ଝାରପଡ଼ା ଜେଲରୁ ଗଞ୍ଜେଇ ଜବତ ଘଟଣା, ନିଲମ୍ବିତ ହେଲେ ଜେଲ ଚିଫ୍ ୱାଡେନ୍

ଭୁବନେଶ୍ୱର: ଝାରପଡ଼ା ଜେଲରୁ ଗଞ୍ଜେଇ ଜବତ ଘଟଣାରେ ନିଆଗଲା କାର୍ଯ୍ୟାନୁଷ୍ଠାନ । ପ୍ରାଥମିକ ତଦନ୍ତ ପରେ ଜେଲ ଚିଫ୍ ୱାଡେନ୍ ସୁଦର୍ଶନ ବାରିକଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି । ତେବେ ଏନେଇ ଅଧିକ ତଦନ୍ତ ଜାରି ରହିଛି । ଜେଲ ବିଭାଗ ଡିଜି ସନ୍ତୋଷ ଉପାଧ୍ୟାୟ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।

କିଛି ଦିନ ପୂର୍ବରୁ ଝାରପଡ଼ା ଜେଲ୍ ମଧ୍ୟରୁ ମୋବାଇଲ ସହ ଗଞ୍ଜେଇ ଜବତ ହୋଇଥିଲା । କିଛି ମାସ ଧରି ଚାଲିଥିବା ଜେଲ୍ ବିଭାଗର ଅପରେସନ୍ କ୍ଲିନ୍ ଅଭିଯାନରେ ପୋଲିସକୁ ଏହି ସଫଳତା ମିଳିଥିଲା । ଝାରପଡ଼ା ଜେଲ୍ ଭିତରେ ଓ ବାହାରେ କଡ଼ା ସୁରକ୍ଷା ସତ୍ତ୍ୱେ କିଭଳି ମୋବାଇଲ୍ ଓ ଗଞ୍ଜେଇ ଭିତରକୁ ଯାଉଛି, ତାକୁ ନେଇ ଉଠିଥିଲା ପ୍ରଶ୍ନବାଚୀ ।

ତେବେ ଏଭଳି ଘଟଣା ଝାରପଡ଼ା ଜେଲ ପାଇଁ ନୂଆ ନୁହେଁ । ପୂର୍ବରୁ ମଧ୍ୟ ଅନେକ ଥର ଏଭଳି ଘଟଣା ସାମ୍ନାକୁ ଆସିଛି । ଜେଲ ଭିତରୁ ମୋବାଇଲ ଜବତ ହେବା ସହ ବିଭିନ୍ନ ପ୍ରକାର ନିଶା ଦ୍ରବ୍ୟ ଜବତ ହୋଇଛି । ସିଗାରେଟ୍, ଗୁଟଖା, ବିଡ଼ି ଆଦି ମଧ୍ୟ ଜେଲ ଭିତରୁ ଜବତ ହୋଇଛି ।

୨୦୨୦ ମସିହାରେ ଖୋର୍ଦ୍ଧା ଜେଲରେ ବ୍ରାଉନସୁଗାର କାରବାର ହେଉଥିବା ନେଇ ଭିଡିଓ ଭାଇରାଲ ହୋଇଥିଲା । ଏହା ପରେ  ଭୁବନେଶ୍ୱର ଝାରପଡା ଜେଲରେ ନିଶା କାରବାର ଚାଲିଥିବ ଭିଡିଓ ମଧ୍ୟ ସାମ୍ନାକୁ ଅସିଥିଲା । ରାଜଧାନୀର କେନ୍ଦ୍ରରେ ଥିବା ଏହି ଜେଲ ଭିତରେ ଗଞ୍ଜେଇ, ସିଗାରେଟ ଓ  ଟଙ୍କା ଦିଆନିଆ ଚାଲିଥିବା ଭିଡିଓ ଭାଇରାଲ ପରେ ଏନେଇ ସାଧାରଣରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ସେତେବେଳେ ମଧ୍ୟ ଏହି ଘଟଣାର ସତ୍ୟାସତ୍ୟ ନେଇ ତଦନ୍ତ ହେବ ବୋଲି କହିଥିଲେ ଜେଲ ବିଭାଗ ଡିଜି ସନ୍ତୋଷ ଉପାଧ୍ୟାୟ । 

You might also like