ଇଦ୍-ଉଲ୍-ଜୁହାରେ କାଶ୍ମୀରରେ ରକ୍ତର ହୋଲି

ଶ୍ରୀନଗର: ସାରାଦେଶରେ ଭକ୍ତି ଓ ଶ୍ରଦ୍ଧାର ସହ ପାଳିତ ହୋଇଛି ବଳିଦାନର ପର୍ବ ଇଦ୍-ଉଲ୍-ଜୁହା। ତେବେ ଏଭଳି ଏକ ପବିତ୍ର ଦିନରେ ଜାମ୍ମୁ ଓ କାଶ୍ମୀରରେ ରକ୍ତପାତ ଘଟାଇଛନ୍ତି ଅାତଙ୍କବାଦୀ। ଜଣେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍ କରିଛନ୍ତି ମୃତ୍ୟୁର ଏହି ସୌଦାଗରମାନେ। ଜାମ୍ମୁ ଓ କାଶ୍ମୀର ପୋଲିସର କନେଷ୍ଟବଳ ଫୟଜ ଅହମ୍ମଦ ଶାହ ନମାଜ ସାରି ଘରକୁ ଫେରୁଥିବା ବେଳେ ଅାତଙ୍କବାଦୀ ତାଙ୍କୁ ଟାର୍ଗେଟ କରିଥିଲେ। ଏପଟେ ପୁଲୱାମା ଜିଲ୍ଲା ବିଜେପି ସଭାପତି ସବିର ଅହମ୍ମଦ ଭଟ୍ଟଙ୍କୁ ମଧ୍ୟ ନିର୍ମମ ହତ୍ୟା କରାଯାଇଛି। ଅାଜି ଭୋର୍ ୩ଟା ବେଳେ ଅାତଙ୍କବାଦୀ ସବିରଙ୍କୁ ଘରୁ ଡାକି ନେଇଥିଲେ କୁପୱାଡ଼ାରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି।

ସେପଟେ ଅାତଙ୍କବାଦୀ ଅାଜି ହାସନପୋରାରେ ଥିବା ସିଅାରପିଏଫ କ୍ୟାମ୍ପ ଉପରକୁ ମଧ୍ୟ ଗୁଳିମାଡ଼ କରିଥିଲେ। ତେବେ ସତର୍କ ସୁରକ୍ଷାକର୍ମୀ ପାଲଟା ଜବାବ ଦେବାରୁ ସେମାନେ ଖସି ପଲାଇଥିଲେ। ସେପଟେ ଶ୍ରୀନଗର ରାଜରସ୍ତାରେ ଅାଜି ପୁଣି ଉଡ଼ିଛି ପାକିସ୍ତାନ ପତାକା। ଅାତଙ୍କୀ ସଂଗଠନ ଅାଇଏସ୍ଅାଇଏସ୍ ପତାକା ଦେଖାଇ ବିଚ୍ଛିନ୍ନତାବାଦୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସୁରକ୍ଷାକର୍ମୀଙ୍କ ଗାଡ଼ି ଉପରକୁ ପ୍ରବଳ ଟେକାପଥର ମାଡ଼ କରିବା ସହ ପେଟ୍ରୋଲ ବୋମା ଫିଙ୍ଗିଥିଲେ ବିକ୍ଷୋଭକାରୀ।  ଅନନ୍ତନାଗରେ ମଧ୍ୟ ସୁରକ୍ଷାକର୍ମୀଙ୍କ ଗାଡି ଉପରକୁ ଉତ୍ତ୍ୟକ୍ତ ଜନତା ଟେକାପଥର ମାଡ଼ କରିବା ସହ ଠେଙ୍ଗାରେ ଅାକ୍ରମଣ କରିଛନ୍ତି। ନମାଜ ପାଠ ପରେ ପରେ ହିଁ ସୁରକ୍ଷାକର୍ମୀଙ୍କ ଉପରେ ଏଭଳି ଅାକ୍ରମଣ ହୋଇଛି।

ଭୟ ଦେଖାଇ କାଶ୍ମୀରର ଯୁବକମାନଙ୍କୁ ପୁଲିସରେ ସାମିଲ ହେବାରୁ ବିରତ କରିବା ଲାଗି ଅାତଙ୍କବାଦୀମାନେ କିଛି ଦିନ ହେବ ପୁଲିସ୍‌କୁ ଟାର୍ଗେଟ କରୁଛନ୍ତି। ଗତମାସରେ କୁଲଗାମ୍‌ରେ ଟ୍ରେନିଂରୁ ଫେରିଥିବା ଜଣେ କନଷ୍ଟେବଲଙ୍କୁ ଅାତଙ୍କବାଦୀମାନେ ଅପହରଣ କରି ହତ୍ୟା କରିଥିଲେ। ଏହା ପୂର୍ବରୁ ସୋପିଅାନରେ ମଧ୍ୟ ଅାତଙ୍କବାଦୀ ଅନ୍ୟ ଜଣେ କନଷ୍ଟେବଲଙ୍କୁ ସମାନ ଢଙ୍ଗରେ ହତ୍ୟା କରିଥିଲେ। ସେହିପରି ଇଦ୍ ପୂର୍ବରୁ ଗତ ଜୁନ୍ ମାସରେ ସେନା ଯବାନ ଔରଙ୍ଗଜେବଙ୍କ ନିର୍ମମ ହତ୍ୟାକୁ ନେଇ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା।

You might also like