ଶ୍ରୀକ୍ଷେତ୍ରରେ ହବିଷ୍ୟାଳିଙ୍କ ଭିଡ଼; ପାଳିଲେ କାର୍ତ୍ତିକବ୍ରତ
ପୁରୀ: ଆଜିଠାରୁ ଆରମ୍ଭ ହୋଇଛି ଧର୍ମ ମାସ କାର୍ତ୍ତିକ। ଏଥିପାଇଁ ଶ୍ରୀକ୍ଷେତ୍ରରେ ହବିଷ୍ୟାଳିଙ୍କ ଭିଡ଼ ଜମିଛି । ମାସେ ଧରି ଏହି ବ୍ରତ ପାଳନ କରିବେ।
ଆଜି ସକାଳୁ ବ୍ରତଧାରୀ ମହିଳାମାନେ ପଞ୍ଚତୀର୍ଥରେ ସ୍ନାନ କରି ସଂକଳ୍ପ କରିଛନ୍ତି। ଚଉରା ମୂଳରେ ଫଳମୂଳ ଭୋଗ କରି ରାଇଦାମୋଦର ପୂଜା କରିଛନ୍ତି। ପୂଜା ସାରି ଶ୍ରୀଜୀଉଙ୍କ ଦର୍ଶନ କରିଛନ୍ତି।
ହବିଷ୍ୟାଳିଙ୍କ ରହିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ପ୍ରାୟ ୩ ହଜାର ହବିଷ୍ୟାଳିଙ୍କ ରହଣୀ ପାଇଁ ୩ଟି ଆଶ୍ରୟସ୍ଥଳୀ ନିର୍ମାଣ କରାଯାଇଛି। ସେଗୁଡ଼ିକ ହେଲା ରେଲଓ୍ୱ ଟୁରିଷ୍ଟ କଂପ୍ଲେକ୍ସ, ନରେନ୍ଦ୍ର କୋଣ ହବିଷ୍ୟାଳୀ ସ୍ଥାୟୀ ଆଶ୍ରୟଅସ୍ଥଳ ଓ ପୁରୀ ପୌରସଂସ୍ଥା କଲ୍ୟାଣମଣ୍ଡପ ।
ଏହି ଶିବିରରେ ରହୁଥିବା ହବିଷ୍ୟାଳୀମାନଙ୍କୁ ଆନୁସଙ୍ଗିକ ସୁବିଧା ସହ ମହାପ୍ରସାଦ ସେବନର ସୁବିଧା ମଧ୍ୟ ମିଳିବ। ଏଥିସହ ସେଠାରେ ତୁଳସୀ ଚଉରା, ପୂଜାସ୍ଥାନ ଓ ଭାଗବତ ପାରାୟଣର ବ୍ୟବସ୍ଥା କରିଛି ଜିଲ୍ଲା ପ୍ରଶାସନ। ହବିଷ୍ୟାଳିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଦମକଳ ବାହିନୀ ଓ ପୋଲିସ ବ୍ୟବସ୍ଥା ସହ ସ୍ୱାସ୍ଥ୍ୟ ପାଇଁ ୨୪ଘଣ୍ଟିଆ ଡାକ୍ତର ଓ ଆମ୍ବୁଲାନସ ମହଜୁଦ ରଖାଯାଇଛି।