ଦୁର୍ନୀତି ଅଭିଯୋଗରେ ନିଲମ୍ବିତ ହେଲେ ବିଡିଓ, JE
ଉମରକୋଟ(କାର୍ତ୍ତିକ ମଲ୍ଲିକ): ଦୁର୍ନୀତି ଅଭିଯୋଗରେ ଝରିଗାଁ ବିଡିଓ ଓ ଜେଇଙ୍କୁ ନିଲମ୍ବିତ କରାଯାଇଛି। ଝରିଗାଁ ବିଡିଓ ଦେବେନ୍ଦ୍ର ବାହାଦୂର ସିଂ ଧରୁଆ ଏବଂ ଝରିଗାଁ ବ୍ଲକ୍ ଜେଇ ସୁନୀଲ ସାମଲଙ୍କୁ ସସ୍ପେଣ୍ଡ କରାଯାଇଛି।
ସ୍ୱଚ୍ଛ ଭାରତ ମିଶନରେ ଝରିଗାଁରେ ପାଇଖାନା ଦୁର୍ନୀତି ଅଭିଯୋଗ ହୋଇଥିବା ବେଳେ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ଉଭୟଙ୍କୁ ନିଲମ୍ବନ କରାଯାଇଛି। କିଛି ଦିନ ତଳେ ଝରିଗାଁ ବ୍ଳକ୍ରେ ଶୌଚାଳୟ ନିର୍ମାଣରେ ଅନିୟମିତତା ନେଇ ବିଡିଓ ଦେବେନ୍ଦ୍ର ବାହାଦୂର ସିଂଙ୍କ ବିରୋଧରେ ଶତାଧିକ ହିତାଧୀକାରୀ ଥାନାରେ ଏତଲା ଦେଇଥିଲେ।
ନବରଙ୍ଗପୁର ଜିଲ୍ଲାପାଳଙ୍କ ନିର୍ଦେଶରେ ପିଡି ଡିଆରଡିଏ ଗାଁକୁ ଯାଇ ତଦନ୍ତ କରିବା ପରେ ଉଭୟଙ୍କୁ ନିଲମ୍ବିତ କରାଯାଇଛି।
ଗ୍ରାମାଞ୍ଚଳର ପରିବେଶକୁ ସୁନ୍ଦର କରିବା ସହ ଗ୍ରାମ ଗୁଡିକୁ ବାହ୍ୟ ମଳମୁକ୍ତ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ସ୍ୱଚ୍ଛ ଭାରତ ମିଶନ ଏବଂ ପ୍ରତ୍ୟେକ ପରିବାରକୁ ଶୌଚାଳୟ ଯୋଗାଇବା ବାବଦକୁ କୋଟି କୋଟି ଟଙ୍କା ଅନୁଦାନ ଦେଇଥିଲେ। ହେଲେ ହିତାଧିକାରୀଙ୍କ ନାଁରେ ଆସିଥିବା ଶୌଚାଳୟ ଟଙ୍କାକୁ ଉଭୟ ସରକାରୀ ବାବୁ ହଡପ କରିଥିବା ସାଂଘାତିକ ଅଭିଯୋଗ ହୋଇଛି। ଝରିଗାଁ ବ୍ଲକ୍ରେ ୨୬ ହଜାର ୩୫୫ ଟି ଶୌଚାଳୟ ନିର୍ମାଣ ବାବଦକୁ କୋଟି କୋଟି ଟଙ୍କା ବାଟମାରଣା ହୋଇଥିବା ବେଳେ ପିସି ବାବଦକୁ ବିଡିଓ ୫ କୋଟିରୁ ଅଧିକ ଟଙ୍କା ଆତ୍ମସାତ କରିିଥିବା ଅଭିଯୋଗ ହୋଇଥିଲା।