ନୟାଗଡ଼ର କୁନିଝିଅ ହତ୍ୟା ମାମଲାରେ SITକୁ ଆଉ ଏକ ଝଟ୍‌କା

ନୟାଗଡ଼: ନୟାଗଡ଼ର କୁନିଝିଅ ହତ୍ୟା ମାମଲାରେ SITକୁ ପୁଣି ଏକ ଝଟ୍‌କା। ନାର୍କୋ ଆନାଲିସିସ୍ ଟେଷ୍ଟ ପାଇଁ ଅଭିଯୁକ୍ତ ନାବାଳକ ଅରାଜି ହେବା ପରେ ନୟାଗଡ଼ ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡ ଏସ୍‌ଆଇଟିର ଆବେଦନକୁ ଖାରଜ କରିଦେଇଛନ୍ତି। ଏହାପରେ ଏସ୍‌ଆଇଟି ବ୍ରେନ୍ ମ୍ୟାପିଂ ପାଇଁ ପୁଣି ଥରେ ଆବେଦନ କରିଛି। ଆସନ୍ତା ୧୩ ତାରିଖରେ ଏହି ଆବେଦନ ଉପରେ ଶୁଣାଣି କରିବେ ଜୁଭେନାଇଲ୍ ଜଷ୍ଟିସ ବୋର୍ଡ। ସେପଟେ ଅଭିଯୁକ୍ତଠାରୁ ଜବତ ହୋଇଥିବା ମୋବାଇଲର ପରୀକ୍ଷା ପାଇଁ ଜୁଭେନାଇଲ ଜଷ୍ଟିସ୍ ବୋର୍ଡରେ SIT ଆବେଦନ କରିଥିଲା। କୋର୍ଟଙ୍କ ଅନୁମତି ପରେ ମୋବାଇଲକୁ କୋଲକାତା ପଠାଯାଇଥିବା ସୂଚନା ମିଳିଛି।

ନୟାଗଡ଼ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ଅଭିଯୁକ୍ତ ନାବାଳକକୁ ହାଜର କରାଯାଇଥିଲା ଅନୁଗୁଳ ବାଳ ସୁଧାର ଗୃହରୁ SIT ଆଣି ନୟାଗଡ଼ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ହାଜର କରିଥିଲା। ନାବାଳିକା ହତ୍ୟା ମାମଲାରେ ଜଣେ ଅଭିଯୁକ୍ତକୁ ଗିରଫ କରିଥିଲା ଏସ୍‌ଆଇଟି। ଅଭିଯୁକ୍ତକୁ ସାବାଳକ ଦର୍ଶାଇ କୋର୍ଟ ଚାଲାଣ କରିଥିଲା SIT।

ଓସିଫିକେସନ୍ ଟେଷ୍ଟ ରିପୋର୍ଟ ଆଧାରରେ ଅଭିଯୁକ୍ତକୁ ସାବାଳକ ଦର୍ଶାଇ କୋର୍ଟରେ ହାଜର କରିଥିଲା SIT। ଫଳରେ କୋର୍ଟ ଅଭିଯୁକ୍ତକୁ ଜେଲ୍ ପଠାଇଦେଇଥିଲେ। ଅଭିଯୁକ୍ତ ବିରୋଧରେ ନାବାଳିକା ଦୁଷ୍କର୍ମ, ଅପହରଣ, ହତ୍ୟା ସହ ପ୍ରମାଣ ନଷ୍ଟ ସହ ପୋକ୍ସୋ ଆଇନର ଧାରା ୬ ଅନୁସାରେ ଦଫା ଲାଗିଥିଲା। ଏହି ସମୟରେ ଗିରଫ ଅଭିଯୁକ୍ତର ପରିବାର ଲୋକେ ବି SITର ସାବାଳକ ଥିଓରୀ ସହ ସହମତି ହୋଇନଥିଲେ।

ପରେ କୋର୍ଟରେ ଅଭିଯୁକ୍ତର ଜନ୍ମ ପ୍ରମାଣପତ୍ର ଓ ମାଟ୍ରିକ ସାର୍ଟିଫିକେଟ ଦାଖଲ କରିଥିଲେ ଓକିଲ। ପ୍ରମାଣ ପାଇଲା ପରେ ଅଭିଯୁକ୍ତକୁ ନାବାଳକ ବୋଲି କୋର୍ଟ ଦର୍ଶାଇଥିଲେ। ଅଭିଯୁକ୍ତ ନାବାଳକ ହୋଇଥିବାରୁ SITର ନାର୍କୋ ଆନାଲିସିସ୍ ଟେଷ୍ଟ ଅପିଲ ଖାରଜ କରିଥିଲେ କୋର୍ଟ। ଏପରିକି ନାର୍କୋ ଟେଷ୍ଟ ଅପିଲକୁ ଜୁଭେନାଇଲ ଜଷ୍ଟିସ ବୋର୍ଡକୁ ପଠାଇ ଦିଆଯାଇଥିଲା।

ସେପଟେ ଏହି ନୟାଗଡ଼ ନାବାଳିକା ହତ୍ୟା  ପ୍ରସଙ୍ଗରେ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଟୁଇଟ କରିଛି କଂଗ୍ରେସ। ମାମଲାର ସିବିଆଇ ତଦନ୍ତ ଦାବି କରି ଟୁଇଟ କରିବା ସହ ଏକ ଦାବିପତ୍ର ଦେଇଛନ୍ତି ନୟାଗଡ଼ ଜିଲ୍ଲା କଂଗ୍ରେସ ସଭାପତି ରଣଜିତ ଦାସ। ନାବାଳିକା ହତ୍ୟା ଘଟଣାର ତଦନ୍ତ ଏସ୍ଆଇଟି କରୁଥିବାବେଳେ କୋର୍ଟରୁ ଝଟକା ପରେ ଝଟକା ଖାଉଛି ଏସଆଇଟି। ଫଳରେ ତଦନ୍ତ ଦିଗହରା ହେଉଛି ବୋଲି ଦର୍ଶାଇ ଗୃହମନ୍ତ୍ରୀଙ୍କୁ ଟୁଇଟ କରିବା ସହ ଏକ ଦାବିପତ୍ର ମଧ୍ୟ ପଠାଇଥିବା କହିଛନ୍ତି ନୟାଗଡ଼ ଜିଲ୍ଲା କଂଗ୍ରେସ ସଭାପତି ରଣଜିତ ଦାସ। ତେବେ କଂଗ୍ରେସର ଅଭିଯୋଗ ନେଇ ଏସ୍‌ଆଇଟି କିମ୍ବା ରାଜ୍ୟ ସରକାରଙ୍କ ପ୍ରତିକ୍ରିୟା ମିଳିନି।

You might also like