କେନ୍ଦ୍ରାପଡ଼ା: ତୁଳସୀକ୍ଷେତ୍ର ଶ୍ରୀବଳଦେବଜୀଉଙ୍କ ରଥଯାତ୍ରା ଆୟୋଜନ ଦାବିରେ ବିକ୍ଷୋଭ ପ୍ରଦର୍ଶନ । ଜିଲ୍ଲା ବିଜେପି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରାଯାଇଛି । ଜିଲ୍ଲାର ସମସ୍ତ ତହସିଲ କାର୍ଯ୍ୟାଳୟ ଆଗରେ ମଧ୍ୟ ଜିଲ୍ଲା ବିଜେପି ପକ୍ଷରୁ ପ୍ରତିବାଦ କରାଯାଇଥିଲା ।

ପୁରୀରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଲାଗି ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବା ବେଳେ ଅନ୍ୟ ସବୁ ମନ୍ଦିରରେ ରଥଯାତ୍ରା ବନ୍ଦ ଘୋଷଣା କରିଛନ୍ତି । ବଳଦେବଜୀଉଙ୍କ ରଥଯାତ୍ରା ଆୟୋଜନ ଲାଗି ବାରମ୍ବାର ଦାବି ହୋଇ ଆସୁଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । ସରକାରଙ୍କ ନିଷ୍ପତ୍ତି ପରେ ରଥ ନିର୍ମାଣ କାର୍ଯ୍ୟ ବନ୍ଦ ରହିଛି । ପ୍ରଭୁ ବଳଦେବଜୀଉଙ୍କ ରଥଯାତ୍ରା ଆୟୋଜନ ଲାଗି ଅନୁମତି ଦେବାକୁ ଦାବି କରିଛି ଜିଲ୍ଲା ବିଜେପି ।

ସେହିଭଳି ତୁଳସୀକ୍ଷେତ୍ର ସିଦ୍ଧବଳଦେବଜୀଉଙ୍କ ରଥଯାତ୍ରା ପାଇଁ ରାଜ୍ୟ ସରକାର ନିଜ ଆଡୁ ସମସ୍ତ ପ୍ରକାର ଆନ୍ତରିକତା ସହ ଉଦ୍ୟମ କରନ୍ତୁ ବୋଲି କହିଛନ୍ତି କେନ୍ଦ୍ରାପଡ଼ା ପୂର୍ବତନ ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ଶ୍ରୀକ୍ଷେତ୍ର ପୁରୀ ସହ କେନ୍ଦ୍ରାପଡ଼ା ବଳଦେବଜୀଉଙ୍କ ରଥଯାତ୍ରାର ଅନେକ ଧାର୍ମିକ ସାମଞ୍ଜସ୍ୟ ସହ ନୀତିକାନ୍ତିରେ ସମାନତା ରହିଛି ।ସିଦ୍ଧବଳଦେବଜୀଉଙ୍କ ରଥଯାତ୍ରାର ସ୍ୱତନ୍ତ୍ର ପରିଚୟ ଥିବାବେଳେ ଶ୍ରୀକ୍ଷେତ୍ର ରଥଯାତ୍ରା ଭଳି ଏହା ମଧ୍ୟ ବହୁ ପୁରାତନ ଓ ପ୍ରାଚୀନ ପରମ୍ପରା । ରଥଯାତ୍ରା ସହିତ ଅଗଣିତ ଜନସାଧାରଣ ବିଶେଷକରି କେନ୍ଦ୍ରାପଡ଼ାବାସୀଙ୍କ ଧର୍ମୀୟ ଭାବନା ଜଡିତ ରହିଛି ତେଣୁ ଏହି କାରଣରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କୋଭିଡ୍ ନିୟମାବଳୀକୁ ପ୍ରାଧାନ୍ୟ ଦେଇ ବଳଦେବଜୀଉଙ୍କ ରଥଯାତ୍ରା କରାଇବା ପାଇଁ ପ୍ରଚେଷ୍ଟା ଉଚିତ ହେବ ବୋଲି କହିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ।

ସେହିଭଳି ବଳଦେବଜୀଉଙ୍କ ରଥଯାତ୍ରା ଆୟୋଜନ ପାଇଁ ପୁରୀ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ମଧ୍ୟ ନିବେଦନ ପତ୍ର ପ୍ରଦାନ କରାଯାଇଛି । ବଳଦେବଜୀଉ ମନ୍ଦିର ସେବାୟତଙ୍କ ପକ୍ଷରୁ ପୁରୀ ଶଙ୍କରାଚାର୍ଯ୍ୟଙ୍କୁ ଏହି ନିବେଦନ ପତ୍ର ପ୍ରଦାନ କରାଯାଇଛି । ପୁରୀର ଶ୍ରୀମନ୍ଦିର ସହ କେନ୍ଦ୍ରାପଡ଼ାର ବଳଦେବଜୀଉ ମନ୍ଦିରର ନୀତିକାନ୍ତି ସମାନତା ରହୁଥିବାରୁ ରଥଯାତ୍ରା ଆୟୋଜନ ଲାଗି ନିବେଦନ କରିଛନ୍ତି ସେବାୟତ । ଶ୍ରୀମନ୍ଦିର ରଥ ନିର୍ମାଣ ଅକ୍ଷୟ ତୃତୀୟାରୁ ଆରମ୍ଭ ହେଉଥିବା ବେଳେ ବଳଦେବଜୀଉଙ୍କ ରଥ ନିର୍ମାଣ ଜ୍ୟେଷ୍ଠ ପୂର୍ଣ୍ଣିମାଠାରୁ ଅରମ୍ଭ ହୋଇଥାଏ । ଏଠାରେ ନୂଆ ରଥ ନିର୍ମାଣ ହୋଇଥାଏ । ବର୍ତ୍ତମାନ କରୋନା ସ୍ଥିତିରେ ଅନେକ ସୁଦ୍ଧାର ଆସିଥିବାରୁ କରୋନା କଟକଣା ମଧ୍ୟରେ ରଥଯାତ୍ରା ଆୟୋଜନ କରିବାକୁ ନିବେଦନ କରିଛନ୍ତି ସେବାୟତ।

Other Stories