ବିଫଳ ପ୍ରେମିକର ଉନ୍ମତ୍ତ କାଣ୍ଡ: କାଟିଦେଲା ପ୍ରେମିକାଙ୍କ ନାବାଳକ ଭାଇର ବେକ

ବ୍ରହ୍ମପୁର: ପ୍ରେମ ନିବେଦନ କରି ବିଫଳ ହେବା ପରେ ଯୁବତୀଙ୍କ ନାବାଳକ ଭାଇକୁ ହତ୍ୟା କରି ଦେଇଛି ପ୍ରେମିକ। ଏକତରଫା ପ୍ରେମରେ ହତାଶ ହୋଇ ଯୁବକ ଜଣଙ୍କ ଜଣେ ଛୋଟ ପିଲାର ଜୀବନ ନେବାକୁ ବି ପଛାଇ ନାହିଁ। ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ବ୍ରହ୍ମପୁରର ସଦର ଥାନା ଅନ୍ତର୍ଗତ ବ୍ରାହ୍ମଣୀପଲ୍ଲୀ ଅଞ୍ଚଳରେ। ଅଭିଯୁକ୍ତ ଲିଙ୍ଗରାଜ ସେଠୀକୁ ଗିରଫ କରିଛି ପୁଲିସ।

ମୃତକର ବଡ଼ଭଉଣୀ ପ୍ରେମ ନିବେଦନ ଗ୍ରହଣ ନକରିବାରୁ ସେ ଏହି ହତ୍ୟାକାଣ୍ଡ ଘଟାଇ ଥିବା ପୁଲିସ୍‌ ଆଗରେ ସ୍ୱୀକାର କରିଛି ଅଭିଯୁକ୍ତ।

ଅଭିଯୋଗ ଅନୁସାରେ, ଗତ ୬ ତାରିଖରେ ଗୁରୁଣ୍ଠିର ୧୩ ବର୍ଷର ନାବାଳକ ଭିକୁ ସେଠୀ ନିଖୋଜ ହୋଇଯାଇଥିଲେ। ଏନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ୯ ତାରିଖରେ ବ୍ରାହ୍ମଣପଲ୍ଲୀର ଆମ୍ବତୋଟାରୁ ଏକ ମୃତଦେହ ଜବତ ହୋଇଥିଲା। ଏହା ଭିକୁର ବୋଲି ଜଣାପଡ଼ିଥିଲା। ତଦନ୍ତରୁ ପୁଲିସ୍‌ ଜାଣିବାକୁ ପାଇଥିଲା ଯେ ଅଭିଯୁକ୍ତ ଲିଙ୍ଗରାଜ ହିଁ ଭିକୁର ବେକକାଟି ହତ୍ୟା କରିଛି।

ପୁଲିସ୍ କହିବା ଅନୁସାରେ, ଲିଙ୍ଗରାଜର ମାମୁଘର ଗୁରୁଣ୍ଠିରେ। ଲିଙ୍ଗରାଜ ମାମୁଘରକୁ ଯିବା ଆସିବା କରିବା ସମୟରେ ଭିକୁର ଭଉଣୀକୁ ଏକତରଫା ଭଲ ପାଇ ବସିଥିଲା। ହେଲେ ଯୁବତୀ ଜଣଙ୍କ ଲିଙ୍ଗରାଜର ପ୍ରେମ ନିବେଦନକୁ ଅଗ୍ରାହ୍ୟ କରିଦେଇଥିଲେ। ତେଣୁ ଯୁବତୀଙ୍କ ସାନ ଭାଇକୁ ଅପହରଣ କରିବା ପରେ ଯୁବତୀଙ୍କୁ ଆସି ତାକୁ ଦେଖା କରିବାକୁ କହିଥିଲା ଲିଙ୍ଗରାଜ। ଯଦି ନଆସିବୁ ତେବେ ତୋ ଭାଇକୁ ମାରି ଦେବି ବୋଲି ଚେତାବନୀ ମଧ୍ୟ ଦେଇଥିଲା। ହେଲେ ଯୁବତୀ ଜଣଙ୍କ ତାକୁ ଦେଖା କରିବାକୁ ନଯିବାରୁ ଲିଙ୍ଗରାଜ ଶେଷରେ ଭିକୁର ଜୀବନ ନେଇଯାଇଥିବା ପୁଲିସ୍‌ ଆଗରେ ସ୍ୱୀକାର କରିଛି।

ଘଟଣା ପରେ ଲିଙ୍ଗରାଜ ଫେରାର ହୋଇଯାଇଥିଲା। ଗତକାଲି ସେ ଗାଁକୁ ଆସିଥିବା ଖବର ପାଇ ପୁଲିସ୍‌ ଚଢ଼ଉ କରି ତାକୁ ଗିରଫ କରିଛି।

You might also like