କେନ୍ଦ୍ରାପଡ଼ା ଡଙ୍ଗା ବୁଡ଼ି ଘଟଣା: ମୃତକଙ୍କ ପରିବାରକୁ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଡଙ୍ଗାବୁଡ଼ି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ପ୍ରତି ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ୪ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ଏହା ସହିତ ଯେଉଁମାନେ ଅସୁସ୍ଥ ବା ଆହତ ହୋଇଛନ୍ତି, ସେମାନଙ୍କୁ ମାଗଣାରେ ଚିକିତ୍ସା ଯୋଗାଇ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏହି ଘଟଣାରେ ଶୋକ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହିତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ଧର୍ମେନ୍ଦ୍ର।

ସେପଟେ ଡଙ୍ଗା ବୁଡ଼ି ଘଟଣାରେ ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି ପାଇଥିବା ବେଳେ ଏବେ ବି ଜଣେ ୬ ବର୍ଷର ନାବାଳିକା ନିଖୋଜ ଥିବା ଜଣାପଡ଼ିଛି।

ସୂଚନା ଥାଉ କି, ଗତକାଲି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଅଞ୍ଚଳ ହସିଣା ଗାଁର କିଛି ଲୋକ ପିକ୍‌ନିକ୍‌ ସାରି ହୁକିଟୋଲା ବତୀଘରରୁ ଫେରୁଥିବା ବେଳେ କେନ୍ଦ୍ରାପଡ଼ାର ନିପାଣିଆର ମହାନଦୀ ମୁହାଣରେ ଡଙ୍ଗାଟି ବୁଡ଼ି ଯାଇଥିଲା। ଡଙ୍ଗାରେ କ୍ଷମତାଠାରୁ ଅଧିକ ଯାତ୍ରୀ ଥିବାରୁ ଦୁର୍ଘଟଣା ଘଟିଥିବା ଆଶଙ୍କା କରାଯାଉଛି।

You might also like