ଅକ୍ଷୟ ତୃତୀୟା ବଦଳରେ ଉତ୍କଳ ଦିବସରେ ମିଳିବ ଟଙ୍କା

ବଦଳିଲା ଦ୍ୱିତୀୟ କିସ୍ତି କାଳିଆ ଟଙ୍କା ବଣ୍ଟା ତାରିଖ

ଭୁବନେଶ୍ୱର : ୧୯ ବର୍ଷ କ୍ଷମତାରେ ରହିବା ପରେ ନବୀନ ସରକାର ବିରୋଧରେ ହାଓ୍ୱା ଯେତିକି ଜୋର୍ ଧରିଛି, କଳେ ବଳେ କୌଶଳେ ଭୋଟ୍ ହାତେଇବା ପାଇଁ ସେତିକି ଜୋର୍ ଲଗାଯାଉଛି ବିଜେଡି । ସ୍ଥିତି ଏଭଳି ହୋଇଛି ଯେ, କାଳିଆ ଯୋଜନାରେ ଦ୍ୱିତୀୟ କିସ୍ତି ଟଙ୍କା ଅକ୍ଷୟ ତୃତୀୟା ବଦଳରେ ଢେର ଆଗୁଆ ଉତ୍କଳ ଦିବସରେ ବାଣ୍ଟିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ କଂଗ୍ରେସ୍ ଏହାକୁ ଭୋଟ୍ ପାଇଁ ଲାଞ୍ଚ କହୁଥିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି  ଆଚରଣ ବିଧି ଥିବା ସମୟରେ କିଏ କେଉଁଠି ଠିଆ ହେବ ଦେଖିବା ।

ଅକ୍ଷୟ ତୃତୀୟାରେ ଖରିଫ୍ ସହାୟତା ରାଶି ପଠାଇବାକୁ ପୁରୀ ସମାବେଶରେ ଘୋଷଣା  କରାଯାଇଥିଲା। ହେଲେ ନୂଆପଡ଼ାରେ ତାକୁ ବଦଳାଇ ଆଉ ଏକ ତାରିଖ ଘୋଷଣା କରାଗଲା। କାଳିଆ ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା ଅକ୍ଷୟ ତୃତୀୟା ଅର୍ଥାତ ମେ ୭ ବଦଳରେ ଏପ୍ରିଲ ୧ ଉତ୍କଳ ଦିବସରେ ପ୍ରଦାନ କରାଯିବା ନେଇ ଘୋଷଣା କରିଛନ୍ତି ନବୀନ । ତେବେ ମାସକ ପରେ ହଠାତ୍ କାହିଁକି ଘୋଷଣା ବଦଳିଗଲା? କୁହାଯାଉଛି ରାଜ୍ୟରେ ମତଦାନର ଠିକ୍ ପୂର୍ବରୁ ଚାଷୀଙ୍କ ଆକାଉଣ୍ଟକୁ ୫ ହଜାର ଟଙ୍କା ଲେଖାଏଁ ପଠାଇବାକୁ ଏହି ଯୋଜନା କରାଯାଇଛି।

ଅନ୍ୟପଟେ ପିଏମ୍-କିଷାନରେ ଚାଷୀଙ୍କ ଆକାଉଣ୍ଟରେ ୨ ହଜାର ଲେଖାଏଁ ଜମା ହେବ। ତାର ପ୍ରଭାବ ନେଇ ବି ଚିନ୍ତା ରହିଛି । ତେଣୁ ନିର୍ବାଚନ ପୂର୍ବରୁ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇ ଭୋଟ୍ ଗୋଟାଇବାକୁ ସାନି ଉଦ୍ୟମ ହୋଇଥିବା ଚର୍ଚ୍ଚା ହେଉଛି । ତାଛଡ଼ା ସରକାର ବିରୋଧୀ ହାଓ୍ୱାକୁ ରୋକିବା ପାଇଁ ଚାଷୀଙ୍କୁ ଟଙ୍କା ବାଣ୍ଟିବା ହିଁ ଅବ୍ୟର୍ଥ ବାଣ ହେବ ବୋଲି ବିଜେଡି ଆଶା ରଖିଛି । ଏହା ଭୋଟ ପାଇଁ ଲାଞ୍ଚ ବୋଲି କଂଗ୍ରେସ ଅଭିଯୋଗ ଆଣିଥିବା ବେଳେ ବୁଡ଼ିବା ବେଳେ କୁଟାଖିଅ ଆଶା ବୋଲି କହିଛି ବିଜେପି ।

ନିର୍ବାଚନ ପୂର୍ବରୁ ଯେଉଁଠି ପିଏମ୍-କିଷାନରେ ମୋଦିଙ୍କ ମୁଣିରୁ ଚାଷୀ ପାଖରେ ୨ ହଜାର ଲେଖାଏଁ ପହଞ୍ଚିବ ସେଠି କାଳିଆ ଯୋଜନାରେ ନବୀନଙ୍କ ତରଫରୁ ୧୦ ହଜାର ଟଙ୍କା ପହଞ୍ଚାଇ ତାକୁ ଭୋଟ୍ ପ୍ରଚାରରେ ବ୍ୟବହାର କରିବାକୁ ବିଜେଡି ଲକ୍ଷ୍ୟ ରଖିଥିବା କୁହାଯାଉଛି । ତେବେ କେବଳ ଏ ଉଦ୍ୟମ ନୁହେଁ, ମାର୍ଚ୍ଚ ଦ୍ୱିତୀୟ ସପ୍ତାହରେ ନିର୍ବାଚନ ଘୋଷଣା ପୂର୍ବରୁ ନବୀନ, ସବୁ ଜିଲ୍ଲାକୁ ଘନ ଘନ ଗସ୍ତ କରି କୋଟି କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନରେ ଲାଗି ପଡ଼ିଛନ୍ତି ।

You might also like