୮ ଶହ ବର୍ଷ ପରେ ଆକାଶରେ ଦେଖାଗଲା ବିରଳ ମହାଜାଗତିକ ଦୃଶ୍ୟ

ଭୁବନେଶ୍ୱର: ମହାକାଶରେ ମହାମିଳନ। ବିରଳ ମହାଜାଗତିକ ଦୃଶ୍ୟ। ଆକାଶରେ ଅତି ନିକଟରେ ଦୃଶ୍ୟମାନ ହୋଇଛନ୍ତି ସୌରଜଗତର ୨ଟି ବୃହତ୍ ଗ୍ରହ। ଗୋଟିଏ ଗ୍ରହମାନଙ୍କ ମଧ୍ୟ ରାଜା ବୃହସ୍ପତି ଏବଂ ଅନ୍ୟଟି ବଳୟ ଗ୍ରହ ଶନି।  ବୃହସ୍ପତି ଓ ଶନି ଗ୍ରହକୁ ଉତ୍ତର-ପଶ୍ଚିମ ଦିଗ୍‌ବଳୟର ଠିକ୍ ଉପରକୁ ଅତି ଲାଗିଲାଗି ହୋଇ ଦେଖିବାକୁ ମିଳିଛି।  ଉଜ୍ଜ୍ୱଳ ବୃହସ୍ପତିର ଠିକ୍ ଉପରକୁ ରହିଛି ଶନି। ସେମାନଙ୍କ ମଧ୍ୟରେ ଦୂରତା ରହିଛି ମାତ୍ର ୦.୧ ଡିଗ୍ରୀ। ପ୍ରାୟତଃ ପ୍ରତି ୧୨ ବର୍ଷରେ ବୃହସ୍ପତି ଓ ପ୍ରତି ୩୦ ବର୍ଷରେ ଶନି ସୂର୍ଯ୍ୟକୁ ଥରେ ପରିକ୍ରମା କରିଥାଏ।

ତେଣୁ ପ୍ରାୟ ୨୦ ବର୍ଷରେ ଥରେ ଉଭୟ ଗ୍ରହ ପୃଥିବୀ ସହ ଗୋଟିଏ ସରଳରେଖା ଓ ସମତଳକୁ ଆସନ୍ତି। ଏହି ସମୟରେ ପୃଥିବୀରୁ ଶନି ଓ ବୃହସ୍ପତି ଗ୍ରହ ମିଳନ ହେବା ଭଳି ଦେଖାଯାଏ। ତେବେ ଚଳିତ ବର୍ଷ ଉଭୟ ଗ୍ରହ ଅତି ନିକଟତର ହୋଇଥିବାରୁ ଏହାକୁ ମହାମିଳନ କୁହାଯାଉଛି। ସୂର୍ଯ୍ୟାସ୍ତର ୪୦ ମିନିଟ ପରେ ପ୍ରାୟ ଘଣ୍ଟାଏ ପର୍ଯ୍ୟନ୍ତ ଏହା ଦେଖିବାକୁ ମିଳିଛି। ପ୍ରାୟ ୪୦୦ ବର୍ଷ ପରେ ଏଭଳି ଘଟଣା ଘଟୁଥିବା ବେଳେ, ୮୦୦ ବର୍ଷ ପରେ ଦେଖିବା ସମ୍ଭବ ହେଉଛି।

ଗତ ୩ ସପ୍ତାହ ଧରି ଉତ୍ତର-ପଶ୍ଚିମ ଆକାଶରେ ବୃହସ୍ପତି ଓ ଶନି ଗ୍ରହ ଦେଖିବାକୁ ମିଳୁଥିଲା। ଏହା ଧିରେ ଧିରେ ନିକଟତର ହୋଇ ଆଜି ସର୍ବନିମ୍ନ ଦୂରତାରେ ପହଞ୍ଚିଥିଲା। ଆସନ୍ତାକାଲି ଠାରୁ ଏହା ପୁଣି ପରସ୍ପର ଠାରୁ ଦୂରେଇ ଦୂରେଇ ଯିବେ। ଚଳିତ ବର୍ଷର ଶନି ଓ ବୃହସ୍ପତିର ମହାମିଳନ ଏକ ବିରଳ ମହାଜାଗତିକ ଘଟଣା ହୋଇଥିବା ବେଳେ, ୨୦୪୦ ଓ ୨୦୮୦ ମସିହାରେ ପୁଣି ଥରେ ଉଭୟ ଗ୍ରହ ନିକଟତର ହେବେ ତେବେ ଏହା ମହାମିଳନ ହେବ ନାହିଁ।  ମହାମିଳନ ପୁଣି ୪୦୦ ବର୍ଷ ପରେ ଘଟିବାକୁ ଯାଉଥିବାରୁ, ଆଜିର ବିରଳ ଦୃଶ୍ୟ ସମସ୍ତଙ୍କୁ ଜୀବଦ୍ଦଶାରେ ଥରୁଟିଏ ଦେଖିବାକୁ ମିଳିବ।

ଆସନ୍ତା ୨ ବର୍ଷ ମଧ୍ୟରେ ଆଉ କିଛି ଗ୍ରହର ମିଳନ ଘଟିବାକୁ ଯାଉଥିବା ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟାରିୟମ ପକ୍ଷରୁ ସୂଚନା ଦିଆଯାଇଛି। ୨୦୨୧ ଜୁଲାଇ ୧୩ରେ ଶୁକ୍ର ଓ ମଙ୍ଗଳ, ୨୦୨୨ ଏପ୍ରିଲ ୫ରେ ମଙ୍ଗଳ ଓ ଶନି, ସେହିବର୍ଷ ମାର୍ଚ୍ଚ ୩ରେ ଶୁକ୍ର ଓ ବୃହସ୍ପତି ଏବଂ ମେ ୨୯ରେ ମଙ୍ଗଳ ଓ ବୃହସ୍ପତି ଅତି ନିକଟତର ହେବେ।

You might also like