ଭୁବନେଶ୍ୱର: ଭୁବନେଶ୍ୱର ରମା ଦେବୀ କଲେଜ ଛାତ୍ରୀ ଝରାଫୁଲଙ୍କ ମୃତ୍ୟୁ ରହସ୍ୟରୁ ଗୋଟିଏ ପରେ ଗୋଟିଏ ପରଦା ହଟୁଛି। ନିଖୋଜ ଛାତ୍ରୀଙ୍କ ମୃତ ଦେହ ରହସ୍ୟଜନକ ଭାବେ ରାସ୍ତାକଡ଼ରୁ ମୃତଦେହ ମିଳିବା ପରେ ଏହା ଏକ ହତ୍ୟା ଘଟଣା ବୋଲି ଅଭିଯୋଗ ହୋଇଥିଲା। ପୋଲିସ ଘଟଣାର ଛାନଭିନ କରିବା ପରେ ଗତକାଲି ସିସିଟିଭି ଫୁଟେଜରୁ ୨ ଜଣ ସ୍କୁଟିରେ ମୃତଦେହକୁ ନେଉଥିବାର ଦୃଶ୍ୟ ଦେଖିବାକୁ ପାଇଥିଲେ।
ଆଜି ଦୁଇ ଯୁବକଙ୍କୁ ଚିହ୍ନଟ କରିଥିଲା ପୋଲିସ। ଯାଜପୁର ଏସ୍ପି ଏ ନେଇ ସୂଚନା ଦେଇ କହିଥିଲେ, ରମାଦେବୀ କଲେଜରେ ଯୁକ୍ତି ୩ ପଢୁଥିବା ଛାତ୍ରୀଙ୍କ ମୃତ ଦେହ ମୂଳପାଳ ନିକଟରୁ ମିଳିଥିଲା। ସେ ନିଖୋଜ ଥିବା ତାଙ୍କ ବାପା କହିଥିଲେ। ତେବେ ପୋଲିସ ଅଭିଯୁକ୍ତଙ୍କ ବିଷୟରେ ସବିଶେଷ ତଥ୍ୟ ଦେଇ ନାହିଁ।
ଅନ୍ୟପକ୍ଷେ ମୃତ ଛାତ୍ରୀ ଝରାଫୁଲଙ୍କ ବାପା ଝିଅର ମୃତ୍ୟୁକୁ ନେଇ ମୁହଁ ଖୋଲିଛନ୍ତି। ସେ ଜଣେ ଯୁବକଙ୍କୁ ସନ୍ଦେହ କରୁଥିବା କହିଛନ୍ତି। ଝରାଫୁଲର ରାକେଶ ସ୍ୱାଇଁ ନାମକ ଜଣେ ଯୁବକଙ୍କ ସହ ସଂପର୍କ ଥିଲା । ତେଣୁ ଝିଅର ମୃତ୍ୟୁ ପାଇଁ ରାକେଶକୁ ସନ୍ଦେହ କରାଯାଉଥିବା ତାଙ୍କ ବାପା ରମାକାନ୍ତ ନାୟକ OTVକୁ ପ୍ରତିକ୍ରିୟା ଦେଇ କହିଛନ୍ତି।
ସେ କହିଛନ୍ତି, ୨୪ ତାରିଖ ସନ୍ଧ୍ୟା ୫ଟାରେ ଝିଅ ମହୁଲଡିହାରୁ ଭୁବନେଶ୍ୱର ଆସିଥିଲା ଜଣେ ବନ୍ଧୁଙ୍କ ଝିଅ ଜନ୍ମଦିନ ପାର୍ଟିରେ ଯୋଗ ଦେବା ପାଇଁ । ୨୬ ତାରିଖରେ ଝିଅ ସାଙ୍ଗ ସୋନାଲିଙ୍କ ଘରେ ଥିବା କହିଥିଲା । ସେହିଦିନ ରାତି ୧୧ଟାରେ ବସ୍ରେ ଘରକୁ ଫେରୁଥିବା ଝିଅ ଫୋନରେ କହିଥିବା ତାଙ୍କ ବାପା ସୂଚନା ଦେଇଛନ୍ତି।
ସୂଚନାଥାଉ କି, ଝରାଫୁଲଙ୍କ ମୋବାଇଲ କଲ୍ ରେକର୍ଡକୁ ନେଇ ଯାଜପୁର କୁଆଖିଆ ପୋଲିସ୍ ଏବେ ଖୋଳତାଡ଼ ଆରମ୍ଭ କରିଛି। ଏହାସହ ତାଙ୍କର ଶେଷ ମେସେଜ୍କୁ ବି ନେଇ ତନାଘନା ଆରମ୍ଭ ହୋଇଯାଇଛି। ଝରାଫୁଲ ଏବଂ ତାଙ୍କ ଭାଇଙ୍କ ମଧ୍ୟରେ ଶେଷଥର ପାଇଁ ହୋଇଥିବା ଚାଟିଂ ଏବେ ସାମ୍ନାକୁ ଆସିଛି। ଏଥିରେ ଝରାଫୁଲ ତାଙ୍କ ଭାଇଙ୍କୁ ରିପ୍ଲାଏ ଦେଇ ଲେଖିଛନ୍ତି ଯେ ସେ ଠିକ୍ ଅଛନ୍ତି, ନେଟୱାର୍କ ପ୍ରୋବ୍ଲେମ୍ ରହୁଛି। ସାଙ୍ଗ ସୋନାଲିଙ୍କ ଘରେ ଅଛି। ତେବେ କିଏ ଏହି ସୋନାଲି ? ତାଙ୍କୁ ନେଇ ସସ୍ପେନ୍ସ ଲାଗି ରହିଛି।
ଅନ୍ୟପଟେ ଛାତ୍ରୀ ଝରାଫୁଲ ଯେଉଁ ବସ୍ରେ ଯାଉଥିଲେ, ସେହି ବସ୍ର କଣ୍ଡକ୍ଟର କହିଛନ୍ତି, ଜୟଦେବ ବିହାରରୁ ଛାତ୍ରୀ ଜଣଙ୍କ ବସ୍ରେ ଏକା ଚଢ଼ିଥିଲେ ଏବଂ ସତ୍ସଙ୍ଗ ବିହାରରେ ଏକ ଜିନିଷ ରହିଯାଇଥିବା କହି ଓହ୍ଲାଇ ପଡ଼ିଥିଲେ। ତେବେ କେମିତି ଝରାଫୁଲଙ୍କ ମୃତ୍ୟୁ ଘଟିଲା ? କିଏ ତାଙ୍କୁ ହତ୍ୟା କରିଛି କି ? ଯଦି କରିଛି ହତ୍ୟା ପଛର ଉଦ୍ଦେଶ୍ୟ କ’ଣ ? ଏମିତି ଅନେକ ପ୍ରଶ୍ନ ସମସ୍ତଙ୍କ ମନକୁ ଆନ୍ଦୋଳିତ କରୁଛି।