କେନ୍ଦ୍ରାପଡ଼ା: ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନାରୁ ଅଶାନ୍ତ କେନ୍ଦ୍ରାପଡ଼ାରେ ୧୪୪ ଧାରା ଜାରି ହୋଇଛି। ପୁଲିସ୍ ଛାଉଣିରେ ପୂରା ସହର। ସ୍ଥାନୀୟ ସରକାରୀ ହାଇସ୍କୁଲ ପଡ଼ିଆରେ ଏକ ସଭାର ଆୟୋଜନକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ପରିସ୍ଥିତିକୁ ନିୟନ୍ତ୍ରଣରେ ଆଣିବା ପାଇଁ ୧୧ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି। ଏଥିସହ ସହରରେ ଇଣ୍ଟରନେଟ୍ ସେବା ମଧ୍ୟ ବନ୍ଦ କରି ଦିଆଯାଇଛି।
ସେପଟେ ସ୍ଥିତି ନିୟନ୍ତ୍ରଣାଧିନ ଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ତେବେ ସରକାରୀ ହାଇସ୍କୁଲ ପଡ଼ିଆରେ କୌଣସି କାର୍ଯ୍ୟକ୍ରମ ହେବ ନାହିଁ ବୋଲି ପ୍ରଶାସନ ନିଷ୍ପତ୍ତି ନେଇଛି। ଆଜି କେନ୍ଦ୍ରାପଡ଼ାରେ ପୌରାଞ୍ଚଳରେ ଥିବା ସବୁ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା କରାଯାଇଛି।
ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ିବା ସମ୍ଭାବନା ନେଇ ସହରର ବିଭିନ୍ନ ଛକରେ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି। ପୁଲିସ୍ ସହରରେ ଫ୍ଲାଗ୍ ମାର୍ଚ୍ଚ କରିବା ସହ ଶାନ୍ତି କମିଟି ବୈଠକ କରି ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ମଧ୍ୟ ଉଦ୍ୟମ କରୁଛି।
ଅନ୍ୟପଟେ, ରାଷ୍ଟ୍ରୀୟ ସୁରକ୍ଷା ସମିତି ପକ୍ଷରୁ ଆଜି ୧୨ ଘଣ୍ଟିଆ କେନ୍ଦ୍ରାପଡ଼ା ବନ୍ଦ ଡାକରା ଦିଆଯାଇଛି।