କେବିସି ନାଁରେ ଠକେଇ ଘଟଣାର ପର୍ଦ୍ଦାଫାସ : ଅଭିଯୁକ୍ତକୁ ନେପାଳ ସୀମାରୁ ଧରିଲା ପୋଲିସ

ବେଲପାହାଡ଼: ବେଲପାହାଡ଼ରେ କେବିସି ଲଟେରୀ ନାଁରେ ଠକେଇ ଘଟଣାର ପର୍ଦ୍ଦାଫାସ । ଅଭିଯୁକ୍ତକୁ ନେପାଳ ସୀମାରୁ ଧରିଛି ପୋଲିସ  । ଗିରଫ ଅଭିଯୁକ୍ତ ଜଣକ ବିହାରର ନିରଜ କୁମାର ବୋଲି ଜଣାପଡ଼ିଛି, ତାକୁ ଝାରସୁଗୁଡ଼ା ପୋଲିସ ଟ୍ରାନଜିଟ୍ ରିମାଣ୍ଡରେ ‌ଆଣୁଛି । ଅଭିଯୁକ୍ତ ନିକଟରୁ ୪୦ ଲକ୍ଷରୁ ଅଧିକ ଟଙ୍କା ଠାବ ହୋଇଛି ।ଏହି ଅଭିଯୁକ୍ତ ଏକାଧିକ ସାଇବର ଲୁଟରେ ସଂପୃକ୍ତ । ସେ ପାଖାପାଖି ୩ କୋଟିରୁ ଅଧିକ ଠକେଇ କରିଥିବା ପୋଲିସ ସୂଚନା ପାଇଛି  । ନିରଜକୁ ଝାରସୁଗୁଡ଼ା ଆଣିବା ପରେ ତା ସହ ସଂପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ଖୋଳତାଡ଼ କରାଯିବ ବୋଲି ପୋଲିସ କହିଛି ।

ତେବେ ନିତାଙ୍କୁ ଠକାଇବା ପରେ ନିରଜ ନିଜର ଦୁଇ ସହଯୋଗୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଥିଲା । ତେବେ ଆଜିକାଲି ସମସ୍ତଙ୍କ ବ୍ୟାଙ୍କ ଆକାଉଣ୍ଟ ସହ ମୋବାଇଲ ନମ୍ବର ଲିଙ୍କ ଥିବାରୁ ପୁଲିସ ପାଇଁ ଅଭିଯୁକ୍ତକୁ ଧରିବା ସହଜ ହୋଇଗଲା। ଟ୍ରେସ କରି ନିରଜର ଲୋକସନ ଜାଣିପାରିଥିଲା ଝାରସୁଗୁଡା ପୋଲିସ୍ ।

ଗତ ଫେବ୍ରୁଆରୀ ୨୩ରେ ବେଲପାହାଡ଼ର ଯୁବତୀ ନିତା ଛତରଙ୍କୁ ଏହି ଅଭିଯୁକ୍ତ ଫୋନ୍ କରି କୌନ୍ ବନେଗା କରୋଡପତିରେ ୩୫ ଲକ୍ଷର ଲଟେରୀ ଜିତିଥିବା କହିଥିଲେ। ଟଙ୍କା ଆକାଉଣ୍ଟରେ ନେବା ପାଇଁ ଟାକ୍ସ ବାବଦକୁ ୧୮ ହଜାର ୨ଶହ ଟଙ୍କା ଜମା କରିବା ପାଇଁ ସେମାନେ କହିଥିଲେ । ଏହାପରେ ବିଭିନ୍ନ କିସ୍ତିରେ ୩୫ହଜାର, ୩୧ ହଜାର, ୫ହଜାର ଟଙ୍କା ପଠାଇବା ପାଇଁ କହିଥିଲେ। କିନ୍ତୁ ବିଭିନ୍ନ ଆଳ ଦେଖାଇ ନିତାଙ୍କ ଠାରୁ ୧ଲକ୍ଷ ୬୯ ହଜାର ଟଙ୍କା ଲୁଟି ନେଇଥିଲା ଆଉ ତାଙ୍କୁ କିଛି ଟଙ୍କା ପଠାଇ ନଥିଲେ। ଏପରିକି ଆଉ ୪୦ ହଜାର ଟଙ୍କା ଜମା କଲେ ଲଟେରୀ ପଇସା ଦିଆଯିବ ବୋଲି ବାହାନା କରିଥିଲେ। ଲଟେରୀ ଟଙ୍କା ନ ମିଳିବାରୁ ଯୁବତୀ ଜଣଙ୍କ ଠକେଇର ଶିକାର ହୋଇଥିବା ଜାଣି ପାରି ପୋଲିସ ନିକଟରେ ଅଭିଯୋଗ କରିଥିଲେ । ଧରାପଡ଼ିବା ପରେ ସାଇବର ଠକ ପୋଲିସ ବ୍ୟାଙ୍କ ଆକାଉଣ୍ଟ ଲିଙ୍କ ତଦନ୍ତ କରି ଅଭିଯୁକ୍ତକୁ ଧରିଛି ।

You might also like