କେବେ ମିଳିବ ସମନ୍ୱିତ ଗୃହ ବସ୍ତି ଉନ୍ନୟନ ଯୋଜନା ଟଙ୍କା? ୧୦ ବର୍ଷ ହେଲା ଅପେକ୍ଷାରେ ହିତାଧିକାରୀ

ଲକ୍ଷେ କହି ୪୫ ହଜାର ଦେଇ ଚୁପ୍ ସରକାର, ଅଧପନ୍ତରିଆ ହୋଇ ପଡିରହିଛି ଘର

ଜୟପୁର(ଟି.ଗୌରୀଶଙ୍କର) : ପୁରଣା ଯୋଜନା ବନ୍ଦ ହୋଇ ନୂଆ ଯୋଜନା କାର୍ଯ୍ୟ କାରୀ ହୋଇସାରିଲାଣି, ହିତାଧିକାରୀ ବି ସାମିଲ ହୋଇସାରିଲେଣି ।  ହେଲେ ବନ୍ଦ ହୋଇଥିବା ଯୋଜନାର ବକେୟା ଟଙ୍କା ପାଇଁ ଆଜି ବି ନୟାନ୍ତ ହେଉଛନ୍ତି ହିତାଧିକାରୀ । ସରକାରଙ୍କ ପକ୍ଷରୁ ସମନ୍ୱିତ ଗୃହ ଓ ବସ୍ତି ଉନ୍ନୟନ ଯୋଜନାରେ ହିତାଧିକାରୀ ସାମିଲ ହୋଇ ଘର କରିଥିଲେ ବି ୧୦ ବର୍ଷ ହେଲା ବକେୟା ଟଙ୍କା ପାଇପାରିନାହାଁନ୍ତି  ।

ଜୟପୁରର ପୁରୁଣାଗଡର ରମା ଜାନୀ । ୨୦୦୯ରେ ସମନ୍ୱିତ ଗୃହ ବସ୍ତି ଉନ୍ନୟନ ଯୋଜନାରେ ରମାଙ୍କୁ ସାମିଲ କରି ଓ୍ବାର୍କ ଅର୍ଡର ଦିଆଗଲା । ପ୍ରଥମ କିସ୍ତିରେ ୧୫ ହଜାର ଏବଂ ଦ୍ୱିତୀୟ କିସ୍ତିରେ ୩୦ ହଜାର ଦେଇ କାମ ସାରିଦେଲେ ସରକାର । ତାପରେ ଯେତେ ଦୈାଡିଲେ ବି ଆଉ ଟଙ୍କା ମିଳୁନି, ଘର ଅଧପନ୍ତରିଆ ହୋଇ ପଡି ରହିଛି । ସମାନ ସ୍ଥିତି ଇଶ୍ୱରୀ ହରିଜନଙ୍କର,  ତାଙ୍କୁ ବି ଦୁଇଟି କିସ୍ତିରେ ୪୫ ହଜାର ଟଙ୍କା ମିଳିଛି  । ଧାର କରଜ କରି ଇଶ୍ୱରୀ ଘର କାମ ପୁରା କରିଦେଲେ ସିନା ହେଲେ ଏଯାଏଁ ପୂରା ଟଙ୍କା ମିଳୁନି । ଗାଁର ଗୁରୁ ଜାନୀଙ୍କ ଅବସ୍ଥା ବି ସାମନ । ଛୋଟିଆ ଦୋକାନ କରି ପରିବାର ଚଳାଉଥିବା ଗୁରୁଙ୍କୁ ବି ଲକ୍ଷେ ୧୦ ହଜାର ମିଳିବ ବୋଲି କୁହାଯାଇଥିଲା ।  ହେଲେ ମିଳିଛି ମାତ୍ର ୪୫ ହଜାର  ଏହା ମଧ୍ୟରେ ୧୦ ବର୍ଷ ବିତିଯାଇଛି, ତଥାପି ଟଙ୍କା ପାଇଁ ମ୍ୟୁନିସପାଲଟି ଅଫିସ ଦୌଡିବା ବନ୍ଦ ହୋଇନି  ।

 

୨୦୦୯-୧୦ରେ ଆରମ୍ଭ ହୋଇଥିଲା ସମନ୍ୱିତ ଗୃହ ବସ୍ତି ଉନ୍ନୟନ ଯୋଜନା । ୨୦୧୫-୧୬ ଅର୍ଥାତ୍ ୬ବର୍ଷ ମଧ୍ୟରେ ୩୨୩ ଜଣ ହିତାଧିକାରୀ ଯୋଗ୍ୟ ବିବେଚିତ ହୋଇଥିଲେ । ସେଥିରୁ ୩୩ଜଣ ହିତାଧିକାରୀଙ୍କ ଟଙ୍କା ଫେରିଯାଇଛି॥ ୧୫୭ଜଣ ହିତାଧିକାରୀଙ୍କୁ ଘର ସଂପୂର୍ଣ୍ଣ ପାଇଁ ଟଙ୍କା ଦିଆଯାଇଛି । ହେଲେ ବଳକା ୧୩୩ଜଣଙ୍କୁ ଏଯାଏଁ ଟଙ୍କା ପହଞ୍ଚି ପାରିନଥିବା ସୂଚନା ମିଳିଛି । ହିତାଧିକାରୀଙ୍କୁ ତୁରନ୍ତ ବକେୟା ଟଙ୍କା ପ୍ରଦାନ କରିବା ସହ ଅବହେଳା କରିଥିବା କର୍ମଚାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି କୋରାପୁଟ ଯୁବ ସଂଗଠନ ।

ଗାଁରେ ଏମିତି ଅନେକ ହିତାଧିକାରୀ ଅଛନ୍ତି, ଯେଉଁମାନେ ଏବେବି ପୁରା ଟଙ୍କା ପାଇଁ ଅପେକ୍ଷା କରିଛନ୍ତି । ଟଙ୍କା ନମିଳିବାରୁ କିଏ କିଏ ତ କାମ ବି ଆରମ୍ଭ କରିନାହାଁନ୍ତି । ବକେୟା ଟଙ୍କାକୁ ଅନାଇ ରହିଥିବା ହିତାଧିକାରୀଙ୍କୁ ସେମାନଙ୍କ ଟଙ୍କା କେବେ ମିଳିବ, ଏବା ତାକୁ ଅପେକ୍ଷା ।

 

 

 

You might also like