୍କ ଅନୁମତି ପରେ ଅନ୍ୟ ସ୍ଥାନରେ ବଢୁଛି ଅସନ୍ତୋଷ । ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ାରେ ବଳଦେବଜୀଉଙ୍କ ବ୍ରହ୍ମ ତାଳଧ୍ୱଜ ରଥ କୋଭିଡ୍ କଟକଣାରେ ଗଡ଼ିବାକୁ ଅନୁମତି ଲାଗି ଜୋର ଧରିଛି ଦାବି । ବିଜେପି ପକ୍ଷରୁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସହ ଜିଲ୍ଲାର ସବୁ ତହସିଲ୍ ଅଫିସ୍ ଆଗରେ ହୋଇଛି ପ୍ରତିବାଦ ସହ ଗଣଧାରଣା ।

ସେପଟେ କେନ୍ଦ୍ରାପଡ଼ା ରଥଯାତ୍ରା ପାଇଁ ସରକାର ଆନ୍ତରିକତା ଦେଖାନ୍ତୁ ବୋଲି ଏକ ପ୍ରେସ ରିଲିଜ୍ ଜରିଆରେ ଦାବି କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ସେ ଲେଖିଛନ୍ତି ଶ୍ରୀକ୍ଷେତ୍ର ଓ ତୁଳସୀକ୍ଷେତ୍ର ରଥଯାତ୍ରା ମଧ୍ୟରେ ସାମଞ୍ଜସ୍ୟ ରହିଛି । ଏହା ଅଗଣିତ ଲୋକଙ୍କ ଧାର୍ମିକ ଭାବନା ସହ ଜଡ଼ିତ । କୋଭିଡ୍ କଟକଣାରେ ଏଠି ରଥଯାତ୍ରା ପାଇଁ ସରକାର ଚେଷ୍ଟା କରିବା ଉଚିତ୍ । ତେଣେ ବଳଦେବଜୀଉ ମନ୍ଦିରର କିଛି ସେବାୟତ ଆଜି ପୁରୀ ଗୋବର୍ଦ୍ଧନପୀଠ ଯାଇ ଶଙ୍କରାଚାର୍ଯ୍ୟଙ୍କ ଉଦ୍ଦେଶ୍ୟରେ ଏକ ନିବେଦନପତ୍ର ମଧ୍ୟ ଦେଇଛନ୍ତି । ବାଲେଶ୍ୱର ନୀଳଗିରି ଜଗନ୍ନାଥ ମନ୍ଦିର ସେବାୟତଙ୍କ ସହ ଭକ୍ତ ମିଶି ଆଜି ପଦଯାତ୍ରା ଓ ସଂକୀର୍ତ୍ତନରେ ଯାଇ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଛନ୍ତି ।

ଏପଟେ ପୁରୀ ରଥଯାତ୍ରାରେ କୋଭିଡ୍ ସଂକ୍ରମଣ ରୋକିବାକୁ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ନିୟମାବଳୀ । ସମ୍ପୂର୍ଣ୍ଣ ଘୋଷଯାତ୍ରା ପ୍ରକ୍ରିୟାରେ ସଂପୃକ୍ତ ସମସ୍ତଙ୍କର ହେବ ୪ଥର କରୋନା ଟେଷ୍ଟ । ସେବାୟତଙ୍କଠୁ ପୋଲିସ କର୍ମଚାରୀ ଓ ମନ୍ଦିର ଅଧିକାରୀ, ସମସ୍ତଙ୍କର ୪ଥର RTPCR ଟେଷ୍ଟ କରାଯିବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମିଟିଂରେ ନିଷ୍ପତ୍ତି ହୋଇଛି । ସ୍ନାନ ଓ ଗୁଣ୍ଡିଚା ସହ ବାହୁଡ଼ା ଯାତ୍ରାର ୪୮ ଘଣ୍ଟା ପୂର୍ବରୁ ସମସ୍ତଙ୍କର RTPCR ଟେଷ୍ଟ ସହ ନୀଳାଦ୍ରିବିଜେର ୧୫ ଦିନ ପରେ ଆଉ ଥରେ ବି ଏହି ଟେଷ୍ଟ କରାଯିବ । ଯାତ୍ରାରେ ସଂପୃକ୍ତ ସେବାୟତ ଓ ଅଧିକାରୀଙ୍କ ଟିକାକରଣ ଉପରେ ବି ଫୋକସ୍ ରହିବ । ଏଥିରେ ଯୋଗସୂତ୍ର ସ୍ଥାପନ ପାଇଁ ଜଣେ ନୋଡାଲ ଅଧିକାରୀ ନିଯୁକ୍ତ ହେବେ । ସେ ଶ୍ରୀମନ୍ଦିର ପ୍ରଶାସନ ଓ CDMO ଅଫିସ ମଧ୍ୟରେ ଯୋଗସୂତ୍ର ରଖିବେ । ସ୍ନାନ ଓ ରଥଯାତ୍ରାରେ ନିୟୋଜିତ ସବୁ ସେବାୟତଙ୍କୁ ମାସ୍କ ଦିଆଯିବ ।

Other Stories