ଚାକିରି ନାଁରେ ଠକୁଥିଲେ, ଧରିଲା ପୁଲିସ୍‌

ବ୍ରହ୍ମପୁର(ଜଗନ୍ନାଥ ସାହୁ): ସରକାରୀ ଅନୁଷ୍ଠାନରେ ଚାକିରି ଦେବା ନାଁରେ ୫୦ ଲକ୍ଷରୁ ଅଧିକ ଟଙ୍କାର ଠକେଇ ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ଏକ ଆନ୍ତଃରାଜ୍ୟ ଗ୍ୟାଙ୍ଗକୁ ବ୍ରହ୍ମପୁର ପୁଲିସ୍‌ ଧରିଛି।

ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ତଥା ଭୁବନେଶ୍ୱରର ଏକ ଅନୁଷ୍ଠାନର କାର୍ଯ୍ୟରତ ଯାଜପୁର ଜିଲ୍ଲାର ରବୀନ୍ଦ୍ର କୁମାର ବେହେରା ଓ ଦିଗପହଣ୍ଡିର ଅରୁଣ କୁମାର ବେହେରାଙ୍କୁ ପୁଲିସ୍‌ ଗିରଫ କରିଛି। ଏମାନେ ଯାଜପୁର, ତାଳଚେର, ଅନୁଗୁଳ, ଜଗତସିଂହପୁର ଆଦି ଅଞ୍ଚଳରେ ଚେର୍ ଲମ୍ବାଇଥିବା ସୂଚନା ମିଳିଛି।

ଭୁବନେଶ୍ୱର ରିଜିଓନାଲ ଇନଷ୍ଟିଚ୍ୟୁଟ୍‌ ଅଫ୍ ଏଜୁକେସନ୍‌ରେ ଚାକିରି ଦେବା ନାଁରେ ଏହି ଅଭିଯୁକ୍ତଦ୍ୱୟ ଠକେଇ କରୁଥିବା ଅଭିଯୋଗ ହୋଇଛି। ସେମାନେ କାହାଠାରୁ ୩ ଲକ୍ଷ ଟଙ୍କା ତ ଆଉ କାହାଠାରୁ ୫ଲକ୍ଷ ଟଙ୍କା ନେଇଛନ୍ତି। ଏପରିକି ସେମାନେ ଉକ୍ତ ଅନୁଷ୍ଠାନ ନାଁରେ ସମସ୍ତଙ୍କୁ ଜାଲ୍ ନିଯୁକ୍ତିପତ୍ର ମଧ୍ୟ ଦେଇଛନ୍ତି। ଖାଲି ଏତିକି ନୁହେଁ ଏହି ୨ ଅଭିଯୁକ୍ତ, ଠକେଇ ଅର୍ଥରୁ କାହାକୁ ୪ହଜାର କିମ୍ବା ୫ହଜାର ଟଙ୍କା ଲେଖାଏ ଅର୍ଥ ଦରମା ବାବଦକୁ ମଧ୍ୟ କିଛି ଲୋକଙ୍କୁ ଦେଇଛନ୍ତି। ଫଳରେ ଚାକିରି ପାଇଁ ଟଙ୍କା ଦେଇଥିବା ପିଲାମାନେ ଚାକିରି ପାଇଥିବା ବିଶ୍ୱାସ କରିବେ।

ତେବେ ଘଟଣାଟି ସେତେବେଳେ ପର୍ଦ୍ଦାଫାସ ହୋଇଥିଲା ଯେତେବେଳେ ବୈଦନାଥପୁର ଥାନାରେ ଏମାନଙ୍କ ଦ୍ୱାରା ଠକେଇର ଶିକାର ହୋଇଥିବା ଜଣେ ବ୍ୟକ୍ତି ୫ ଦିନ ତଳେ ଏତଲା ଦେଇଥିଲେ। ଏହାପରେ ପୁଲିସ୍ ଘଟଣାର ଖୋଡ଼ତାଳ କରି ଉଭୟଙ୍କୁ ଗିରଫ କରିଥିଲା।

ପୁଲିସ୍‌ ସେମାନଙ୍କ ନିକଟରୁ ଜାଲ୍‌ ନିଯୁକ୍ତି ପତ୍ର ଜବତ କରିଛି। ଏହାସହ ଅଭିଯୁକ୍ତ ରବୀନ୍ଦ୍ରଙ୍କ ନିକଟରୁ ବିଭିନ୍ନ ବ୍ୟାଙ୍କର ପାସ୍ ବୁକ୍, ଏଟିଏମ୍‌ କାର୍ଡ, ମୋବାଇଲ ଆଦି ଜବତ ହୋଇଛି।

ଅନ୍ୟପକ୍ଷରେ ରବୀନ୍ଦ୍ର ଓ ଅରୁଣଙ୍କୁ ଆଗକୁ ରିମାଣ୍ଡରେ ଆଣିବା ପାଇଁ ପୁଲିସ୍‌ କୋର୍ଟରେ ଆବେଦନ କରିବ ବୋଲି ସୂଚନା ମିଳିଛି। ଫଳରେ ଏହି ଗ୍ୟାଙ୍ଗ୍‌ର ଠକେଇ ନେଇ ଆହୁରି ଅନେକ ତଥ୍ୟ ସାମ୍ନାକୁ ଆସିବ ବୋଲି ଜଣାପଡ଼ିଛି।

You might also like