ବେପାର ଜମିଆସୁଥିବା ବେଳେ ଚାଷୀଙ୍କ ଚିନ୍ତା ବଢାଇଛି ରୋଗ ପୋକ

ଚାହିଦାରେ ତରଭୁଜ ଚାଷ

ଯାଜପୁର/କେନ୍ଦ୍ରାପଡ଼ା: ଚାହିଦାରେ ତରଭୁଜ ଚାଷ। ଖରା ବଢ଼ିବା ସାଙ୍ଗକୁ ତରଭୁଜ ବେପାର ଜମିଆସୁଥିବା ବେଳେ ରୋଗ ପୋକକୁ ନେଇ ଚିନ୍ତାରେ ଏବେ ଚାଷୀ। ସବୁ ପ୍ରକାର କୀଟନାଶକ ସିଞ୍ଚନ ପରେ ବି କୌଣସି ଲାଭ ନ ମିଳିବାରୁ ସରକାରୀ ସହାୟତା ପାଇଁ ଦାବି କରିଛନ୍ତି ଚାଷୀ କେନ୍ଦ୍ରାପଡ଼ା ଆଳି ଓ ଯାଜପୁରରୁ ଚାଷୀ।

ଏକର ଏକର ଜମିରେ ଲାଗିଛି ତରଭୁଜ। ସବୁଜିମାରେ ଭରପୁର କ୍ଷେତ। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା କାଟଣାବଣିଆ ଅଞ୍ଚଳରେ। ପ୍ରାୟ ୩ ଶହରୁ ଅଧିକ ଚାଷୀ ୧ ହଜାର ଏକରରୁ ଅଧିକ ଜମିରେ ଲଗାଇଛନ୍ତି ତରଭୁଜ। ଏବେ ଫଳ ଧରିଆସୁଥିବାବେଳେ ରୋଗପୋକ ଯୋଗୁଁ ଚିନ୍ତାରେ ପଡ଼ିଛନ୍ତି ଚାଷୀ। ଯେତେ କୀଟନାଶକ ବ୍ୟବହାର କଲେ ମଧ୍ୟ କିଛି କାମ କରୁନି। ଫଳରେ ଋଣ କରି ଚାଷ କରିଥିବା ଚାଷୀ ଏବେ କଣ କରିବେ କିଛି ବୁଝିପାରୁନାହାନ୍ତି।

ସେପଟେ ଚାଷୀ କହିଛନ୍ତି ଚାଷ ଲାଗି ଆମେ ସୁନା ଓ ରୂପା ବନ୍ଧକ ମଧ୍ୟ ରଖିଛୁ। ପିଲା ଛୁଆଙ୍କୁ ଧରି ବିଲରେ ଖଟୁଛୁ। କିନ୍ତୁ ଫଲ ଧରିବା ସମୟରେ ଏମିତି ପରିସ୍ଥିତି ଦେଖାଯାଇଛି ଯେ, ସମସ୍ତେ ମୁଣ୍ଡରେ ହାତ ଦେଇ ବସିଛନ୍ତି। କୃଷି ବିଭାଗ ଅଧିକାରୀ ବିଲରେ ଆସି ସ୍ଥିତି ଯାଂଚ ସହ ସରକାରୀ ସାହାଯ୍ୟ ଦାବି କରିଛନ୍ତି ଚାଷୀ। ସାହାଯ୍ୟ ନକଲେ ଫସଲ ଉଜୁଡିଯିବାର ଭୟ ବି ଚାଷୀଙ୍କ ମନରେ ସଂଚାର ହେଲାଣି।

ସରକାରଙ୍କ ପକ୍ଷପୁ ଏହାର ଅନୁଧ୍ୟାନ କରାଯିବା ସହ ଔଷଧ ଯୋଗାଇ ଦେବାକୁ ଚାଷୀ ଦାବି କରିଛନ୍ତି। ଅନ୍ୟପଟେ ପ୍ରତିବର୍ଷ ଗୋଟିଏ ପ୍ରକାର ଚାଷ କରୁଥିବାରୁ ସମସ୍ୟା ଉପୁଜିଛି। ଉପଯୁକ୍ତ ଔଷଧ ସିଞ୍ଚନ ପାଇଁ ଚାଷୀଙ୍କୁ ପରାମର୍ଶ ଦିଆଯାଇଥିବା କହିଛନ୍ତି କୃଷି ଉଦ୍ୟାନ ବିଭାଗ ସହ ଅଧିକାରୀ।

ଏପଟେ ରାସ୍ତା କଡ଼ରେ ଗଦା ହୋଇଛି ଲାଲ୍ ଟହଟହ ତରଭୁଜ। ବିଭିନ୍ନ ଭେରାଇଟର ତରଭୁଜ ଦେଖି ଅଟକି ଯାଉଛନ୍ତି ଯାତ୍ରୀ। ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ୧୬ ନମ୍ବର ଜାତୀୟ ରାଜପଥରେ। ରାସ୍ତାରେ ଯିବା ବେଳେ ତରଭୁଜ ଖାଇ ଖରା ଓ ଗରମରୁ ଆଶ୍ୱସ୍ତି ଲାଭ କରୁଛନ୍ତି ଯାତ୍ରୀ। ଖରା ବଢ଼ିବା ସାଙ୍ଗକୁ ଭଲ ବ୍ୟବସାୟ ମଧ୍ୟ ହେଉଥିବା କହିଛନ୍ତି ବ୍ୟବସାୟୀ। ଗତବର୍ଷ କରୋନା ଓ ଲକଡାଉନ ଯୋଗୁଁ ତରଭୁଜ ବ୍ୟବସାୟ ମାନ୍ଦା ପଡ଼ିଥିଲା। ଚଳିତ ବର୍ଷ ଲକଡାଉନ କଟକଣା ନଥିବାରୁ ଭଲ ଦି ପଇସା ରୋଜଗାର କରିବାକୁ ଲକ୍ଷ୍ୟ ରଖିଛନ୍ତି ବ୍ୟବସାୟୀ।


ଆଳିରୁ ବନମାଳୀ ସାହୁଙ୍କ ସହ ଯାଜପୁରରୁ ଗୁଲାମ ଗସଙ୍କ ରିପୋର୍ଟ

You might also like