୫ ସାଇବର ଠକଙ୍କୁ ଧରିଲା ପୋଲିସ
ଭୁବନେଶ୍ୱର: ଭବାନୀପାଟଣାରେ ବରିଷ୍ଠ ନାଗରିକଙ୍କ ଠାରୁ ଅଢେଇ ଲକ୍ଷରୁ ଅଧିକ ଟଙ୍କା ଠକିନେଇଥିବା ୫ ଜଣ ସାଇବର ଠକଙ୍କୁ ପୋଲିସ ଗିରଫ କରିଛି। ଗତ ୧୮ ତାରିଖରେ ଭବାନୀପାଟଣା ଶର୍ମା କଲୋନୀର ଅବସରପ୍ରାପ୍ତ ବରିଷ୍ଠ ନାଗରିକ ଗଙ୍ଗାଧର ସୁବୁଦ୍ଧିଙ୍କୁ ଏକ ଫୋନ କଲ୍ ଆସିଥିଲା। ଜିଓ ଫୋନ କଷ୍ଟମର କେୟାରରୁ ଫୋନ୍ କରିଥିବା କହି ଅଜଣା ବ୍ୟକ୍ତି ଜଣକ ବିଭିନ୍ନ ମନଲୋଭା କଥା କହିଥିଲା। ବ୍ୟାଙ୍କ ଆକାଉଣ୍ଟ ନମ୍ବର ଏବଂ ଓଟିପି ପଠାଇବା ପରେ ଗଙ୍ଗାଧରଙ୍କ ଆକାଉଣ୍ଟରୁ ୨ ଲକ୍ଷ ୬୫ ହଜାର ଟଙ୍କା ଗାଏବ ହୋଇ ଯାଇଥିଲା।
ଅଭିଯୋଗ ପରେ କଳାହାଣ୍ଡି ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରିଥିଲା ଘଟଣାରେ ୫ ଜଣ ଠକଙ୍କୁ ଗିରଫ କରାଯାଇଥିବା ବେଳେ ସମସ୍ତେ ଉତ୍ତର ପ୍ରଦେଶ ହମିରପୁର ଅଞ୍ଚଳର ବୋଲି ପୋଲିସ ସୂଚନା ଦେଇଛି।
କଳାହାଣ୍ଡି ପୋଲିସ୍ ଗଣମାଧ୍ୟକୁ ସୂଚନା ଦେଇ କହିଥିଲେ ଯେ- ଏହି ଲୁଟ୍ ସମ୍ପର୍କିତ ଯେତେବେଳେ ଖବର ଆସିଲା ଖୋଦ୍ ଏସ୍ପି ଏହାର ତଦନ୍ତ କରିଥିଲେ। ଏନେଇ ଗୋଟିଏ ସ୍ପେଶାଲ ଟିମ୍ ଗଠନ ହୋଇଥିଲା। କିଛି ଦିନ ଧରି ଆମେ ଲୋକେସନ୍ ଟ୍ରେସ୍ କରୁଥିଲୁ। ଉତ୍ତର ପ୍ରଦେଶ ହମିରପୁର ଅଞ୍ଚଳକୁ ଆମେ ଯାଇଥିଲୁ, ସେଠାରେ ଆମେ ୫ ଜଣ ଅଭିଯୁକ୍ତଙ୍କୁ ଧରିଥିଲୁ। ଆଉ ଜଣେ ଅଭିଯୁକ୍ତ ଫେରାର ଅଛି। ମୁଖ୍ୟ ଅଭିଯୁକ୍ତ ଠାରୁ ୫୨ ହଜାର ଟଙ୍କା ଜବତ ହୋଇଛି।
ରାଜ୍ୟରେ ସାଇବର ଠକେଇ ମାମଲା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏଥିରେ ଲଗାମ ଲଗାଇବାକୁ ସାଇବର ଠକେଇ ରୋକିବାକୁ କମିଶନରେଟ ପୋଲିସ ପକ୍ଷରୁ ଏକ ହେଲ୍ପ ଡେସ୍କ ଖୋଲାଯାଇଛି। କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ୱାଡ୍ରେ ଆରମ୍ଭ ହୋଇଛି ଏହି ହେଲ୍ପ ଡେସ୍କ। ତା ସହିତ ଏକ ଫୋନ୍ ନମ୍ବର ମଧ୍ୟ ଜାରି କରାଯାଇଛି। ସାଇବର ଠକେଇର ଶିକାର ହୋଇଥିବା ବ୍ୟକ୍ତି 744-000-6709 ଏହି ନମ୍ବର ଜଣାଇବାକୁ ପରାମର୍ଶ ଦିଆଯାଇଛି। କିନ୍ତୁ ପୋଲିସ୍ ଆଖିରେ ଅଙ୍ଗୁଳି ଗେଞ୍ଜି ସବୁକିଛି ଲୁଟ୍ କରି ନେଇଯାଉଛନ୍ତି। ପୋଲିସ୍ ଡାଳେ ଡାଳେ ଗଲେ ଲୁଟେରା ପତ୍ରେ ପତ୍ରେ ଯାଉଛନ୍ତି।
ପୋଲିସ କମିଶନର ସୁଧାଂଷୁ ଷଡ଼ଙ୍ଗୀ କହିବାନୁସାରେ, ଠକେଇର ପ୍ରଥମ ୧ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ ଥିବାରୁ ଏହି ସମୟ ମଧ୍ୟରେ ହେଲ୍ପ ଡେସ୍କରେ ଜଣାଇବାକୁ ପରାମର୍ଶ ଦେଇଛନ୍ତି। ବର୍ତ୍ତମାନ ଏହି ହେଲ୍ପ ଡେସ୍କରେ ଜଣେ ସବ୍ ଇନ୍ସପେକ୍ଟର ଏବଂ ୭ ଜଣ କନଷ୍ଟେବଲଙ୍କୁ ଦାୟିତ୍ୱ ଦିଆଯାଇଛି।
ସେହିପରି ପୂର୍ବରୁ ସାଇବର ଠକ ଜମତରା ଗ୍ୟାଙ୍ଗ ପ୍ରତି ସତର୍କ ରହିବାକୁ କହିଥିଲେ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ। କେହି ଟେଲିଫୋନ କରି ବ୍ୟାଙ୍କ ସଂପର୍କିତ ତଥ୍ୟ ମାଗିଲେ ନଦେବାକୁ କହିଛନ୍ତି ସିପି। ସେହିଭଳି ଅନଲାଇନ ଟ୍ରାଞ୍ଜାକସନ କଲା ବେଳେ ଯଥେଷ୍ଟ ସତର୍କ ରହିବାକୁ ପରାମର୍ଶ ମଧ୍ୟ ଦେଇଛନ୍ତି। ଯଦି ଅନଲାଇନ କାରବାର କରୁଛନ୍ତି, ବ୍ୟାଙ୍କର ଅଥରାଇଜ ସାଇଟ୍ ଖୋଲିବାକୁ ଅନୁରୋଧ କରିଛନ୍ତି।
ସାଇବର ଠକାମୀ ବିଷୟରେ କେନ୍ଦ୍ର ଗୃହ ମନ୍ତ୍ରାଳୟର ତଥ୍ୟ କହୁଛି, ଗତବର୍ଷ ଦେଶରେ କୋଲକତାରୁ ସର୍ବାଧିକ ୧୫ କୋଟି ଟଙ୍କା ସାଇବର୍ ଠକେଇ ହୋଇଥିବା ବେଳେ, ଓଡ଼ିଶାରେ ୬୨ ଲକ୍ଷରୁ ଅଧିକ ଟଙ୍କା ଗାଏବ ହୋଇଛି। ଏଭଳି ଅପରାଧ ରୋକିବାକୁ ମନ୍ତ୍ରାଳୟ ପକ୍ଷରୁ ସାଇବର୍ ସେଫ୍ ପୋର୍ଟାଲ୍ ତିଆରି କରାଯାଇ, ସେଥିରେ ଦେଶର ସବୁ ବ୍ୟାଙ୍କ୍, ଫୋନ୍ ସେବା ପ୍ରଦାନକାରୀ ସଂସ୍ଥା ଓ ସୁରକ୍ଷା ସଂସ୍ଥାକୁ ଯୋଡ଼ାଯାଇଛି। ଏହା ଦ୍ୱାରା ଏଯାବତ୍ ଠକେଇ ଲିଙ୍କରେ ୨୫ ହଜାର ମୋବାଇଲ୍ ନମ୍ବର ବ୍ୟାନ୍ କରାଗଲାଣି।