ପ୍ରକାଶ ପାଇଲା ଜେଇଇ ମେନ୍ ରେଜଲ୍ଟ; ଗୌତମ ଦାସ ରାଜ୍ୟ ଟପ୍ପର

ନୂଆଦିଲ୍ଲୀ: ପ୍ରକାଶ ପାଇଲା ଜେଇଇ ମେନ୍ ରେଜଲ୍ଟ । ଇଞ୍ଜିନିୟରିଂରେ ବ୍ୟାଚେଲର ଓ ବିଟେକ୍ ଲାଗି ଗତ ଫେବ୍ରୁଆରୀ ୨୪ରୁ ୨୬ ତାରିଖ ମଧ୍ୟରେ ଅନୁଷ୍ଠିତ ଜେଇଇ ମେନ୍ ପରୀକ୍ଷାର ଫଳ ପ୍ରକାଶ କରିଛି ଏନଟିଏ।  ଉଭୟ ଶ୍ରେଣୀର କେବଳ ପେପର ଓ୍ୱାନ ଲାଗି ସାରା ଦେଶରୁ ମୋଟ ୬ ଲକ୍ଷ ୫୨ ହଜାର ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିଲେ ।

ପରୀକ୍ଷାରେ ୬ ଜଣ ପରୀକ୍ଷାର୍ଥୀ ଶତ ପ୍ରତିଶନ ନମ୍ବର ରଖିଛନ୍ତି। ଓଡ଼ିଶାର ଗୌତମ ଦାସ ସର୍ବାଧିକ ୯୯ ଦଶମିକ ୯୯ ପ୍ରତିଶତ ନମ୍ବର ରଖି ରାଜ୍ୟ ଟପ୍ପର ହୋଇଛନ୍ତି। ତେବେ ଜେଇଇର ପେପର ଟୁ ଏ ଓ ଟୁ ବି ର ଫଳାଫଳ ଆସନ୍ତା କିଛି ଦିନ ମଧ୍ୟରେ ପ୍ରକାଶ ପାଇବ ବୋଲି ଏନଟିଏ ପକ୍ଷରୁ ସୂଚନା ଦିଆଯାଇଛି ।

ଶତ ପ୍ରତିଶତ ମାର୍କ ରଖିଥିବା ଶିକ୍ଷାର୍ଥୀମାନେ ହେଲେ ଦିଲ୍ଲୀର ପ୍ରଭର କଟାରିଆ, ରନଜିମ ପ୍ରବଳ ଦାସ, ଚଣ୍ଡିଗଡ଼ର ଗୁରମିତ ସିଂହ, ରାଜସ୍ଥାନର ସକେତ ଝା, ମହାରାଷ୍ଟ୍ରର ସିଦ୍ଧାନ୍ତ ମୁଖାର୍ଜୀ ଓ ଗୁଜରାଟର ଅନନ୍ତ କ୍ରିଷ୍ଣ କାଦମ୍ବୀ।

ଜେଇଇ ମେନରେ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀ ବିଭିନ୍ନ ଇଞ୍ଜିନିୟରିଂ କଲେଜରେ ଆଡିମିଶନ ସହ ଆଇଆଇଟି ସ୍କ୍ରିନିଂ ପାଇଁ ଯୋଗ୍ୟ ବିବେଚିତ ହେବେ । ଏଥର ଜେଇ ପରୀକ୍ଷା ପ୍ରଥମ ଥର ଲାଗି ଓଡ଼ିଆ ସମେତ ୧୩ଟି ଆଞ୍ଚଳିକ ଭାଷାରେ ପରୀକ୍ଷା ଦେଇଥିଲେ ଛାତ୍ରଛାତ୍ରୀ। ପରୀକ୍ଷାର୍ଥୀମାନେ jeemain.nta.nic.in and nta.ac.in ୱେବସାଇଟ୍‌ ଯାଇ ଏନଟିଏ ସ୍କୋରକାର୍ଡ ଡାଉନଲୋଡ କରିପାରିବେ।

ସୂଚନାଥାଉ କି, ଏନଟିଏ ପୂର୍ବରୁ ହିଁ କହି ସାରିଛି ଯେ ଫେବୃଆରୀ ମାସ ପରୀକ୍ଷା ପାଇଁ କୌଣସି ସର୍ବଭାରତୀୟ ଟପ୍ପର ଘୋଷଣା ହେବନାହିଁ। ମେ’ ସେସନ ପରେ ହିଁ ଦୁଇଟି ଯାକ ରେଜଲ୍ଟକୁ ମିଶାଇ ସର୍ବଭାରତୀୟ ଟପ୍ପର ଘୋଷଣା କରାଯିବ।

You might also like