ମଣ୍ଡି ଦୁର୍ନୀତି; ନକଲି ଚାଷୀଙ୍କ ଠାରୁ ଧାନ କିଣି ନିଲମ୍ବିତ ହେଲେ କାଲିମେଳା ଲ୍ୟାମ୍ପ୍ସ ଏମଡି

ମାଲିକାନଗିରି (ଜିତେନ୍ଦ୍ର ବେଉରା) : ମାଲିକାନଗିରି ଜିଲ୍ଲାର ବିଭିନ୍ନ ମଣ୍ଡିରେ ବେଆଇନ କାର୍ଯ୍ୟକୁ ନେଇ ପ୍ରଶାସନର କାର୍ଯ୍ୟାନୁଷ୍ଠାନ । ମଣ୍ଡିରେ ଚାଲିଥିବା ଦଲାଲରାଜକୁ ଦମନ କରି  କାଲିମେଳା ଲ୍ୟାମ୍ପ୍ସର ଏମଡି ସରୋଜ ସୁନ୍ଦର ରାୟଙ୍କୁ ନିଲମ୍ବନ କରାଯାଇଛି । ମଣ୍ଡିରେ ବେଆଇନ କାର୍ଯ୍ୟ କରାଯିବା ସହ ନକଲି ଚାଷୀଙ୍କ ଧାନ କିଣାଯିବା ଅଭିଯୋଗରେ ତାଙ୍କୁ ନିଲମ୍ବନ କରାଯାଇଛି । କାଲିମେଳା ବ୍ଲକର ବିଭିନ୍ନ ବ୍ଲକରେ ଜାଲ୍ କାଗଜପତ୍ର ଜରିଆରେ ନକଲି ଚାଷୀଙ୍କ ଧାନ କିଣାଯାଉଥିବା ଅଭିଯୋଗ ହୋଇଥିଲା । ୧୧୨ଟି ଜାଲ୍ ପ୍ରମାଣପତ୍ରରେ ଧାନ କିଣାଯାଇଥିବା ଜଣାପଡ଼ିଥିଲା । ଏନେଇ ଅଭିଯୋଗ ମିଳିବା ପରେ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ୍ ତଦନ୍ତ କରାଯିବା ପରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ସୂଚନାଯୋଗ୍ୟ ଇଣ୍ଟେରନେଟରୁ ଚାଷୀଙ୍କ ପଟ୍ଟା ବାହାର କରି ନକଲି ସଂପର୍କୀୟ ସାଜି ମଣ୍ଡିରେ ଚାଷୀଙ୍କ ନାମରେ ବିକୁଛନ୍ତି ଧାନ। ଏପଟେ ଚାଷୀ ଟୋକେନକୁ ଅପେକ୍ଷା କରି ନପାଇ ଶାଗ ମାଛ ଦରରେ ଦଲାଲ ହାତକୁ ଟେକି ଦେଉଛି ଧାନ ।  ଆଉ ଏଥିରେ ଦଲାଲଙ୍କୁ ସହଯୋଗ କରୁଛନ୍ତି ଲ୍ୟାମ୍ପସ୍ କର୍ମଚାରୀ। ଆଉ ଏହାର ସତ୍ୟତା ପଦାକୁ ଆସିଲା ପରେ ଆକ୍ସନ ମୁଡରେ ବିଭାଗ। ପ୍ରାଥମିକ ତଦନ୍ତ ପରେ ଡାଟା ଏଣ୍ଟ୍ରି ଅପରେଟରଙ୍କୁ ବହିଷ୍କୃତ କରାଯାଇଥିଲା ପରେ ଲ୍ୟାମ୍ପ୍ସ ଏମଡିଙ୍କୁ ନିଲମ୍ବନ କରାଯାଇଛି । ଆଗାମୀ ସମୟରେ ଏଥିରେ ଆଉ କେଉଁ କେଉଁ ମାନେ ସଂପୃକ୍ତ  ଅଛନ୍ତି ଅଥବା ‌ଏ ଭଳି କେତେ ଜାଲ ପ୍ରମାଣ ପତ୍ର କରି ହାତେଇଛନ୍ତି, ତାହା ତଦନ୍ତ କରାଯାଇ ଖୁବଶୀଘ୍ର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି ।

 

You might also like