ନଗଡ଼ାରେ ଫେଲ୍‌ ମାରିଛି କାଳିଆ ଯୋଜନା

ଦିନେ ଭୋକର ଭୂଗୋଳ ପାଇଁ ଚର୍ଚ୍ଚାରେ ଥିଲା

ଯାଜପୁର (ଅଭୟ ପତି ): ଦିନେ ଭୋକର ଭୂଗୋଳ ପାଇଁ ଚର୍ଚ୍ଚାରେ ଥିବା ଯାଜପୁର ଜିଲ୍ଲା ନଗଡ଼ାରେ ଏବେ ଫେଲ ମାରିଛି ସରକାରଙ୍କ କାଳିଆ ଯୋଜନା। ଚାଷୀ ଅଭିଯୋଗ କରିଛନ୍ତି ସେମାନେ କେବଳ କାଳିଆ ଯୋଜନାର ନାଁ ଶୁଣିଛନ୍ତି, ହେଲେ ଆବେଦନ କରିଥିଲେ ବି ଆଜି ଯାଏ ଟଙ୍କାଟିଏ ମିଳିନି। ସେପଟେ ପଇସା ମିଳିବା ତ ଦୂରର କଥା, ଚାଷ କାର୍ଯ୍ୟ ବନ୍ଦ ପାଇଁ ଜଙ୍ଗଲ ବିଭାଗ ବି ତାଗିତ କରୁଥିବା ସେମାନେ କହିଛନ୍ତି।

ଅପପୁଷ୍ଟି ଦ୍ୱାରା କବଳିତ ନଗଡ଼ାର ଖବର ସରକାରଙ୍କ ଦୃଷ୍ଟିକୁ ଆସିବା ପରେ ଏହାର ଉନ୍ନତି କରାଗଲା। ରାସ୍ତା, ପାନୀୟ ଜଳ, ବିଜୁଳି ଓ ବସ୍‌ ସେବା ଯୋଗାଇ ବାହାବା ସାଉଣ୍ଟିଥିଲେ ସରକାର। କିନ୍ତୁ ଏବେ ପୁଣି ବିଗିଡିଗଲାଣି ସ୍ଥିତି। ଆଜିବି ପାହାଡ଼ି ରାସ୍ତାରେ ଜୀବନକୁ ବାଜି ଲଗାଇ ଯିବା ଆସିବା କରୁଛନ୍ତି ନଗଡ଼ାବାସୀ।

ଗାଡ଼ି ମୋଟର ସୁବିଧା ନଥିବାରୁ ଯେଉଁ ଗୋଟିଏ ଗାଡ଼ି ଗାଁକୁ ଯାଉଛି, ସେଥିରେ ବିପଦସଙ୍କୁଳ ଅବସ୍ଥାରେ ଯାତ୍ରା କରୁଛନ୍ତି ଲୋକେ। ସେପଟେ ଧିରେ ଧିରେ ସମସ୍ତ ସୁବିଧା ଯୋଗାଇ ଦେବା ସହ ଖୁବ୍ ଶୀଘ୍ର କାଳିଆ ଯୋଜନାରେ ଚାଷୀଙ୍କୁ ଅନ୍ତର୍ଭୁକ୍ତ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ଦୁର୍ଗମ ଇଲାକା ନଗଡ଼ାରେ କେବେ ଦୂର ହେବ ଅସୁବିଧା ଏବଂ କେବେ ମିଳିବ କାଳିଆ ଯୋଜନାର ସୁଫଳ, ତାକୁ ଏବେ ଅପେକ୍ଷା।

You might also like