ମୋବାଇଲ ଗିଫ୍ଟ ଓ କ୍ୟାଶ୍‌ ପ୍ରାଇଜ୍‌ର ଲୋଭନୀୟ ଅଫର୍‌ ଦେଖାଇ ଠକିନେଲେ ୨ ଲକ୍ଷ ୬୫ ହଜାର ଟଙ୍କା

କଳାହାଣ୍ଡି(ରାଜକୁମାର ସିଂ ଦେଓ): ଦିନକୁ ଦିନ ସାଇବର ଠକମାନେ ବିଭିନ୍ନ ପ୍ରକାରର ଲୋଭନୀୟ ଅଫର ଦେଇ ଅନ୍‌ଲାଇନ୍‌ରେ ଲୋକଙ୍କ ଆକାଉଣ୍ଟରୁ ଟଙ୍କା ଗାଏବ କରିବାରେ ସଫଳ ହେଉଛନ୍ତି। ଏଭଳି ସାଇବର ଠକଙ୍କ ନିକଟରୁ ଦୂରେଇ ରହିବା ପାଇଁ ଲୋକଙ୍କୁ ଅନେକ ପ୍ରକାରର ସଚେତନତା କରାଯାଉଛି। ଏସବୁ ସତ୍ତ୍ୱେ ମଧ୍ୟ ଲୋକମାନେ ଠକାମିର ଶିକାର ହେଉଛନ୍ତି। କଳାହାଣ୍ଡି ଜିଲ୍ଲାରେ ଏଭଳି ଏକ ଘଟଣା ଘଟିଛି। ଜଣେ ଅବସରପ୍ରାପ୍ତ କର୍ମଚାରୀ ଏହି ଠକାମିର ଶିକାର ହେବାସହ ତାଙ୍କ ନିଜ ଆକାଉଣ୍ଟ ଓ ତାଙ୍କ ସ୍ତ୍ରୀଙ୍କ ଆକାଉଣ୍ଟରୁ ଗାଏବ ହୋଇଯାଇଛି ୨ ଲକ୍ଷ ୬୫ ହଜାର ଟଙ୍କା।

ସୂଚନା ଅନୁସାରେ, ଶନିବାର ମଧ୍ୟାହ୍ନରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଶର୍ମା କଲୋନୀର ଗଙ୍ଗାଧର ସୁବୁଦ୍ଧିଙ୍କ ନିକଟକୁ ଏକ ଅଜଣା ନମ୍ବରରୁ ଫୋନ କଲ୍‌ ଆସିଥିଲା। ଅଜଣା ନମ୍ବରରୁ କଲ୍‌ କରିଥିବା ବ୍ୟକ୍ତି ଜଣକ ଏକ ମୋବାଇଲ୍‌ କମ୍ପାନୀର କଷ୍ଟମର କେୟାର ଭାବେ ନିଜର ପଚରିୟ ଦେଇଥିଲେ। ଏହାପରେ କିଛି ସମସ୍ୟା ଅଛି କି ବୋଲି ସେ ଗଙ୍ଗାଧରଙ୍କୁ ପଚାରିବା ସହ ଏହାର ସମାଧାନ ଲାଗି ସେ ବ୍ୟକ୍ତିଗତ ତଥ୍ୟ ମାଗିଥିଲେ।  ନୂଆବର୍ଷ ପାଇଁ ମାଗଣା ଅଫର ଅଛି ଓ ମୋବାଇଲ ଗିଫ୍ଟ ମିଳିବ। ଏହାସହ ୨୦ ହଜାର ଟଙ୍କା କ୍ୟାଶ୍‌ ପ୍ରାଇଜ୍‌ ମିଳିବ ବୋଲି ସମ୍ପୃକ୍ତ ବ୍ୟକ୍ତି ଗଙ୍ଗାଧରଙ୍କୁ କହିଥିଲେ। ଏହା ଶୁଣିବା ପରେ ଗଙ୍ଗାଧର ଉକ୍ତ ବ୍ୟକ୍ତିଙ୍କ ନିର୍ଦ୍ଦେଶକୁ ଅନୁସରଣ କରିଥିଲେ। କିନ୍ତୁ ଠକ ଜଣକ କିଛି ସମୟ ପରେ  OTP ନ ନେଇ ମଧ୍ୟ ବାରମ୍ବାର ଗଙ୍ଗାଧରଙ୍କ ଆକାଉଣ୍ଟରୁ ଗୁଗୁଲ୍‌ ପେ’ ରେ ୨୦ ହଜାର ଟଙ୍କା ଲେଖାଏ ୫ ଥରରେ ୧ଲକ୍ଷ ଟଙ୍କା ଓ ବ୍ୟାଙ୍କ ଆକାଉଣ୍ଟ ରୁ ୪୫ ହଜାର ନେଇ ଯାଇଥିଲା। ଏପରିକି ଗଙ୍ଗାଧରଙ୍କ ସ୍ତ୍ରୀଙ୍କ ଆକାଉଣ୍ଟରୁ ମଧ୍ୟ ୧ ଲକ୍ଷ ୨୦ହଜାର ଟଙ୍କା ଠକ ଜଣକ ନେଇ ଯାଇଥିଲା। ଠକ ଜଣକ ଗଙ୍ଗାଧର ଓ ତାଙ୍କ ସ୍ତ୍ରୀଙ୍କ ଆକାଉଣ୍ଟରୁ ସମୁଦାୟ ୨ ଲକ୍ଷ ୬୫ ହଜାର ଟଙ୍କା ଗାଏବ କରି ନେଇ ଯାଇଥିଲେ।

ଆକାଉଣ୍ଟରୁ ଟଙ୍କା ଗାଏବ ହେବା ଦେଖି ଗଙ୍ଗାଧରଙ୍କର ସନ୍ଦେହ ହୋଇଥିଲା। କିନ୍ତୁ ସେତେବେଳକୁ ତାଙ୍କ ଆକାଉଣ୍ଟରୁ ୧ ଲକ୍ଷ ଟଙ୍କା ଆକାଉଣ୍ଟରୁ ଚାଲି ଯାଇଥିଲା। ଆକାଉଣ୍ଟରୁ ଟଙ୍କା କଟିବା ନେଇ ଗଙ୍ଗାଧର ଫୋନ୍‌ କରିଥିବା ଉକ୍ତ ବ୍ୟକ୍ତିଙ୍କୁ କହିଥିଲେ। ଆପଣଙ୍କ ଟଙ୍କା ପୁଣି ଫେରି ପାଇବେ ବୋଲି ବ୍ୟକ୍ତି ଜଣକ ଗଙ୍ଗାଧରଙ୍କୁ କହିଥିଲେ। ଶେଷରେ ସେ ଠକାମିର ଶିକାର ହୋଇଛନ୍ତି ବୋଲି ଗଙ୍ଗାଧର ଜାଣିପାରିଥିଲେ।

ଠକାମିର ଶିକାର ହେବାପରେ ଗଙ୍ଗାଧର ପୋଲିସର ଦ୍ୱାରସ୍ଥ ହୋଇଛନ୍ତି। ଏନେଇ ଭବାନୀଟପାଟଣା ଟାଉନ ଥାନାରେ ସେ ଏତଲା ଦେଇଛନ୍ତି। ଏତଲା ଆଧାରରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

You might also like