କେନ୍ଦ୍ରାପଡ଼ା ସାଂସଦଙ୍କ ପ୍ରତିନିଧିଙ୍କ ବିରୋଧରେ ଆକ୍ରମଣ ଅଭିଯୋଗ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡା ଜିଲ୍ଲା ଆଳିର ମୂଳାସାହି ଗାଁର ମହେଶ୍ୱର ସେନାପତି ଓ ତାଙ୍କ ଦୁଇ ପୁଅଙ୍କ ଉପରେ ହୋଇଥିବା ଆକ୍ରମଣ ପାଇଁ କେନ୍ଦ୍ରାପଡା ସାଂସଦଙ୍କ ପ୍ରତିନିଧିଙ୍କୁ ଦାୟୀ କରିଛନ୍ତି ମହେଶ୍ୱର। ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରି ସେ କହିଛନ୍ତି, ଗତ ରବିବାର ଓ ସୋମବାର ତାଙ୍କ ଦୁଇ ପୁଅଙ୍କ ଉପରେ ଆକ୍ରମଣ ହୋଇଥିଲା। ଏନେଇ ଦୁଇଟି ଅଲଗା ଅଲଗା ଏତଲା ଦିଆଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ ବୋଲି ମହେଶ୍ୱର କହିଛନ୍ତି।

ଆକ୍ରମଣ ପଛରେ କେନ୍ଦ୍ରାପଡା ସାଂସଦଙ୍କ ଆଳି ବ୍ଲକ ପ୍ରତିନିଧି ନିର୍ମଳ ବେହେରାଙ୍କ ହାତ ଥିବା ମହେଶ୍ୱରଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି। ଘଟଣାକୁ ନେଇ ଅଭିଯୋଗକାରିଣୀ ପ୍ରମିଳା ସେନାପତି କହିଛନ୍ତି, ‘ ୩ ଦିନ ହେଲାଣି ଦୁଇ ଦୁଇଟା FIR ଦିଆଯାଇଥିଲେ ସୁଦ୍ଧା ପୋଲିସ୍‌ ଏଯାଏ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ କି ଏଯାଏ କାହାକୁ ଗିରଫ କରାଯାଇ ନାହିଁ।’

ଅନ୍ୟପକ୍ଷେ, ଅଭିଯୋଗକୁ ନେଇ ନିର୍ମଳ ବେହେରା ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ‘ଏଥିରେ ମୋର କୌଣସି ହସ୍ତକ୍ଷେପ ନାହିଁ। ଏ ଗଣ୍ଡଗୋଳ ତାଙ୍କର ପାରିବାରିକ ଗଣ୍ଡଗୋଳ। ଏ ଗଣ୍ଡଗୋଳ କ’ଣ ହୋଇଛି, ତା’ହା ମଧ୍ୟ ମୁଁ ଜାଣି ନାହିଁ। ଏହି ଗଣ୍ଡଗୋଳରେ ମୋତେ ଆକ୍ରୋଶମୂଳକ ଭାବେ ଟଣା ଯାଇଛି। ପୋଲିସ ତଦନ୍ତ ପରେ ସତ୍ୟାସତ୍ୟ ଜଣାପଡିବ ବୋଲି ନିର୍ମଳ କହିଛନ୍ତି।

You might also like