କଥାହେଲେ ଗଣିବାକୁ ପଡ଼ିବ ୧୫୦ ଟଙ୍କା

କେନ୍ଦ୍ରାପଡ଼ା: ନା ଆପଣ କାହା ସହ କଥା ହୋଇପାରିବେ, ନା ଆପଣଙ୍କ ସହ କିଏ କଥାହେବେ। ଏଥିରେ ଖିଲାପ ହେଲେ ତଣ୍ଡ ଗଣିବାକୁ  ୧୫୦ ଟଙ୍କା। କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଶିଳପୋଖରୀ ଗାଁରେ କିଛି ଲୋକଙ୍କୁ ବାସନ୍ଦ କରି ଏପରି ଦଣ୍ଡାଦେଶ ଶୁଣାଇଛି କଙ୍ଗାରୁ କୋର୍ଟ। ଅଭିଯୋଗ ଅନୁଯାୟୀ ଗାଁରେ ଖଗେଶ୍ୱର ଦାସ ନାମକ ଜଣେ ବ୍ୟକ୍ତିଙ୍କ ଘର ଆଗରେ କମ୍ୟୁନିଟି କେନ୍ଦ୍ର ନିର୍ମାଣ ପାଇଁ ପ୍ରସ୍ତାବ ଦିଆଯାଇଥିଲା। ହେଲେ ଏହା ନିର୍ମାଣ ଦ୍ୱାରା ସେ ଆଉ ଘରୁ ବାହାରିପାରିବେ ନାହିଁ ବୋଲି କହି ଏହାର ବିରୋଧ କରିଥିଲେ।

ଏହାକୁ ଅନ୍ୟତ୍ର ଉଠାଇବାକୁ ଦାବି କରିଥିଲେ ଗ୍ରାମବାସୀ କିନ୍ତୁ ସେହି ସ୍ଥାନରେ ହିଁ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିଲେ ପରେ ବିରୋଧ କରି ଆଇନର ଆଶ୍ରୟ ନେଲେ ଖଗେଶ୍ୱର। କାହିଁକି ଗ୍ରାମବାସୀଙ୍କ ବିରୁଦ୍ଧରେ ଗଲେ ବୋଲି ଦର୍ଶାଇ  ଗାଁରେ ଏକ କଙ୍ଗାରୁ କୋର୍ଟ ବସିଥିଲା। ଏଥିରେ ଖଗେଶ୍ୱରଙ୍କ ସମେତ ୮ଟି ପରିବାରକୁ କଙ୍ଗାରୁ କୋର୍ଟ ଡାକି ବାସନ୍ଦ କରିଥିଲେ।

ଲକ୍‌ଡାଉନ୍‌ ଯୋଗୁଁ ମୁଁ ଘରକୁ ଆସିପାରି ନଥଲି। ଆମେ କେହି ଘରେ ନଥିବା ବେଳେ ଗାଁ ଲୋକ ଘର ସମ୍ମୁଖରେ କମ୍ୟୁନିଟି କେନ୍ଦ୍ର କରିଛନ୍ତି। ଘର ଆଗରେ କମ୍ୟୁନିଟି କେନ୍ଦ୍ର ନ କରିବା ପାଇଁ ଗାଁ ଲୋକଙ୍କୁ ନିବେଦନ କରିଥିଲି। କିନ୍ତୁ ସେମାନେ ମୋତେ ଧମକ ଦେଇ କହିଥିଲେ ଯେ, ଏଇଠି ହିଁ ଘର ହେବ। ଯାହା କରିବା କଥା କର। ଯେତେ କହିଲି ମୋ କଥା ଶୁଣିଲେ ନାହିଁ। ଶେଷରେ ସେମାନେ ଜୋରଜବରଦସ୍ତି ଘର କଲେ। ଘର ବାହାରକୁ ଯିବା ପାଇଁ ବାଟ ବି ନାହିଁ। ଗାଁରେ ଯାହା ସହ କଥା ହେବି, ସେହି ଲୋକ ୧୫୧ ଟଙ୍କା ଜୋରିମାନା ଦେବ।
-ଖଗେଶ୍ୱର ଦାସ

କେବଳ ଖଗେଶ୍ୱର ନୁହଁନ୍ତି, କଙ୍ଗାରୁ କୋର୍ଟର ଅଜବ ରାୟରେ ଅନେକ ଲୋକଙ୍କୁ ଅସହ୍ୟ ଯନ୍ତ୍ରଣା ସହିବାକୁ ପଡୁଛି। କଙ୍ଗାରୁ କୋର୍ଟ ନେଇ ଗଣାମାଧ୍ୟମରେ ଖବର ପ୍ରକାଶିତ ହେଉଛି। 

  • ୨୦୧୯ ସେପ୍ଟେମ୍ବରରେ ବଲାଙ୍ଗିର ପାଟଣାଗଡ ଚିଟକମାଲ ଗାଁରେ ଘଟିଥିଲା ବିଭତ୍ସ ହତ୍ୟାକାଣ୍ଡ। ଆଉ ଏହି ହତ୍ୟାକାଣ୍ଡର ମୂଳ କାରଣ ଥିଲା କଙ୍ଗାରୁ କୋର୍ଟ। ଗୁଣି ଗାରେଡ଼ି ସନ୍ଦେହରେ ଏହି ଗାଁର ଜଣେ ଦମ୍ପତି (ଚିନ୍ତାମଣି ଓ ରୁକ୍ମିଣୀ) ଙ୍କୁ କଙ୍ଗାରୁ କୋର୍ଟକୁ ଡକାଯାଇଥିଲା। ଗୋଟିଏ ଛୋଟ ପୁଅକୁ ଗୁଣି ଗାରେଡି କରି ଏମାନେ ମାରି ଦେଇଥିବା ନେଇ ଦୋଷୀ ସାବ୍ୟସ୍ତ କରାଗଲା। ଆଉ କିଛି ସମୟ ପରେ ତାଙ୍କୁ ଘୋଷାଡ଼ି ଘୋଷାଡ଼ି ବିଭିନ୍ନ ମାରଣାସ୍ତ୍ରରେ ହତ୍ୟା କରିଥିବା ନେଇ ମୃତ ଦମ୍ପତିଙ୍କ ପୁଅ ଅଭିଯୋଗ କରିଥିଲେ।
  • ସେହିପରି ୨୦୧୯ ଜୁନ୍‌ରେ ଚୋର ଧରିବା ପାଇଁ ରାତି ଅଧିରେ ଖଟ ବୁଲିଥିଲା। ନୟାଗଡ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଉଦୟପୁର ଗାଁରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା। ଏହି ଗାଁର ଜଣେ ମହିଳା ନିଜ ଦିଅରଙ୍କ ଘରୁ ସୁନା ଗହଣା ଚୋରି କରିଥିବା ଅଭିଯୋଗ  ହୋଇଥିଲା। ଏ ନେଇ ଗ୍ରାମସଭା ଡ଼କା ଯାଇ କଙ୍ଗାରୁ କୋର୍ଟ ବସିଥିଲା। ଚୋର ଧରିବା ପାଇଁ ଗାଁରେ ଖଟ ବୁଲାଯିବା ବୋଲି କୋର୍ଟରେ ନିଷ୍ପତ୍ତି ହୋଇଥିଲା। ଦୁଇ ଦିନ ଗାଁରେ ଖଟ ବୁଲିବା ପରେ ଜଣେ ମହିଳାଙ୍କ ଘରେ ଖଟ ପଶିଥିଲା। ଉକ୍ତ ମହିଳାଙ୍କୁ ଦୋଷୀ ସାବ୍ୟସ୍ତ କରାଯିବା ସହ ସୁନା ଚୋରି ପାଇଁ ୧ ଲକ୍ଷ ୪୨ ହଜାର ଟଙ୍କା ଜରିମାନା ଦେବାକୁ କୋର୍ଟ ମହିଳାଙ୍କୁ ନିର୍ଦ୍ଦେଶ ଦେଇଥିଲା। ହେଲେ ଏତେ ଟଙ୍କା ଦେଇ ନ ପାରିବାରୁ ମହିଳାଙ୍କୁ ମାଡ଼ ମରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା।
You might also like