ସଂଘର୍ଷ ଭିତରେ ଅଧାବାଟରେ ଅଟକିଛି ବଲାଙ୍ଗୀରର ଜୀବନରେଖା

ଭୁବନେଶ୍ୱର: ଦୁଇ ଦଶନ୍ଧିର ସଂଘର୍ଷ ଭିତରେ ବଲାଙ୍ଗୀରର ଜୀବନରେଖା ଲୋୟର ସୁକତେଲ୍ ପ୍ରକଳ୍ପ ଅଧା ବାଟରେ ଅଟକିଛି। କେବେ ଥଇଥାନ ଓ ବିସ୍ଥାପନକୁ ନେଇ ବିବାଦ ତ କେବେ ପ୍ରଶାସନିକ ଉଦାସୀନତା ଯୋଗୁଁ କାମରେ ଅହେତୁକ ବିଳମ୍ବ ହେଉଛି। ପ୍ରାୟ ୭୦ % ସ୍ପିଲ ୱେ କାମ ସରିବା ପରେ ବି ଆଜିକୁ ୩ ବର୍ଷ ହେଲା ନିର୍ମାଣ କାମ ଠପ୍ ହୋଇରହିଛି। କାରଣ ମହାନଦୀ ଜଳବିବାଦ ଭିତରେ ଛନ୍ଦି ହୋଇଯାଇଛି ପ୍ରସ୍ତାବିତ ଲୋୟର ସୁକତେଲ ପ୍ରକଳ୍ପ। ଏକଥା ଆରଟିଆଇ ତଥ୍ୟ କହୁଛି।

କାରଣ ମହାନଦୀ ଅବବାହିକାରେ ଥିବା ୪ଟି ନିର୍ମାଣାଧିନ ପ୍ରକଳ୍ପ ସମେତ ସୁକତେଲର ଦୁଇ ନମ୍ବର ଡିଟେଲ ପ୍ରୋଜେକ୍ଟ ରିପୋର୍ଟ- DPRକୁ କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟ ଫେରାଇ ଦେଇଛି । ୩ ଅକ୍ଟୋବର, ୨୦୧୯ରୁ ଡିପିଆର୍ ଫେରସ୍ତ ସହ ନୂଆ DPR ଦେବାକୁ ମନ୍ତ୍ରାଳୟ କହିଥିଲେ ବି ରାଜ୍ୟ ସରକାର ନୂଆ ଡିପିଆର ଦେଇନାହାନ୍ତି। ଫଳରେ ନା କେନ୍ଦ୍ରର ମଂଜୁରୀ ମିଳିପାରୁଛି ନା ବ୍ୟୟ ଅଟକଳ ହୋଇପାରୁଛି।

ସୁକତେଲ୍ ପ୍ରକଳ୍ପର ବିସ୍ଥାପନ ଓ ଥଇଥାନ ସମାଧାନ ପାଇଁ ଉଦ୍ଦିଷ୍ଟ RPDAC ମିଟିଂ ବି ବର୍ଷକୁ ୪ ଥର ହେବା କଥା। ହେଲେ ଗତ ୨୦ ବର୍ଷ ଭିତରେ ମାତ୍ର ୩ଟି ବସିଛି। ତେଣୁ ଏହି ପ୍ରକଳ୍ପ ପ୍ରତି ରାଜ୍ୟ ସରକାରଙ୍କ ଆନ୍ତରିକତା ନେଇ ପ୍ରଶ୍ନ ଉଠିଛି।

କେନ୍ଦ୍ରୀୟ ଜଳ ଆୟୋଗ ଓ ଲୋୟର ସୁକ୍‌ତେଲର ଡିପିଆର୍-୨ର ଅଟକଳକୁ ଫେରାଇ ଦେଇଛନ୍ତି। ଖୁବ୍‌ ଶୀଘ୍ର କାମ ଆରମ୍ଭ ହେବ ବୋଲି ନେତାମାନେ କହୁଛନ୍ତି କିନ୍ତୁ ଏପର୍ଯ୍ୟନ୍ତ କେନ୍ଦ୍ର ସରକାର ମଞ୍ଜୁର ଦେଇନାହାନ୍ତି। 
-ହେମନ୍ତ ପଣ୍ଡା, ସୂଚନା ଅଧିକାର କର୍ମୀ, ବଲାଙ୍ଗିର

୧୯୯୪-୯୫ରେ ଲୋୟର ସୁକତେଲ ପ୍ରକଳ୍ପ ମଂଜୁରୀ ପାଇଥିଲା। ସେତେବେଳର ୨୦୦ କୋଟିର ବ୍ୟୟ ଅଟକଳ ଏବେ ୨, ୪୦୦ କୋଟିକୁ ଟପିଲାଣି। ୨ ହଜାର ମସିହାରେ ମୁଖ୍ୟମନ୍ତ୍ରୀ ପ୍ରକଳ୍ପ ଶିଳାନ୍ୟାସ କରିଥିଲେ ବି କ୍ଷତିପୂରଣ ଓ ବିସ୍ଥାପନ ବିବାଦ ଯୋଗୁଁ ୨୦୧୮ରୁ ନିର୍ମାଣ କାମ ବନ୍ଦ ରହିଛି। ଗତ ୩ ତାରିଖରେ ଦୃଶ୍ୟ ମୁଖ୍ୟ ଶାସନ ସଚିବଙ୍କ ସମେତ ଜଳସଂପଦ ବିଭାଗର ପ୍ରମୁଖ ସଚିବ, 5T ସଚିବ ଓ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଗ୍ରାଉଣ୍ଡ ଜିରୋକୁ ଯାଇ ସ୍ଥିତି ପରଖିଥିଲେ। ମୁଖ୍ୟ ଶାସନ ସଚିବ କହିଥିଲେ ଖୁବଶୀଘ୍ର ବିସ୍ଥାପିତଙ୍କ ସହିତ ଆଲୋଚନା କରି କାମ ଆରମ୍ଭ ହେବ।

ଆରଟିଆଇ ତଥ୍ୟ ସାମ୍ନାକୁ ଆସିବା ପରେ ଏଠି ପ୍ରଶ୍ନ, କେନ୍ଦ୍ରକୁ ଯଦି ରାଜ୍ୟ ସରକାର ନୂଆ ଡିପିଆର୍ ଦେଇନାହାନ୍ତି, ତାହେଲେ ପ୍ରକଳ୍ପ କାମ ତ୍ୱରାନ୍ୱିତ ହେବ କେମିତି? ଏଥିପାଇଁ କେମିତି ହେବ ବ୍ୟୟ ଅଟକଳ? ଜିଲ୍ଲା ପ୍ରଶାସନ ନା ତଥ୍ୟ ରଖିଛନ୍ତି ରାଜ୍ୟ ସରକାର ନା ପ୍ରତିକ୍ରିୟା ରଖୁଛି। ଏଭଳି ସ୍ଥିତିରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରି ବିରୋଧୀ କହିଛନ୍ତି, ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ଏହି ପ୍ରସ୍ତାବିତ ପ୍ରକଳ୍ପକୁ ନେଇ ପୁଣି ଏହା ଏକ ପଲିଟିକାଲ୍ ଷ୍ଟଣ୍ଟ।

ଲୋୟର ସୁକ୍‌ତେଲର ପ୍ରକଳ୍ପ ସେଇ ଡିପିଆର୍‌ରେ ଲଟକିଛି। ରାଜ୍ୟ ସରକାର ଦୟାକରି ଏଇ ପ୍ରକଳ୍ପକୁ ତୁରନ୍ତ ଶେଷ କରନ୍ତୁ। ବଲାଙ୍ଗିର ଜିଲ୍ଲାବାସୀଙ୍କୁ ଠକିବାକୁ ବନ୍ଦ କରନ୍ତୁ।
-ସନ୍ତୋଷ ସିଂ ସାଲୁଜା, କଂଗ୍ରେସ ବିଧାୟକ
ଯେହେତୁ ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଛି, ସେଥିପାଇଁ ଡ୍ରାମାବାଜି କରିବା ପାଇଁ ଉଚ୍ଚସ୍ତରୀୟ ଟିମ୍‌ ଗଲେ। ପ୍ୟାକେଜ ଘୋଷଣା କରିବାକୁ କହିଲେ କିନ୍ତୁ କିଛି ନାହିଁ। ଏ ସରକାରଙ୍କ କଥା ଗୋଟାଏ ଆଉ କାମ ଗୋଟାଏ।
-ମୁକେଶ ମହାଲିଙ୍ଗ, ବିଜେପି ବିଧାୟକ
ରିପୋର୍ଟ: ଘଟେଶ୍ୱର ମିଶ୍ର, ମନୋରଂଜନ ଯୋଶୀ ଓ ନିରଞ୍ଜନ ରେଡ୍ଡୀ
You might also like