ବୀରପ୍ରସବିନୀ ଗାଁ କମଳାପୁର: ଯାହାର ମାଟିରେ ଦେଶ ଭକ୍ତିର ବାସ୍ନା

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଏମିତି ଏକ ଗାଁ ଅଛି, ଯେଉଁଠି ଏକାଧିକ ପରିବାରରେ ଜନ୍ମ ନେଇଛନ୍ତି ବୀର ଯବାନ। କିଏ ଦେଶ ପାଇଁ ସାରା ଜୀବନକୁ ଉତ୍ସର୍ଗ କରିଛନ୍ତି ତ ଆଉ କିଏ କାର୍ଗିଲ ଏବଂ ଚୀନ ଯୁଦ୍ଧରେ ସହିଦ ହୋଇଛନ୍ତି। ଯାହାକୁ ନେଇ ଗର୍ବ କରନ୍ତି ପରିବାର ଲୋକେ, ଏବଂ ସାରା ଗ୍ରାମବାସୀ। ସାଧାରଣତନ୍ତ୍ର ଦିବସ ଅବସରରେ ଆସନ୍ତୁ ଜାଣିବା ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକରେ ଥିବା ଯବାନମାନଙ୍କ ଗାଁ କମଳାପୁର ବିଷୟରେ।

ଗାଁ ମୁଣ୍ଡରେ ଶୋଭା ପାଉଛି ସହିଦ ଏମ୍.କ୍ରିଷ୍ଣାଙ୍କ ପ୍ରତିମୂର୍ତ୍ତି। ୨୧ ବର୍ଷୀୟ ସହିଦ କ୍ରିଷ୍ଣାଙ୍କ ଏହି ପ୍ରତିମୂର୍ତ୍ତି ହିଁ କହୁଛି  କମଳାପୁରର ବୀରତ୍ୱର ଗାଥା।

ଆଜି ସେହି ବୀର ପୁଅ ନାହିଁ ସତ, ହେଲେ ପୁଅର ଶେଷ ସନ୍ତକକୁ ସାଇତି ରଖିଛନ୍ତି ବୀରପ୍ରସବିନୀ ମା’ ଏମ୍.ପାର୍ବତୀ। ପାର୍ବତୀଙ୍କ ସ୍ୱାମୀ ଗୋପିନାଥ ବି ଆର୍ମିରେ ଥିଲେ। ତେଣୁ ବାପାଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ୨ ପୁଅ କେଶବ ଓ କ୍ରିଷ୍ଣା ସେନାରେ ଯୋଗଦେଇଥିଲେ। କିନ୍ତୁ ୧୯୯୮ର କାର୍ଗିଲ ଯୁଦ୍ଧରେ ସାନ ପୁଅ କ୍ରିଷ୍ଣା ସହିଦ ହୋଇଯାଇଥିଲେ।

ସେହିଭଳି ଆଉ ଜଣେ ବୀର ନାରୀ ହେଲେ ଏମ୍. ଭାନୁମତି। ସହିଦ୍ ହାବିଲଦାର ଏ.ଗୋବିନ୍ଦ ରାଓଙ୍କ ପତ୍ନୀ। ୧୯୯୬ ଅଗଷ୍ଟ ୬ ତାରିଖରେ ଶ୍ରୀନଗରରେ ଡ୍ୟୁଟି ବେଳେ ଶତ୍ରୁ ପକ୍ଷକୁ ଗୁଳିର ଜବାବ ଗୁଳିରେ ଦେଇ ଟଳି ପଡ଼ିଥିଲେ ତାଙ୍କ ସ୍ୱାମୀ। ସ୍ୱାମୀଙ୍କ ପିନ୍ଧା ପୋଷାକ, ଜୋତା ଓ ଅନ୍ୟ ସାମଗ୍ରୀ ଏବେ ବି ସାଇତି ରଖିଛନ୍ତି ଭାନୁମତି। ସ୍ୱାମୀ ଚାଲିଯିବା ପରେ ବି ଭାଙ୍ଗିଯାଇନି ତାଙ୍କର ଦମ୍ଭ କି ହରାଇ ନାହାନ୍ତି ଧର୍ଯ୍ୟ। ଭାନୁମତି ପୁଅ, ଝିଅଙ୍କୁ ବଡ଼ ଦୁଃଖ କଷ୍ଟରେ ଲାଳନପାଳନ କରି ବାପାର ଅଧୁରା ସ୍ୱପ୍ନକୁ ସାକାର କରିବା ପାଇଁ ପୁଅକୁ ଆର୍ମିରେ ଛାଡ଼ିଛନ୍ତି।

ଏତିକିରେ ସରିନି କମଳାପୁରରେ ବୀର ସନ୍ତାନଙ୍କ କାହାଣୀ। ଏମିତି ଅନେକ କାହାଣୀ ସାଇତି ରଖିଛି ଏହି ଗାଁ। ୮ରୁ ଅଧିକ ସହିଦ୍‌ଙ୍କ ବୀର ପରିବାର ରହୁଛନ୍ତି ଏହି ଗାଁରେ। କିଏ ଚୀନ ଆଉ ପାକିସ୍ତାନ ସହ ଲଢ଼େଇ କରି ସହିଦ ହୋଇଛନ୍ତି ତ ଆଉ କିଏ ସାରା ଜୀବନକୁ ଉତ୍ସର୍ଗ କରି ଗାଁ ପାଇଁ ପାଲଟିଯାଇଛନ୍ତି ଗୌରବ।

ଅବସର ପରେ ସେମାନେ ଏବେ ଯୁଦ୍ଧର ବୀରତ୍ୱ ବଖାଣିବା ସହ ଗାଁରେ ଏକ୍ସସର୍ଭିସ ମ୍ୟାନ୍ ସଂଗଠନ ଗଠନ କରି, କିଛି ନୂଆ ପିଢ଼ିକୁ ଟ୍ରେନିଂ ଦେଉଛନ୍ତି।

You might also like