ମଣ୍ଡି ଅସନ୍ତୋଷ ଓ ବିରୋଧୀଙ୍କ ଟାର୍ଗେଟରୁ ବର୍ତ୍ତିବାକୁ ଦିଆଗଲା କି କାଳିଆ ମଲମ?

ପୁଣି ଫେରିଲା କାଳିଆ

  • ମଣ୍ଡି ଅସନ୍ତୋଷ ଓ ବିରୋଧୀଙ୍କ ଟାର୍ଗେଟରୁ ବର୍ତ୍ତିବାକୁ କି କାଳିଆ ମଲମ ?
  • ୩୪ ଲକ୍ଷ ଚାଷୀଙ୍କୁ ୭ଶହ କୋଟି ବଣ୍ଟାଯିବା ନେଇ ବିରୋଧୀଙ୍କ ପ୍ରଶ୍ନ
  • ପିପିଲି ଉପନିର୍ବାଚନ ଥୋପ କହି ସମାଲୋଚନା, ବିଜେଡି ରଖିଲା ଜବାବ

ଭୁବନେଶ୍ୱର: ମଣ୍ଡି ଅବ୍ୟବସ୍ଥାରୁ ବଢୁଥିବା ଚାଷୀ ଅସନ୍ତୋଷ ଭିତରେ ଡ୍ୟାମେଜ୍ କଣ୍ଟ୍ରୋଲ ପାଇଁ କାଳିଆ ଥୋପ ଦିଆଯାଇଛି କି? ନୂଆ ଆର୍ଥିକ ବର୍ଷର ପ୍ରଥମ ଦିନରେ କାଳିଆ ଯୋଜନାରେ ରାଜ୍ୟ ସରକାର ୭ ଶହ କୋଟି ବାଣ୍ଟିବାକୁ ନେଇ ଜୋର୍ ଧରିଛି ଏଭଳି ଚର୍ଚ୍ଚା। ତେବେ ପିପିଲି ଉପନିର୍ବାଚନ ପ୍ରକ୍ରିୟା ଭିତରେ ୩୪ ଲକ୍ଷ ଚାଷୀଙ୍କୁ କାଳିଆ ଟଙ୍କା ପଠାଇବା ପଛରେ ରାଜନୀତିର ଗନ୍ଧ ବାରିଛନ୍ତି ବିରୋଧୀ। ପିପିଲି ଉପନିର୍ବାଚନ ବୈତରଣୀ ପାରିହେବାକୁ ଏହି ଯୋଜନା ବୋଲି ବିରୋଧୀ ଅଭିଯୋଗ କରିଥିବା ବେଳେ ବିଜେଡି ତାର ଜବାବ ବି ରଖିଛି।

ପୁଣି ଫେରିଲା କାଳିଆ ଯୋଜନା। କାଳିଆ ଥୋପ ପକାଇ ଚାଷୀଙ୍କୁ ହାତରେ ରଖିବାକୁ ରାଜ୍ୟ ସରକାରଙ୍କ ଭରପୁର ଉଦ୍ୟମ ଜାରି ରହିଛି। ରବି ଫସଲ ପାଇଁ ୩୪ ଲକ୍ଷ ଚାଷୀଙ୍କୁ ୭ ଶହ କୋଟି ଦେବାକୁ ହୋଇଛି ଘୋଷଣା ହୋଇଛି। ତେବେ ହଠାତ୍ କାହିଁକି ଚାଷୀଙ୍କ ପ୍ରତି ଏତେ ଦରଦ? ଗୋଟିଏ ପଟେ ମଣ୍ଡି ଅବ୍ୟବସ୍ଥାକୁ ନେଇ ଚାଷୀଙ୍କ ଭିତରେ ତେଜୁଛି ଅସନ୍ତୋଷ। ଅନ୍ୟପଟେ ବିଜେପି, କଂଗ୍ରେସ୍ ବି ଧାନ କିଣା ଅବ୍ୟବସ୍ଥାକୁ ନେଇ ବିଧାନସଭାରେ କରୁଛନ୍ତି ତୁମ୍ବିତୋଫାନ। ଏପରିକି ପ୍ରସଙ୍ଗ ବିଧାନସଭାରୁ ବାହାରି ନବୀନ ନିବାସରେ ପହଞ୍ଚିଥିଲା। ଯାହାକି ରାଜ୍ୟ ସରକାରଙ୍କୁ ଅଡୁଆରେ ପକାଇଥିଲା। ତେଣୁ ଚର୍ଚ୍ଚା ହେଉଛି ଚାଷୀ ଅସନ୍ତୋଷକୁ ପ୍ରଶମିତ କରିବା ପାଇଁ କାଳିଆ ଥୋପ ପକାଯାଇଛି। ବର୍ତ୍ତମାନ ସୁଦ୍ଧା କାଳିଆ ଯୋଜନାରେ ପ୍ରାୟ ୭ ହଜାର ୪ ଶହ କୋଟି ଖର୍ଚ୍ଚ କରିଛନ୍ତି ରାଜ୍ୟ ସରକାର। ଉତ୍କଳ ଦିବସ ଅବସରରେ କାଳିଆ ଟଙ୍କା ଘୋଷଣା ବେଳେ ଚାଷୀର ମନ ଜିଣିବାକୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରସଙ୍ଗ ବି ଉଠାଇଥିଲେ ନବୀନ।  

ପିପିଲିି ଉପନିର୍ବାଚନ ଯୋଗୁଁ ଏବେ ପୁରୀ ଜିଲ୍ଲାରେ ଲାଗିଛି ନିର୍ବାଚନ ଆଚରଣ ବିଧି। ତେଣୁ ପୁରୀକୁ ଛାଡି ଅନ୍ୟ ସମସ୍ତ ଜିଲ୍ଲାର ଚାଷୀଙ୍କୁ କାଳିଆ ଟଙ୍କା ଦିଆଯାଇଛି। ତେବେ ବିରୋଧୀ ଅଭିଯୋଗ କରିଛନ୍ତି, ପିପିଲିବାସୀଙ୍କୁ କାଳିଆ ଟଙ୍କା ଆଶା ଦେଖାଇ ଭୋଟ୍ ହାତେଇବା ପାଇଁ ଯୋଜନା କରୁଛି ବିଜେଡି। ଆଗକୁ ଥିବା ପଞ୍ଚାୟତ ନିର୍ବାଚନ ପାଇଁ ଏହା ବିଜେଡିର ପ୍ରାଥମିକ ରଣନୀତି ବୋଲି କୁହାଯାଇଛି। ଯାହାକୁ ନେଇ ବିରୋଧୀ ରାଜ୍ୟ ସରକାରଙ୍କୁ ନିଶାନା କରିଛନ୍ତି। ବିଜେଡି କହିଛି ପିପିଲି ଉପନିର୍ବାଚନକୁ ଏହା ସହ ଯୋଡିବା ଉଚିତ ନୁହେଁ।

କାଳିଆ ଯୋଜନାରେ ଟଙ୍କା ଦେବାକୁ ରାଜ୍ୟ ସରକାର ତତ୍ପରତା ଦେଖାଉଛନ୍ତି। ହେଲେ କେନ୍ଦ୍ରର ପିଏମ୍-କିଷାନ ଯୋଜନାରେ ସବୁ ହିତାଧିକାରୀଙ୍କ ତାଲିକା ଦେଉନଥିବା ଅଭିଯୋଗ ହୋଇଥିଲା। ଯାହାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ରାଜ୍ୟ କୃଷିମନ୍ତ୍ରୀ ତାର ଜବାବ୍ ରଖି ଧର୍ମେନ୍ଦ୍ରକୁ ଚିଠି ଲେଖିବାପରେ ବିବାଦ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କ ପାଖରେ ପହଞ୍ଚିଥିଲା। ଏନେଇ ସମସ୍ତ ବୈଷୟକି ସମସ୍ୟା ଦୂର କରାଯାଇ ଚାଷୀଙ୍କୁ ସହାୟତା ଯୋଗାଇ ଦିଆଯିବ ବୋଲି ତୋମାର୍ କହିଥିଲେ। ତେଣୁ ଚାଷୀଙ୍କ ମନ କିଏ ଜିଣିପାରୁଛି ତା ଉପରେ ରହିଛି ନଜର।

ଭୁବନେଶ୍ୱରୁ ଅରିନ୍ଦମ ଦାଶ ଓ ହରିହର ଚାନ୍ଦଙ୍କ ରିପୋର୍ଟ

You might also like