ଭୁବନେଶ୍ୱର: କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗା କାଳିଆ ଅଲଗା ହେବା ପରେ ଶୀଘ୍ର ଓଡ଼ିଶା ଫେରିବେ । ଓଡ଼ିଶା ଆସିବା ପରେ ସେମାନଙ୍କୁ କଟକ ବଡ଼ ଡାକ୍ତରଖାନାରେ ରଖାଯିବ । ଏଥିଲାଗି ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ।
ଜଗା କାଳିଆଙ୍କ ପାଇଁ କ୍ୟାବିନ ଓ ଡାକ୍ତରୀ ଟିମ୍ ପ୍ରସ୍ତୁତ ରହିଛନ୍ତି। ତେବେ ଦୁଇ ଶିଶୁ କେବେ ଦିଲ୍ଲୀରୁ ଫେରିବେ ଜଣା ପଡ଼ିନାହିଁ। ସପ୍ତାହକ ଭିତରେ ସେ ନେଇ ତାରିଖ ଘୋଷଣା ହେବ ବୋଲି ମନ୍ତ୍ରୀ କହିଛନ୍ତି।
ଦୁଇ ଶିଶୁଙ୍କ ସ୍ୱାସ୍ଥ୍ୟ ଅନୁଧ୍ୟାନ ଲାଗି ଏସସିବି ମେଡ଼ିକାଲରେ ଛଅ ଜଣିଆ ଡ଼ାକ୍ତରୀ ଟିମ ଗଠନ କରାଯାଇଛି। ନ୍ୟୁରୋ ସର୍ଜରୀ ବିଭାଗୀୟ ମୁଖ୍ୟ ପ୍ରଫେସର ସୁଧାଂଶୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ଟିମରେ ଶିଶୁରୋଗ ବିଭାଗୀୟ ମୁଖ୍ୟ ପ୍ରଫେସର ଜେ.ଏନ. ବେହେରା, ନ୍ୟୁରୋଲଜି ବିଭାଗୀୟ ମୁଖ୍ୟ ପ୍ରଫେସର ଅଶୋକ ମଲ୍ଲିକ, ସର୍ଜରୀ ବିଭାଗୀୟ ମୁଖ୍ୟ ପ୍ରଫେସର କୈଳାସ ଚନ୍ଦ୍ର ମହାପାତ୍ର, ନ୍ୟୁରୋ ସର୍ଜନ ପ୍ରଫେସର ସଂଜୀବ ମିଶ୍ର ଓ ଏସସିବି ଜରୁରୀକାଳିନ ଅଧିକାରୀ ଡ଼ାକ୍ତର ଭୁବନାନନ୍ଦ ମହାରଣା ପ୍ରମୁଖ ସଦସ୍ୟ ଅଛନ୍ତି ।