ଶପଥ ନେଲେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି

ଭୁବନେଶ୍ୱର: ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ ମହମ୍ମଦ ରଫିକ୍‌ ଆଜି ଶପଥ ଗ୍ରହଣ କରିଛନ୍ତି। ଭୁବନେଶ୍ୱର ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଆୟୋଜିତ ସମାରୋହରେ ଜଷ୍ଟିସ ରଫିକ୍‌ ଶପଥ ନେଇଛନ୍ତି।

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଜଷ୍ଟିସ ରଫିକ୍‌ଙ୍କୁ ଶପଥ ପାଠ କରାଇଛନ୍ତି। କରୋନା ପାଇଁ ନିୟମାବଳୀ ଲାଗୁ ହୋଇଥିବାରୁ ଶପଥ ଗ୍ରହଣ ସମାରୋହରେ ସାମାଜିକ ଦୂରତା ପାଳନ କରାଯାଇଥିଲା। ଏହି ଶପଥ ପାଠ ଉତ୍ସବରେ ମୁଖ୍ୟ ଶାସନ ସଚିବ, ପୋଲିସ ଡିଜି, ବିରୋଧୀ ଦଳ ନେତା ପ୍ରମୁଖ ଉପସ୍ଥିତ ଥିଲେ। ଜଷ୍ଟିସ ମହମ୍ମଦ ରଫିକ ଏହା ପୂର୍ବରୁ ମେଘାଳୟ ଓ ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ କରିଛନ୍ତି।

ଜଷ୍ଟିସ ରଫିକ୍‌ ୨୦୦୬ରେ ରାଜସ୍ଥାନ ହାଇକୋର୍ଟରେ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ। ଏହାସହ ଦୁଇ ଦୁଇ ଥର ରାଜସ୍ଥାନ ହାଇକୋର୍ଟର ଆକ୍ଟିଂ ଚିଫ୍ ଜଷ୍ଟିସ ଭାବେ ଦାୟିତ୍ୱ ତୁଲାଇଥିଲେ। ଏହାପରେ ଗତବର୍ଷ ନଭେମ୍ବର ୧୩ରେ ମେଘାଳୟ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଓଡ଼ିଶା ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ କେ. ଏସ୍ ଜାଭେରୀ ଅବସର ନେବା ପରେ ଗତ ଜାନୁଆରୀ ମାସରେ ବରିଷ୍ଠ ବିଚାରପତି ସଞ୍ଜୁ ପଣ୍ଡାଙ୍କୁ ଆକ୍ଟିଂ ଚିଫ୍ ଜଷ୍ଟିସ ଭାବେ ନିଯୁକ୍ତି ଦିଆଯାଇଥିଲା।

ଆହୁରି ପଢ଼ନ୍ତୁ

You might also like