ଆଶ୍ରୟ ଗୃହରେ ନାବାଳିକାଙ୍କୁ ଯୌନ ନିର୍ଯାତନା ଘଟଣା ; ଗିରଫ ହେଲେ ସଂସ୍ଥାର ନିର୍ଦ୍ଦେଶକ

ବଲାଙ୍ଗିର( ମନୋରଂଜନ ଯୋଷୀ) : ଭବାନୀପାଟଣା ଆଶ୍ରୟ ଗୃହରେ ନାବାଳିକାକୁ ଯୌନ ନିର୍ଯାତନା ଘଟଣାରେ ଗିରଫ ହେଲେ ସଂସ୍ଥାର ନିର୍ଦ୍ଦେଶକ ସରୋଜ ଦାସ। ବଲାଙ୍ଗିର ସି.ଡବ୍ଳୁ.ସି ତଦନ୍ତ କରି କୁକର୍ମ ସତ ବୋଲି ଭବାନୀପାଟଣା ସି.ଡବ୍ଳୁ.ସି କୁ ରିପୋର୍ଟ ଦେବା ପରେ ଅଭିଯୁକ୍ତ ନାଁରେ ରୁଜୁ ହୋଇଥିଲା ମାମଲା। କିନ୍ତୁ ତଦନ୍ତ ପାଇଁ ବଲାଙ୍ଗିର ଆସିଥିବା ଭବାନୀପାଟଣା ପୁଲିସ ଟିମ୍‌ର କାର୍ଯ୍ୟକଳାପକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ବଲାଙ୍ଗିର ସି.ଡବ୍ଳୁ.ସି ଅଧ୍ୟକ୍ଷ। ମାମଲାର ତଦନ୍ତ ଦିଗହରା ହୋଇପାରେ ବୋଲି ମଧ୍ୟ ଆଶଙ୍କା କରିଛନ୍ତି।

ରବିବାର ପୀଡ଼ିତା ଝିଅ ଓ ତାଙ୍କ ମା’ଙ୍କୁ ଡାକି ସି.ଡବ୍ଳୁ.ସି ଅଧ୍ୟକ୍ଷ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଓ ଅନ୍ୟାନ୍ୟ ଅଧିକାରୀ ମିଳିତ ଭାବରେ ଦୁଇଘଣ୍ଟା ଧରି ରୁଦ୍ଧ କଠୋରୀ ଭିତରେ ତଦନ୍ତ କରିଥିଲେ। ତା ପରେ ସି.ଡବ୍ଳୁ.ସି ଭବାନୀପାଟଣାକୁ ତଦନ୍ତ ରିପୋର୍ଟ ଦେଇଥିଲେ ବଲାଙ୍ଗିର ସି.ଡବ୍ଳୁ.ସି ଅଧ୍ୟକ୍ଷ ଏବଂ ସେଠାରେ ଏତଲା ରୁଜୁ କରିବା ପାଇଁ ଅନୁରୋଧ କରିଥିଲେ।

କିନ୍ତୁ ଠିକ୍ ଏହି ସମୟରେ ଭବାନୀପାଟଣାରୁ ଏଚ୍.ଆର.ପି.ସି ,ଡି.ଏସ୍.ପିଙ୍କ ନେତୃତ୍ୱରେ ଏକ ତିନି ଜଣିଆ ଟିମ୍‌ ଆସି ପହଞ୍ଚିଥିଲେ ବଲାଙ୍ଗିରରେ।  ସି.ଡବ୍ଳୁ.ସିଙ୍କ ସହିତ ଫୋନରେ ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ପ୍ରକାର ସାକ୍ଷାତ ନକରି ସିଧାସଳଖ ପୀଡ଼ିତାଙ୍କ ଘରକୁ ଯାଇ ମା’ ଓ ଝିଅକୁ ଗାଡ଼ିରେ ବସାଇ ଆଣିଥିଲେ।

ଏହି ସମୟରେ କଳାହାଣ୍ଡି ଏଚ୍.ଆର.ପି.ସି  ଡି.ଏସ.ପିଙ୍କୁ ପଚରା ଯିବାରୁ ସିଧା ସିଧା ଉତ୍ତର ଦେଇଥିଲେ, ଏଇଠି ତଦନ୍ତ କରିବୁ, ମାଆ ଝିଅଙ୍କୁ କୋଉଠିକୁ ନେବୁ ନାହିଁ। କିନ୍ତୁ କୌଣସି ଏକ ଅଜଣା ଜାଗାକୁ ନେଇ ତଦନ୍ତ କରୁଥିବା କହି, ସିଧା ମାଆ ଝିଅକୁ ନେଇ ଯାଇଥିଲେ।

ଭବାନୀପାଟଣା  ପୁଲିସର ଏପରି କାର୍ଯ୍ୟକଳାପକୁ ନିନ୍ଦା କରିଛନ୍ତି ବଲାଙ୍ଗିର ସି.ଡବ୍ଳୁ.ସି ଅଧ୍ୟକ୍ଷ। ଏପରିକି ତଦନ୍ତ ଦିଗହରା ହୋଇପାରେ ବୋଲି ମଧ୍ୟ ଆଶଙ୍କା ପ୍ରକାଶ କରିଛନ୍ତି।

ଉଲ୍ଲେଖନୀୟ ଯେ, ଭବାନୀପାଟଣାରେ ଥିବା ଆଶ୍ରୟ ଗୃହ ଭିଜନରେ ଅନ୍ତେବାସୀ ନାବାଳିକାଙ୍କୁ ଯୌନ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ଆସିବା ପରେ, ପରଦିନ ରାତିରେ ଆଶ୍ରୟ ଗୃହ ଉପରେ ଚଢ଼ଉ କରିଥିଲେ ଭବାନୀପାଟଣା ଉପଜିଲ୍ଳାପାଳ।

ରବିବାର ସକାଳୁ ସକାଳୁ ତଦନ୍ତ କରିଥିଲା ଭବାନୀପାଟଣା ପୁଲିସ।

ଆଶ୍ରୟ ଗୃହ ଭିତରେ ପୁଲିସର ତଦନ୍ତ ପ୍ରକ୍ରିୟା ଏମିତି ଥିଲା —

ଆଶ୍ରହ ଗୃହ ବାହାରେ ଜଗିଥିଲେ ଖାକି ବର୍ଦ୍ଦି ପିନ୍ଧା ପୁଲିସ।  ଆଉ ଭିତରେ ଖାକି ବର୍ଦ୍ଦି ପିନ୍ଧି, ଜଣ ଜଣ କରି ଛୁଆଙ୍କୁ ଡାକି ତଦନ୍ତ କରୁଥିଲେ ପୁଲିସ ବାବୁ।  ତଦନ୍ତ ସମୟରେ ପୁଲିସ ବାବୁଙ୍କ କଡ଼ରେ ବସିଥିଲା ଖୋଦ ଅଭିଯୁକ୍ତ ସରୋଜ ଦାସ। ଏଥିରୁ ଜଣାପଡୁଛି ପୁଲିସର ତଦନ୍ତ କେତେ ନିରପେକ୍ଷ।

 ଖାଲି ସେତିକି ନୁହେଁ, କୌଣସି ନାବାଳିକ ରହୁଥିବା ଆଶ୍ରୟ ଗୃହକୁ ପୁଲିସ ଡ୍ରେସରେ ଯାଇ ତଦନ୍ତ ନକରିବା ପାଇଁ ନିୟମ ଥିବା ବେଳେ ଏଠି ନିୟମ ଉଲ୍ଳଂଘନ କରି ଅଭିଯୁକ୍ତକୁ ପାଖରେ ବସାଇ ତଦନ୍ତ କରୁଛି କଳାହାଣ୍ଡି ପୁଲିସ।  ଏ ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରିବେ ବୋଲି କହିଛନ୍ତି ବଲାଙ୍ଗିର ସି.ଡବ୍ଳୁ.ସି ଅଧ୍ୟକ୍ଷ।

ତେବେ ଏନେଇ କଳାହାଣ୍ଡି ପୁଲିସର ପ୍ରତିକ୍ରିୟା ମିଳିପାରିନାହିଁ।

 

 

 

You might also like