‘ଡିନାମାଇଟ୍‌ ବିସ୍ଫୋରଣ କରି ଭାଙ୍ଗିଦେଲେ ନଦୀବନ୍ଧ’

ଯାଜପୁର: ଯାଜପୁର ଜିଲ୍ଲା ରମାପୁର ଓ ବୁଦ୍ଧ ଲିଙ୍ଗ ଗାଁ ମଧ୍ୟରେ କେଲୁଅ ନଦୀରେ ୨ ଦିନ ତଳେ  ଘାଇ ସୃଷ୍ଟି ହୋଇଥିଲା। ହେଲେ ଏହି ଘାଇ ପ୍ରାକୃତିକ ନ ଥିଲା। ଏଠାରେ ଘାଇ ସୃଷ୍ଟି କରାଯାଇଥିଲା।  ଘାଇ ସୃଷ୍ଟି ପାଇଁ  ସାଂଘାତିକ ଷଡ଼ଯନ୍ତ୍ର କରାଯାଇଥିଲା।  ଏପରି ଅଭିଯୋଗ ଆଣିଛି ବିଜେପି ।

ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପିର ଲେଖାଶ୍ରୀ ସାମନ୍ତସିଂହାର ଏପରି ଅଭିଯୋଗ ଆଣିବା ସହ  ବିଜେଡ଼ି ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ବନ୍ଧ ଆପେ ଆପେ ଭାଙ୍ଗିନଥିଲା । ତାହା ମନୁଷ୍ୟକୃତ । ଡିନାମାଇଟ୍ ବିସ୍ଫୋରଣ କରି ଜାଣିଶୁଣି ଏହି ଘାଇ ସୃଷ୍ଟି କରାଯାଇଥିଲା। ଏହି ଡିନାମାଇଟ୍ ବିସ୍ଫୋରଣ ପଛରେ ଜେଇ ନରେନ ଜେନା ଓ ତାଙ୍କ ଭଣଜା ତଥା ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ହାତ ଥିବା ସିଧାସଳଖ ଅଭିଯୋଗ କରିଛନ୍ତି ଲେଖାଶ୍ରୀ।

ଏହାର ବିଚାର ବିଭାଗୀୟ ତଦନ୍ତ ଦାବି କରିଛି ବିଜେପି ।  ବର୍ଷେ ତଳେ ୨୫ କୋଟି ଟଙ୍କା ବ୍ୟୟରେ ଏହି ନଦୀ ବନ୍ଧରେ ରାସ୍ତା ତିଆରି ହୋଇଥିଲା । ଆଉ ଥରେ ବନ୍ଧ ନିର୍ମାଣ କରି ଟଙ୍କା ହଡ଼ପ କରିବା ପାଇଁ ଡିନାମାଇଟ୍ ବିସ୍ଫୋରଣ କରି ବନ୍ଧ ଭଙ୍ଗା ଯାଇଥିବା ଲେଖାଶ୍ରୀ କହିଛନ୍ତି । ଏହି ବନ୍ଧ ଭାଙ୍ଗିବା ଯୋଗୁଁ  ୩୦୦ ଫୁଟର ଘାଇ ହୋଇଛି। ଏଥିରେ ୫ ହଜାରରୁ ଅଧିକ ପରିବାର ପାଣିରେ ଉବୁଟୁବୁ ହେଉଛନ୍ତି। ବିଶେଷକରି ଧର୍ମଶାଳା ବ୍ଲକର ଅରେଇକଣା, ପଟୁନିଆ, କଦମପାଳ, ଉତ୍ତରପ୍ରତାପ, ମଙ୍ଗଳପୁର, ଦେଓଦା ଆଦି ପଞ୍ଚାୟତ ବିଶେଷ କ୍ଷତିଗ୍ରସ୍ତ ହୋଇଥିଲା । ବିଜେପିର ଅଭିଯୋଗ ନେଇ ପ୍ରଣବ ବଳବନ୍ତରାୟ କିମ୍ବା ନରେନ ଜେନାଙ୍କ ପ୍ରତିକ୍ରିୟା ମିଳି ପାରି ନାହିଁ

You might also like