ଭୁବନେଶ୍ୱର: କାଳିଆ ଯୋଜନାରେ ୫୧ ଲକ୍ଷ ହିତାଧିକାରୀଙ୍କ ମଧ୍ୟରୁ ୯୮ ପ୍ରତିଶତ ଯୋଗ୍ୟ ଥିବା ବେଳେ ଆଉ ୨ ପ୍ରତିଶତ୍ ଅର୍ଥାତ୍ ୫୦ ହଜାର ହିତାଧିକାରୀ ଅଯୋଗ୍ୟ। ଏହି ହିତାଧିକାରୀଙ୍କୁ ଟଙ୍କା ଫେରସ୍ତ କରିବା ଲାଗି କୁହାଯାଇଛି।
ଏ ନେଇ ଆଜି ସୂଚନା ଦେଇଛନ୍ତି କୃଷି ସଚିବ ସୌରଭ ଗର୍ଗ। ସେ କହିଛନ୍ତି, ଟଙ୍କା ଫେରାଇବା ଲାଗି ଅଯୋଗ୍ୟ ହିତାଧିକାରୀଙ୍କୁ ଚିଠି ଲେଖାଯାଇଛି। ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ଦିଆଯାଇଛି। ଏଥିରେ ସେମାନେ ଟଙ୍କା ଫେରସ୍ତ କରିବେ। ଏମାନଙ୍କ ମଧ୍ୟରୁ କିଛି ହିତାଧିକାରୀ ଟଙ୍କା ଫେରସ୍ତ କଲେଣି ବୋଲି ସୌରଭ ଗର୍ଗ ସୂଚନା ଦେଇଛନ୍ତି।
ସେପଟେ କାଳିଆ ଟଙ୍କା ଫେରସ୍ତ ପାଇଁ ଅଯୋଗ୍ୟ ହିତାଧିକାରୀଙ୍କୁ ଚିଠି ପରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିରୋଧୀ। ବିଜେପିର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି, କେବଳ ଅଯୋଗ୍ୟ ହିତାଧିକାରୀ ନୁହେଁ, ଟଙ୍କା ପାଇ ନ ଥିବା କିଛି ଚାଷୀଙ୍କ ପାଖକୁ ମଧ୍ୟ ନୋଟିସ୍ ଯାଇଛି। ଅଯୋଗ୍ୟଙ୍କୁ ଟଙ୍କା ନେଇ ଗଡ଼ବଡ଼ କରିଥିବା ଅଧିକାରୀଙ୍କ ପାଖରୁ ଟଙ୍କା ଆଦାୟ ପାଇଁ ପ୍ରଦୀପ ପୁରୋହିତ ଦାବି କରିଛନ୍ତି।
ଅନ୍ୟପଟେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, ନିର୍ବାଚନ ପାଇଁ ସରକାର ଯୋଗ୍ୟ ଅଯୋଗ୍ୟ ନ ଦେଖି ବ୍ୟଗ୍ର ହୋଇ ଟଙ୍କା ବାଣ୍ଟି ଦେଲେ। ଏହି ଟଙ୍କା ବିଜେଡିର ନୁହେଁ, ଗରିବ ଲୋକଙ୍କ ଟଙ୍କା। ସେତେବେଳେ ଲୋକଙ୍କୁ ଟଙ୍କା ଦେଲ କାହିଁକି, ଏବେ ନୋଟିସ କରୁଛ ବୋଲି ପ୍ରଶ୍ନ କରିଛନ୍ତି ତାରା।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ସରକାର ଏ ବିଷୟରେ ତଦନ୍ତ କରୁନାହାଁନ୍ତି। ଯଦି ତଦନ୍ତ କରିବେ ତେବେ ଏକ ଲକ୍ଷରୁ ଅଧିକ ଅଯୋଗ୍ୟ ହିତାଧିକାରୀ ବାହାରିବେ। ଯେଉଁମାନେ ଏହି କେଲଙ୍କାରୀରେ ସାମିଲ୍ ଅଛନ୍ତି ସେମାନଙ୍କୁ ବହିଷ୍କାର କରାଯିବା ଦରକାର ବୋଲି ତାରାବାହିନୀ ପତି କହିଛନ୍ତି।
https://youtu.be/nP39awO9yWY